ଭୁବନେଶ୍ୱର: ରାଜ୍ୟରେ ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’କୁ ଅଧିକ ସଫଳ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଘର ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ବା ରୁଫଟପ୍ ସୋଲାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।
ସୋଲାର ପ୍ୟାନେଲ ସ୍ଥାପନ ଏବଂ ଏହାର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କ ଚାହିଦା ବଢ଼ୁଛି। ଏହି ଦାୟିତ୍ୱକୁ ସମ୍ଭାଳିବା ପାଇଁ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ସ୍ୱତନ୍ତ୍ର ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।
ଶକ୍ତି ବିଭାଗର ସୁପାରିସ କ୍ରମେ, ଆଇଟିଆଇରେ ପାଠପଢୁଥିବା ତଥା ପାସ୍ କରିସାରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ସମ୍ପର୍କରେ ସବିଶେଷ ଅବଗତ କରାଯିବ। ସେମାନଙ୍କୁ ସୋଲାର ଭେଣ୍ଡର ଭାବେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯିବ। ଏହାଦ୍ୱାରା ଦକ୍ଷ କର୍ମଚାରୀଙ୍କ ଅଭାବ ଦୂର ହେବା ସହ ଯୁବକଯୁବତୀଙ୍କ ପାଇଁ ରୋଜଗାରର ନୂଆ ବାଟ ଖୋଲିବ।
କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଅଧୀନରେ ଦେଶବ୍ୟାପୀ ଏକ କୋଟି ପରିବାରକୁ ସୌର ଶକ୍ତି ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ତିନି ଲକ୍ଷ ପରିବାରରେ ରୁଫଟପ୍ ସୋଲାର ସ୍ଥାପନ କରିବା ପାଇଁ ଟାର୍ଗେଟ୍ ରହିଛି। ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ଦେଶରେ ସର୍ବାଧିକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
Comments are closed.