କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କ ବିବାଦୀୟ ମାମଲା । ସରପଞ୍ଚଙ୍କ ଉପରେ ହୋଇଥିବା ନିର୍ଯାତନାକୁ ବିରୋଧ କରି ରାଜ୍ୟ ମାନବାଧିକାର ଆୟୋଗ (ଓଏଚଆରସି) ଙ୍କ ନିକଟରେ ଦାଏର କରାଯାଇଛି ଏକ ସଙ୍ଗୀନ ମାମଲା ।
ମାନବାଧିକାର ଆୟୋଗରେ ହୋଇଥିବା ଅଭିଯୋଗ ଅନୁସାରେ, ଜଣେ ମହିଳା ସରପଞ୍ଚଙ୍କୁ ମହାକାଳପଡ଼ା ବିଡିଓ, ଥାନା ଅଧିକାରୀ (ଆଇଆଇସି), ବ୍ଲକ କର୍ମଚାରୀ ଏବଂ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ସଂଘବଦ୍ଧ ଭାବେ ଅତ୍ୟାଚାର କରିଛନ୍ତି । ତାଙ୍କ ସହ ଅଭଦ୍ର ବ୍ୟବହାର କରିବା, ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା କେସ୍ ଲଦିଦେବା ଏବଂ ବିନା ଦୋଷରେ ମାଡ଼ ମାରିବା ଭଳି ସାଂଘାତିକ ମାନବାଧିକାର ଉଲ୍ଲଂଘନ କରାଯାଇଥିବା ଦର୍ଶାଯାଇଛି ।
ସଂଗଠନ ପକ୍ଷରୁ ଓଏଚଆରସିରେ ଦାଏର ହୋଇଥିବା ମାମଲାରେ ସ୍ୱଚ୍ଛ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଦାବି ଗୁଡିକ ହେଲା, ସତ୍ୟାସତ୍ୟ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ସାର୍ବଜନୀନ ହେଉ, ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟଗ୍ରହଣ କରାଯାଉ । ୭ ଦିନରେ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ ଟିମ୍ ଗଠନ କରି ଏହି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ଅନୁସନ୍ଧାନ କରନ୍ତୁ । ବିଡିଓ ଏବଂ ଥାନା ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି ମାନବାଧିକାର କ୍ଷୁଣ୍ଣ କରିଥିବାରୁ, ପୀଡ଼ିତା ମହିଳା ସରପଞ୍ଚ ଚମେଲି ଓଝାଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ତାଙ୍କ ସାନଭାଇକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରାଯାଇଛି ।
