Latest Odisha News

BREAKING NEWS

ବିରୋଧୀଙ୍କ ତୀବ୍ର ସମାଲୋଚନା ବେଳେ ଇଡିର ପିଠି ଥାପୁଡାଇଲେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଘରୋଇ ଟିଭି ଚ୍ୟାନେଲ ଏସିଆନେଟକୁ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ଯେତେବେଳେ ବିରୋଧୀ ଇଡି, ସିବିଆଇର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ କଡା ସମାଲୋଚନା କରୁଛନ୍ତି ସେହି ସମୟରେ ପ୍ରଧାନମମନ୍ତ୍ରୀ ଏକ ପରିସଂଖ୍ୟାନ କହିଛନ୍ତି ସଂପୃକ୍ତ ସାକ୍ଷାତକାରରେ ଏବଂ କିଭଳି ଇଡି ତାଙ୍କ ସରକାରରେ ସକ୍ରିୟ ହୋଇ ନିଜର କାମ କରୁଛି ବୋଲି ଦର୍ଶାଇଛନ୍ତି।

୨୦୧୪ ପରଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ସେ କହିଛନ୍ତି ଯେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅଧୀନରେ ୧,୮୦୦ରୁ କମ୍ ମାମଲା ରୁଜୁ କରିଥିଲା। ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା ୫,୦୦୦ରୁ ଅଧିକ ହୋଇଛି।

ବିରୋଧୀ ଦଳଗୁଡ଼ିକର ସମାଲୋଚନାକୁ ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇଡିର ଦୁର୍ନୀତି ମାମଲାର ଏକ ଛୋଟ ଅଂଶ ରାଜନୈତିକ ବ୍ୟକ୍ତିତ୍ୱଙ୍କ ସହ ଜଡ଼ିତ। ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ହୋଇ ତଦନ୍ତକାରୀ ଏଜେନ୍ସି ଗୁଡ଼ିକୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

୨୦୧୪ରୁ ତାଙ୍କ କାର୍ଯ୍ୟକାଳକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଆଶା ପୂରଣ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପଶ୍ଚିମ ଏସିଆ ସହ ଭାରତର ସମ୍ପର୍କକୁ ଅବହେଳା କରିଥିବାରୁ ସେ ପୂର୍ବ ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି, ଯାହା ବର୍ତ୍ତମାନ ଏକ ବହୁମୁଖୀ ଭାଗିଦାରୀରେ ପରିଣତ ହୋଇଛି ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିରୋଧୀ ଅଭିଯୋଗ କରୁଛନ୍ତି ଯେ, କେନ୍ଦ୍ର ସରକାର ବିରୋଧୀଙ୍କ ସ୍ବର ଚପାଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର କରୁଛନ୍ତି। ଏପରି ଡରାଇ ଧମକାଇ ଅନେକ ବିରୋଧୀ ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି ଏବଂ ଯେଉଁମାନେ ସାଲିସ କରୁନାହାନ୍ତି ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଉଛି।

Leave A Reply

Your email address will not be published.