Latest Odisha News

BREAKING NEWS

ଲୋହଗଡ଼ ଦୁର୍ଗର ସେହି ରହସ୍ୟମୟ ୪୦୦ ଫୁଟ୍‌ର ଖାଇ: ପ୍ରେମିକ ସହ ମିଶି ଭାବି ସ୍ୱାମୀକୁ ଠେଲି ଦେଇଥିବା ସିୟା କାନ୍ଦି କାନ୍ଦି ଦେଖାଇଲା ଡେମୋ

ପୁଣେ: ଯେଉଁ ହାତରେ ସେ ମେହେନ୍ଦୀ ପିନ୍ଧି ସାତଫେରା ନେବାକୁ ପ୍ରସ୍ତୁତ ହେଉଥିଲେ, ସେହି ହାତରେ ସେ ନିଜ ଭାବି ସ୍ୱାମୀଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ। ପୁଣେର ଜଣାଶୁଣା ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ପ୍ରଥମେ ସମସ୍ତେ ଏକ ଦୁର୍ଘଟଣା ବୋଲି ଭାବିଥିଲେ। କିନ୍ତୁ ଯେତେବେଳେ ୨୦ ବର୍ଷୀୟା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କ ମୋବାଇଲ ଫୋନ୍ ଘାଣ୍ଟିଲା ପୋଲିସ, ସେତେବେଳେ ପାଦ ତଳୁ ମାଟି ଖସିଗଲା।

ରବିବାର ସକାଳ ଠିକ୍ ୬.୩୦ ମିନିଟ୍‌ରେ ପୋଲିସ ଅଭିଯୁକ୍ତ ସିୟାକୁ ଧରି ଲୋହଗଡ଼ ଦୁର୍ଗର ସେହି ଭୟାନକ ପାହାଡ଼ ଉପରେ ପହଞ୍ଚିଥିଲା, ଯେଉଁଠାରୁ ଜୁନ୍ ୧୮ ତାରିଖରେ କେତନଙ୍କୁ ୪୦୦ ଫୁଟ୍ ତଳକୁ ଫିଙ୍ଗି ଦିଆଯାଇଥିଲା। ଏକ କୃତ୍ରିମ ପୁତଳା (ମାନେକିନ୍) ବ୍ୟବହାର କରି ପୋଲିସ ଯେତେବେଳେ ସେହି ଦୃଶ୍ୟର ପୁନରାବୃତ୍ତି କଲା, ସେତେବେଳେ ସ୍ପଷ୍ଟ ହୋଇଗଲା ଯେ ଏହା କୌଣସି ଦୁର୍ଘଟଣା ନଥିଲା, ବରଂ ଥିଲା ଏକ କ୍ରୂର ସୁଚିନ୍ତିତ ହତ୍ୟାକାଣ୍ଡ।

ସମାଜରେ ପରିବାରର ସମ୍ମାନ ରକ୍ଷା କରିବା ନାଁରେ ଜଣେ ନିଷ୍ପାପ ଯୁବକର ଜୀବନ ନେବାକୁ ସାମାନ୍ୟତମ କୁଣ୍ଠାବୋଧ କରିନଥିଲା ସିୟା। ପୋଲିସ ଆଗରେ ସେ ସ୍ୱୀକାର କରିଛି ଯେ ସେ କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲା, କିନ୍ତୁ ନିର୍ବନ୍ଧ ସରିଯାଇଥିବାରୁ ବାହାଘର ଭାଙ୍ଗିଲେ ପରିବାରର ବଦନାମ ହେବ ବୋଲି ସେ ଭୟ କରୁଥିଲା। ଏହି ବଦନାମୀରୁ ବଞ୍ଚିବା ପାଇଁ ସେ ଏବଂ ତାଙ୍କ ପ୍ରେମିକ ଚେତନ ମିଶି ଗୁଗଲ ଏବଂ ୟୁଟ୍ୟୁବ୍‌ରେ ‘ମଣିଷ ମାରିବାର ସହଜ ଉପାୟ’ ଖୋଜିବା ଆରମ୍ଭ କରିଥିଲେ। ବିଷ ଦେଇ ମାରିବା ଠାରୁ ଆରମ୍ଭ କରି ଅନେକ ଉପାୟ ଖୋଜିବା ପରେ ଶେଷରେ ସେମାନେ ଟ୍ରେକିଂ ବାହାନାରେ ପାହାଡ଼ରୁ ଠେଲି ଦେଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଫଟୋସୁଟ୍ ବାହାନା ଏବଂ ସେହି ସନ୍ଦେହଜନକ ‘ହୁଡି’:
ପୂର୍ବରୁ କେତନଙ୍କ ପାସପୋର୍ଟ ଚିରି ବାଲି ଯାତ୍ରା ଫ୍ଲପ୍ କରିଥିବା ସିୟା, ଗତ ଜୁନ୍ ୧୮ରେ ପ୍ରି-ୱେଡିଂ ଫଟୋସୁଟ୍ ବାହାନାରେ ତାଙ୍କୁ ଲୋହଗଡ଼ ଦୁର୍ଗକୁ ଡାକିଥିଲା। ସେହି ପ୍ରଚଣ୍ଡ ଖରାରେ ଜଣେ ଯୁବକ ମୁହଁରେ କଳା କାପୁଡ଼ା (ହୁଡି) ବାନ୍ଧି ସେମାନଙ୍କ ପିଛା କରୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସେହି ସନ୍ଦେହଜନକ ଯୁବକ ଜଣକ ଥିଲା ସିୟାର ପ୍ରେମିକ ଚେତନ। ପାହାଡ଼ ଉପରେ ସୁଯୋଗ ଦେଖି ଚେତନ ଏବଂ ସିୟା ମିଶି କେତନଙ୍କୁ ତଳକୁ ଠେଲି ଦେଇଥିଲେ। ଏହାପରେ ସିୟା ନିଜେ କାନ୍ଦି କାନ୍ଦି ଲୋକଙ୍କୁ ଏହା ଏକ ଫଟୋ ଉଠାଇବା ବେଳର ଦୁର୍ଘଟଣା ବୋଲି କହିଥିଲା ଏବଂ ପରଦିନ ଇନଷ୍ଟାଗ୍ରାମରେ କେତନଙ୍କ ପାଇଁ ଏକ ଭାବପ୍ରବଣ ଭିଡିଓ ପୋଷ୍ଟ କରି ସମସ୍ତଙ୍କ ସହାନୁଭୂତି ସାଉଁଟିବାକୁ ଚେଷ୍ଟା କରିଥିଲା।

ପୋଲିସ ଏହି ଦୁଇ ପ୍ରେମୀଯୁଗଳଙ୍କ ମଧ୍ୟରେ ହୋଇଥିବା ପ୍ରାୟ ୨୦୦୦ରୁ ଅଧିକ କଲ୍ ରେକର୍ଡ ଏବଂ ଡିଜିଟାଲ ପ୍ରମାଣ ଜବତ କରିଛି। ମହାରାଷ୍ଟ୍ର ସରକାର ଏହି ହାଇପ୍ରୋଫାଇଲ୍ ମାମଲାକୁ ଫାଷ୍ଟ-ଟ୍ରାକ୍ କୋର୍ଟରେ ଚଲାଇବାକୁ ନିର୍ଦ୍ଦେଶ ଦେବା ସହ ପ୍ରସିଦ୍ଧ ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କୁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ନିଯୁକ୍ତ କରିଛନ୍ତି। ରବିବାର ପୋଲିସ ଚେତନର ବାଇକ୍ ଏବଂ ବ୍ୟବହୃତ ପୋଷାକ ଜବତ କରିବା ସହ ଉଭୟଙ୍କୁ ପୃଥକ ଭାବେ ପାହାଡ଼କୁ ନେଇ ସମଗ୍ର ଘଟଣାର ରହସ୍ୟ ଉନ୍ମୋଚନ କରିଛି।

Leave A Reply

Your email address will not be published.