Latest Odisha News

BREAKING NEWS

ଜନ୍ମଦିନ ଶୁଭେଚ୍ଛା ପଛରେ ବଡ଼ ସଂକେତ: ମୋଦୀଙ୍କ ଗୋଟିଏ ‘ଟ୍ୱିଟ୍’ରେ ଥମିଗଲା କି ଧର୍ମେନ୍ଦ୍ରଙ୍କ ଉପରୁ ବିପଦର ବାଦଲ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବ୍ୟାପୀ ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆକ୍ରୋଶର ନିଆଁ ଜଳୁଛି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଅନ୍ୟପଟେ କେନ୍ଦ୍ର କ୍ୟାବିନେଟରୁ ତାଙ୍କୁ ଆଉ ସ୍ଥାନ ମିଳିନପାରେ ବୋଲି ଦିଲ୍ଲୀର ରାଜନୈତିକ ଗଳିରେ ଜୋରଦାର ଚର୍ଚ୍ଚା ଚାଲିଛି।

ଠିକ୍ ଏତିକିବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ସାରା ଦେଶରେ ହଲଚଲ ସୃଷ୍ଟି କରିଛି। ଶିକ୍ଷାମନ୍ତ୍ରୀଙ୍କ ୫୭ତମ ଜନ୍ମଦିନ ଅବସରରେ ମୋଦି ଯେଉଁଭଳି ଭାବେ ତାଙ୍କ କାମକୁ ପ୍ରଶଂସା କରିଛନ୍ତି, ତାହା ସମସ୍ତ ଗୁଜବ ଉପରେ ପାଣି ପକାଇ ଦେଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏହା କେବଳ ଏକ ସାଧାରଣ ଜନ୍ମଦିନର ଶୁଭେଚ୍ଛା ଥିଲା ନା ଏହା ପଛରେ ଲୁଚି ରହିଛି ପ୍ରଧାନମନ୍ତ୍ରୀଙ୍କର କୌଣସି ବଡ଼ ରାଜନୈତିକ ସଂକେତ?

ମୋଦୀ ୩.୦ ସରକାର ଦୁଇ ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି। ନିଟ୍ ବିବାଦ ଯୋଗୁଁ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରଣାଳୟରୁ ହଟାଇ ଅନ୍ୟ କୌଣସି ବିଭାଗ ଦିଆଯିବ କିମ୍ବା ସଂଗଠନ କାମରେ ଲଗାଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ (X)ରେ ଲେଖିଛନ୍ତି, “ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)କୁ କାର୍ଯ୍ୟକାରୀ କରିବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀ।” ମୋଦିଙ୍କ ଏହି ‘ପ୍ରଶଂସନୀ’ ଶବ୍ଦ ହିଁ ସ୍ପଷ୍ଟ କରୁଛି ଯେ ବିରୋଧର ଏତେ ବଡ଼ ଝଡ଼ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀଙ୍କ ପଛରେ ପାହାଡ଼ ଭଳି ଠିଆ ହୋଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଘେରିବାକୁ ସୁଯୋଗ ହାତଛଡ଼ା କରିନାହାନ୍ତି। ନିଟ୍ ବିବାଦ ଯୋଗୁଁ ଆତ୍ମହତ୍ୟା କରିଥିବା ୧୪ ଜଣ ସାଂଘାତିକ ପରିସ୍ଥିତିର ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ସେୟାର କରି ରାହୁଲ ପ୍ରଶ୍ନ କରିଛନ୍ତି, “ପ୍ରଧାନମନ୍ତ୍ରୀ ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରୁଥିଲେ, ସେତେବେଳେ କଣ ଏହି ମୃତ ପିଲାମାନଙ୍କ କଥା ତାଙ୍କ ମନକୁ ଟିକିଏ ବି ଆସିଲାନି?”

ଦିଲ୍ଲୀରେ ଛାତ୍ର ସଂଗଠନମାନେ “ହାପି ବାର୍ଥଡେ, ପ୍ଲିଜ୍ ରେଜାଇନ୍”ର ପ୍ଲାକାର୍ଡ ଧରି ଅଭିନବ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଏହି ସମର୍ଥନ ଶିକ୍ଷାମନ୍ତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ତେବେ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ବିରୋଧୀ ଏହି ମୁଦ୍ଦାକୁ ନେଇ ସରକାରଙ୍କୁ ଅଣନିଶ୍ୱାସୀ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ମୋଦିଙ୍କ ଏହି ନୂଆ ଚାଲ୍ ବିରୋଧୀଙ୍କ ରଣନୀତିକୁ କେତେଦୂର ପ୍ରଭାବିତ କରୁଛି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.