Latest Odisha News

BREAKING NEWS

ଚିଲିକା: ଏବେବି ହ୍ରଦରେ ଚାଲିଛି ବିଦେଶାଗତ ପକ୍ଷୀ ଶିକାର

ବାଲୁଗାଁ: ଚିଲିକାରେ ଏବେବି ଚାଲିଛି ଅବାଧ ପକ୍ଷୀ ଶୀକାର । ଏହି ହଜାର ହଜାର ସଂଖାର ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ପକ୍ଷୀ ଶିକାରୀଙ୍କ ଦ୍ୱାରା ଏହି ବିଦେଶୀ ପକ୍ଷୀଙ୍କ ଶିକାର ହେବା ଅଭିଯୋଗ ହେଉଛି ।

ଗତ ଏକମାସ ମଧ୍ୟରେ ଟାଙ୍ଗୀ ଫରେଷ୍ଟ ରେଞ୍ଜ କର୍ମୀମାନେ ଅନେକ ମୃତ ବିଦେଶାଗତ ପକ୍ଷୀ ଉଦ୍ଧାର କରିବା ସହିତ ୧୧ ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛନ୍ତି ।

“ ଏପର୍ଯ୍ୟନ୍ତ ଏନେଇ ଆମେ ୯ଟି ମାମଲା ରୁଜୁ କରିବା ସହିତ ୧୧ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରିପାରିଛୁ । ସେମାନଙ୍କୁ ମଧ୍ୟ ଏହି ଅଭିଯୋଗରେ କୋର୍ଟକୁ ଚାଲାଣ କରାଯାଇସାରିଛି । ଆମେ ୫୫ଟି ମୃତ ବିଦେଶାଗତ ପକ୍ଷୀ, ୪ଟି ମୋଟର ସାଇକେଲ, ଗୋଟିଏ ଦେଶୀ ରାଇଫଲ ସହିତ ଏକ ଦେଶୀ ଡ଼ଙ୍ଗା ଜବତ କରିଛୁ,” ବୋଲି କହିଛନ୍ତି ଟାଙ୍ଗୀ ଫରେଷ୍ଟ ରେଞ୍ଜର ରେଞ୍ଜର୍ ସୁବାସ ଚନ୍ଦ୍ର ବେହେରା ।

“ଆମେ ଏହି ପକ୍ଷୀ ଗୁଡ଼ିକୁ ରାଇଫଲ ଦ୍ୱାରା ନ’ହେଲେ ବିଷ ପ୍ରୟୋଗ କରି ଶିକାର କରିଥାଉ,” ବୋଲି ଗିରଫ ହୋଇଥିବା ଭାସ୍କର ବେହେରା ନାମକ ଜଣେ ଅଭିଯୁକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏହି ବିଦେଶାଗତ ପକ୍ଷୀମାନେ ସୁଦୂର ସାଇବେରିଆ, ମାଲେସିଆ ଏବଂ ମଙ୍ଗୋଲିଆ ଦେଶରୁ ଶୀତ ଦିନରେ ହଜାର ହଜାର ସଂଖ୍ୟାରେ ଆସିଥାଆନ୍ତି । ଏହି ବିଦେଶାଗତ ପକ୍ଷୀ ମାନଙ୍କ ସୁରକ୍ଷା ଲାଗି ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଚିଲିକା ହ୍ରଦର ୨୧ଟି ସ୍ଥାନରେ ବେସ୍ କ୍ୟାମ୍ପ ପ୍ରତିଷ୍ଠା କରିବା ସହିତ ବିଭିନ୍ନ ସ୍ଥାନରେ ରାତି ଦିନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହା ସତ୍ତେ୍ୱ ଶିକାରୀମାନେ ଅବାଧରେ ପକ୍ଷୀ ଶିକାର କରିଚାଲିଛନ୍ତି ।

“ଚିଲିକାର ମଙ୍ଗଳାଯୋଡ଼ିରେ କୌଣସି ପ୍ରକାର ପକ୍ଷୀ ଶିକାର ହୋଇନାହିଁ । ମାତ୍ର ଏହାର ଆଖପାଖ ଅଞ୍ଚଳରେ ପକ୍ଷୀ ଶିକାର ଚାଲିଛି । ଏଠାରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସଂଖ୍ୟା ଖୁବ କମ୍ ଥିବା ହେତୁ ବିଶାଳ ଚିଲିକା ହ୍ରଦର ସମସ୍ତ ସ୍ଥାନ ଗୁଡ଼ିକରେ ସୁରକ୍ଷା ଦେବା ସମ୍ଭବ ହୋଇପାରୁନାହିଁ,” ବୋଲି କହିଛନ୍ତି ‘ପକ୍ଷୀ ସୁରକ୍ଷା ସମିତି’ର ସଦସ୍ୟ ଜୟକୃଷ୍ଣ ବେହେରା ।

Leave A Reply

Your email address will not be published.