Latest Odisha News

୫ ଲକ୍ଷ ନୂଆ ମଧୁବାବୁ ପେନସନ୍, ୪୦ ହଜାର କଳାକାର ଭତ୍ତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାରେ ଆସନ୍ତା ଡିସେମ୍ବର ୧୫ ତାରିଖରୁ ରାଜ୍ୟରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୪୦ ହଜାର କଳାକାରଙ୍କୁ ଚଳିତ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଉଭୟ ‘ମଧୁବାବୁ ପେନସନ୍ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ର ହିତାଧିକାରୀମାନଙ୍କୁ ପ୍ରତି ମାସ ୧୫ ତାରିଖରରୁ ୨୦ ତାରିଖ ପର‌୍ୟ୍ୟନ୍ତ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭତ୍ତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ୟାମ୍ପ ଆୟୋଜନରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନଙ୍କ ସହାୟତା ନିଆଯିବ।

ଏହି କାର୍ଯ୍ୟକ୍ରମ ପ୍ରତି ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଆୟୋଜନ କରାଯିବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ସଶକ୍ତ ହେବା ସହିତ ପ୍ରଶାସନ ଅଧିକ ଉତ୍ତରଦାୟୀ ହେବ ଏବଂ କାର୍ଯ୍ୟକ୍ରମର ସ୍ୱଚ୍ଛତା ବୃଦ୍ଧି ପାଇବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.