Latest Odisha News

BREAKING NEWS

ଆଠଗଡ ବନ ବିଭାଗ ହେପାଜତ ମୃତ୍ୟୁ ଘଟଣା, ଗିରଫ ୬ ବନ କର୍ମଚାରୀ ହେବେ ନିଲମ୍ବିତ

କଟକ: ହାତୀ ହତ୍ୟାକାରୀ ଭାବି ଜେରା କରିବା ବେଳେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ବନକର୍ମଚାରୀ ଚାକିରିରୁ ନିଲମ୍ବନ କରାଯିବ। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବିତ ହେବେ। ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି।

ରେଞ୍ଜରଙ୍କୁ ଛାଡି ଅନ୍ୟ ୬ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ନିଲମ୍ବନ କରିବେ ଡିଏଫଓ। ରେଞ୍ଜରଙ୍କ ନିଲମ୍ବନ ପାଇଁ ବନ ବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ଡି ଏଫଓ।

ଉଲ୍ଲେଖଯୋଗ୍ୟ, ବଡମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ ଜଣ ବନ ବିଭାଗର ଅଧିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ରବିବାର ବନ ବିଭାଗର ଅଧିକାରୀମାନେ ଏକ ହାତୀ ହତ୍ୟା ଘଟଣାରେ ଉଠାଇ ଆଣି ନିଜ ହେପାଜତରେ ରଖିଥିଲେ। ଜେରା କରିବା ସମୟରେ ମାଡ ମାରିବାରୁ ଧନେଶ୍ବରଙ୍କର ମୃତ୍ୟୁ ଘଟିଛି। ଏହାପରେ ରେଞ୍ଜର ଏବେ ଅଡୁଆରେ ପଡିଛନ୍ତି। ପୋଲିସ ୬ ଜଣଙ୍କୁ ଦୁଇ ଦିନ ଧରି ଜେରା କରିବା ପରେ ଗିରଫ କରିଛି। ଆହୁରି ୮ ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏସଡିପିଓ ବିଶି କହିଛନ୍ତି, ଡିଏଫଓଙ୍କ ଭୂମିକା ସନ୍ଦେହ ପରିସରଭୁକ୍ତ ଥିବାରୁ ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ।

ତେବେ ହାତୀର ଦାନ୍ତରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱର ନାମରେ ପୂର୍ବରୁ ଅନେକ ମାମଲା ରହିଛି। ହେଲେ ତଦନ୍ତ ଚାଲିଥିବା ମାମଲାରେ ତାଙ୍କର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ ବୋଲି ଜଣାପଡ଼ିଛି।

ଧନେଶ୍ୱରଙ୍କ ପତ୍ନୀ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ଆଠଗଡ଼ ଡିଏଫଓ, ବଡମ୍ବା ରେଞ୍ଜ ଅଧିକାରୀ, ଏସିଏଫ ଏବଂ ଅନ୍ୟ ବନ ବିଭାଗର କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ଏଫଆଇଆର ରୁଜୁ କରି ତଦନ୍ତ କରୁଛି।

 

Leave A Reply

Your email address will not be published.