ନୂଆଦିଲ୍ଲୀ: କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କିଛି ଲୋକ ଏହାର ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି । ତେବେ କଥା ଉଠୁଛି ଭାରତ ଅଧୀନରେ ଥିବା କାଶ୍ମୀରର ସ୍ୱାଧୀନତା ପାଇଁ ଏତେ ନାରାବାଜି କାହିଁକି? କାହିଁକି କେବେ ପାକିସ୍ତାନ ଅଧୀକୃତ କାଶ୍ମୀରର (ପିଓକେ) ସ୍ଵାଧୀନତା ନେଇ ପ୍ରଶ୍ନ ଉଠୁନାହିଁ । କଣ ପିଓକେ ସ୍ୱାଧୀନ? ଏହା କଣ ଭାରତର ଅଙ୍ଗ ନୁହେଁ ? କଣ ରହିଛି କାଶ୍ମୀରର ସମ୍ପୂର୍ଣ୍ଣ ଇତିହାସ ? କଣ ରହିଛି ପାକିସ୍ତାନ ଅଧୀକୃତ କାଶ୍ମୀରର ସତ୍ୟତା ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଜମ୍ମୁ-କାଶ୍ମୀରର ପରିସୀମା ୨୨୨୨୩୬ ବର୍ଗ କିଲୋମିଟର । ଏଥିରୁ ଅଧା ମାନେ ପାଖପାଖି ୧ ଲକ୍ଷ ୨୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ପାକିସ୍ତାନ ଓ ଚୀନର କବଜାରେ ରହିଛି । ଏହାର ବାକି ଅଞ୍ଚଳ ଭାରତର ନିୟନ୍ତ୍ରଣ ମଧ୍ୟରେ ରହିଛି । ଏହାର ଅର୍ଥ ଭାରତ ପୂର୍ବରୁ ହିଁ ଅଧା କାଶ୍ମୀର ହରାଇ ସାରିଛି ।
କାଶ୍ମୀର ସହ ଜଡିତ ସମସ୍ୟାର ମୂଳ ୧୯୪୭ ମସିହାରୁ ସ୍ୱାଧୀନତା ସମୟରୁ ହିଁ ଆରମ୍ଭ । ଅକ୍ଟୋବର ୧୯୪୭ରେ କାଶ୍ମୀରରେ କବଜା କରିବା ପାଇଁ ପାକିସ୍ତାନ ନିଜ ଆକ୍ରମଣକାରୀଙ୍କୁ ଏଠାକୁ ପଠାଇଥିଲା । ସେ ସମୟରେ କାଶ୍ମୀରରେ ମହାରାଜା ହରି ସିଂ ଶାସନ କରୁଥିଲେ । ଯିଏକି ଜଣେ ହିନ୍ଦୁ ଶାସକ ଥିଲେ।
୨୬ ଅକ୍ଟୋବର ୧୯୪୭ ରେ ରାଜା ହରି ସିଂ ନିଜ ସାମ୍ରାଜ୍ୟ ଜମ୍ମୁ-କାଶ୍ମୀରକୁ ଭାରତରେ ବିଲୟ କରିବା ପାଇଁ ବିଲୟ ପତ୍ରରେ ଦସ୍ତଖତ କରିଥିଲେ । ଏହାର ଅର୍ଥ ଜମ୍ମୁ-କାଶ୍ମୀର ମିଶ୍ରଣ ଭାରତ ସହ ସେହେପରି ହୋଇଛି, ଯେପରି ଅନ୍ୟ ସବୁ ରାଜ୍ୟ ଗୁଡିକର ହୋଇଥିଲା । ଯାହା ସମ୍ପୁର୍ଣ୍ଣ ଭାବେ ଆଇନି ସମ୍ମତ ଓ ମାନ୍ୟତାପ୍ରାପ୍ତ ଅଟେ ।
କିନ୍ତୁ ପାକିସ୍ତାନ ସାହାଯ୍ୟରେ କାଶ୍ମୀରରେ ପ୍ରବେଶ କରିଥିବା ଆକ୍ରମଣକାରୀ ପଛକୁ ହଟୁନଥିଲେ । ସେମାନଙ୍କୁ ସେଠାରୁ ହଟାଇବା ପାଇଁ ଭାରତୀୟ ସେନାକୁ ସେଠାକୁ ପଠାଗଲା।
ଏହାପରେ ୨ ନଭେମ୍ବର ୧୯୪୭ରେ “ଅଲ ଇଣ୍ଡିଆ” ରେଡ଼ିଓ ମାଧ୍ୟମରେ ସେତେବେଳର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହୁରୁ ଘୋଷଣା କଲେ ଯେ ପାକିସ୍ତାନର ଭବିଷ୍ୟତ ଏଠାକାର ବାସିନ୍ଦାଙ୍କ ଇଛା ଆନୁସାରେ ହିଁ ଧାର୍ଯ୍ୟ କରାଯିବ । ଯୁକ୍ତରାଷ୍ଟ୍ର ଭଳି କିଛି ଅନ୍ତରାଷ୍ଟ୍ରୀୟ ସଂସ୍ଥାର ସାହାଯ୍ୟରେ ହିଁ କାଶ୍ମୀରରେ ଜନମତ ସଂଗ୍ରହ କରାଯିବ ବୋଲି ଘୋଷଣା ହେଲା ।
୧ ଜାନୁଆରୀ ୧୯୪୮ରେ ଭାରତ ୟୁନାଇଟେଡ଼ ନେସନ ସିକ୍ୟୁରିଟି କାଉନସିଲ (ୟୁଏନଏସସି)ରେ ପହଞ୍ଚିଥିଲା । ୟୁଏନଏସସି କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲା ।
ୟୁଏନଏସସି ଅଗଷ୍ଟ୧୩ ରେ କାଶ୍ମୀର ବିବାଦ ଉପରେ ଏକ ବିଲ ପାରିତ କରିଥିଲା। ଯାହା ବିଷୟରେ କାଶ୍ମୀରଲୋକଙ୍କ ସମେତ ପ୍ରତିଟି ଭାରତୀୟ ଅବଗତ ହେବା ନିହାତି ଆବଶ୍ୟକ ।
ୟୁଏନଏସସି ପରିଷଦ ଦ୍ୱାରା ପାରିତ ହୋଇଥିବା ଏହି ବିଲରେ କଣ ସବୁ ଲେଖାଅଛି ଆସନ୍ତୁ ଗୋଟି ଗୋଟି କରି ଜାଣିବା । ଏହି ରିଜୋଲ୍ୟୁସନରେ ସଫାସଫା ଲେଖା ଅଛି ଯେ,
-ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରର ସୁରକ୍ଷାର ଦାୟିତ୍ଵ ଭାରତର ଅଟେ । ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀର ମଧ୍ୟରେ ‘ପିଓକେ’ ମାନେ ପାକିସ୍ତାନ ଅଧିକୃତ କଶ୍ମୀର ଓ ଚୀନର କବଜାରେ ଥିବା କଶ୍ମୀରର ଅଂଶ ମଧ୍ୟ ସାମିଲ ରହିଛି ।
-ଏହି ରିଜୋଲ୍ୟୁସନରେ ଏହା ମଧ୍ୟ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରର ପ୍ରଭୁତ୍ୱ ଉପରେ କୌଣସି ପ୍ରଶ୍ନବଚୀ ସୃଷ୍ଟି ନହେବା ଦରକାର । ଜମ୍ମୁ-କାଶ୍ମୀର ଭାରତର ହିଁ ଏକ ଅଙ୍ଗ ବୋଲି ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି।
-ଆହୁରି ମଧ୍ୟ ଏଥିରେ ଲେଖା ଯାଇଛି ତଥାକଥିତ “ଆଜାଦ କାଶ୍ମୀର”କୁ କୌଣସି ମାନ୍ୟତା ଦିଆଯିବ ନାହିଁ, କିନ୍ତୁ ଆଜି ମଧ୍ୟ ପାକିସ୍ତାନ ନିଜ କବଜାରେ ଥିବା କାଶ୍ମୀରକୁ “ଆଜାଦ କାଶ୍ମୀର” ବୋଲି ସମ୍ବୋଧନ କରୁଛି ।
-ପାକିସ୍ତାନ କବଜାରେ ଥିବା ଅଞ୍ଚଳକୁ ଜମ୍ମୁ-କାଶ୍ମୀର ବିରୋଧରେ ବ୍ୟବହାର ନକରିବାକୁ ଏହି ରିଜୋଲ୍ୟୁସନରେ ଉଲ୍ଲେଖ ରହିଛି । ଏହାକୁ ଅମାନ୍ୟ କରି ପାକିସ୍ତାନ ଆଜିବି ପିଓକେ ଠାରେ ଆତଙ୍କବାଦୀଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରି ଭାରତ ସହ ଜମ୍ମୁ-କାଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଉଛି।
-ଆହୁରି ମଧ୍ୟ ଉତ୍ତର କାଶ୍ମୀରରେ ଖାଲି କରାଯାଇଥିବା ଅଂଶକୁ ପୁନର୍ବାର ଜମ୍ମୁ-କାଶ୍ମୀରକୁ ଫେରାଇ ଦେବା ସହ ଏହାର ସୁରକ୍ଷାର ଦାୟିତ୍ବ ଭାରତକୁ ଦିଆଯିବା କଥା ଏହା ରିଜୋଲ୍ୟୁସନରେ ଲେଖା ଅଛି । ଏହି କାମ ମଧ୍ୟ ପାକିସ୍ତାନ ଆଜି ପର୍ଯ୍ୟନ୍ତ କରିନାହିଁ ।
-କଶ୍ମୀରର ସୁରକ୍ଷା ସହ ଆତଙ୍କବାଦ ଦମନ ଓ ବ୍ୟାପାରିକ ରାସ୍ତାର ସୁରକ୍ଷା କ୍ଷେତ୍ରରେ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିବ ବୋଲି ରିଜୋଲ୍ୟୁସନରେ ଉଲ୍ଲେଖ କରାଯାଇଛି ।
-ରିଜୋଲ୍ୟୁସନରେ ଏହି କଥା ଉପରେ ମଧ୍ୟ ଜୋର ଦିଆଯାଇଛି ଯେ ପାକିସ୍ତାନ ଜମ୍ମୁ-କାଶ୍ମୀରର କୌଣସି ବି ମାମଲାରେ ହସ୍ତକ୍ଷେପ କରିପାରିବ ନାହିଁ ।
-ଏହି ରିଜୋଲ୍ୟୁସନ ଅନୁସାରେ ଯେପର୍ଯ୍ୟନ୍ତ ପାକିସ୍ତାନ କାଶ୍ମୀରରେ “ସିଜ ଫାୟାର” କରିବା ଆରମ୍ଭ ନକରିଛି ଓ ତାସହ ପିଓକେରୁ ନିଜ କବଜା ନହଟେଇଛି ସେପର୍ଯ୍ୟନ୍ତ ଭାରତକୁ ଏଠାରେ ଜନମତ ସଂଗ୍ରହ କରିବା ଆବଶ୍ୟକ ନାହିଁ ।
କିନ୍ତୁ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଏହି ରିଜୋଲ୍ୟୁସନର କୌଣସି କଥାକୁ ମାନି ନାହିଁ ।
ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତୀୟ ସେନା ତାର ନିଜ ଦମ୍ଭରେ ପାକିସ୍ତାନ ଅଧୀକୃତ କାଶ୍ମୀରରୁ ପାକିସ୍ତାନୀ ସେନାକୁ ପଛକୁ କରିବାକୁ ଚେଷ୍ଟା ଆରମ୍ଭ କରିଥିଲା । ଭାରତୀୟ ସେନା କାଶ୍ମୀରର ସଂପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାରେ ସକ୍ଷମ ହେବା ଆଗରୁ ପଣ୍ଡିତ ନେହେରୁ ଏହି ଘଟଣାକୁ ନେଇ ‘ୟୁଏନଏସସି’ ପହଞ୍ଚିଯାଇଥିଲେ । ଆଉ ‘ୟୁଏନଏସସି’ କାଶ୍ମୀର ମାମଲାକୁ ନିଜ ହାତକୁ ନେଇଗଲା । ଆଉ ସେବେଠାରୁ କାଶ୍ମୀରକୁ ନେଇ ଏହି ସମସ୍ୟା ଲାଗି ରହିଛି ।
-ଏହାପରେ ୧ ଜାନୁଆରୀ ୧୯୪୯ରେ ସିଜ ଫାୟାର ଲାଇନ ଅସ୍ତିତ୍ବରେ ଆସିଲା କିନ୍ତୁ ସେ ପର୍ଯ୍ୟନ୍ତ ପାକିସ୍ତାନ କାଶ୍ମୀରର ଏକ ବଡ଼ ଅଂଶ ଉପରେ କବଜା କରି ସାରିଥିଲା । ଯାହାକୁ ଆମେ ଆଜି ପିଓକେ ନାମରେ ଜାଣିଛନ୍ତି ।
ଏହାପରେ ୧୯୬୨ରେ ଭାରତ-ଚୀନ ଯୁଦ୍ଧ ସମୟରେ ଚୀନ ଲଦାଖର ଏକ ବଡ଼ ଅଂଶକୁ କବଜା କରିନେଲା ଯାହାକୁ ଏବେ ଅକ୍ସାଇ ଚୀନ କୁହାଯାଉଛି । ଅକ୍ସାଇ ଚୀନ ଉପରେ ଆଜିବି ଚୀନର ହିଁ କବଜା ରହିଛି ।
୧୯୬୩ରେ ପାକିସ୍ତାନ ଓ ଚୀନ ମଧ୍ୟରେ ହୋଇଥିବା ଏକ ବୁଝାମଣାରେ ପାକିସ୍ତାନ ପିଓକେର ୫୧୮୦ ବର୍ଗ କିମି ଇଲାକା ବେଆଇନ ଭାବରେ ଚୀନକୁ ହସ୍ତାନ୍ତର କରିଦେଇଛି ।
୧୯୭୦ରେ ପାକିସ୍ତାନରେ ଗିଲଗିତ ଏଜେନ୍ସି ଓ ବାଲ୍ଟିସ୍ଥାନ ଜିଲ୍ଲାକୁ ମିଶାଇ ନୋର୍ଦେନ ଏରିଆ କରିଦିଆଗଲା, ଯାହାର ଏକ ବଡ଼ ଭାଗ ୧୯୬୩ରୁ ହିଁ ଚୀନର କବଜାରେ ରହିଛି । ଏହାର ଅର୍ଥ ଚୀନ-ପାକ ମିଳିତ ଭାବେ କଶ୍ମୀରର ଏହି ପୁରା ସମସ୍ୟାକୁ ରଚନା କରିଛନ୍ତି ।
କାଶ୍ମୀରକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ଇତିହାସ ଓ ତଥ୍ୟ ଆଧାରରେ କାଶ୍ମୀର ଉପରେ ପାକିସ୍ତାନର କୌଣସି ପ୍ରକାରର ଧର୍ମିକ କିମ୍ବା ଭୌଗଳିକ ଅଧିକାର ନଥିବା ସ୍ପଷ୍ଟ ହୋଇଛି ।
କାଶ୍ମୀର ପାଇଁ ସ୍ୱର ଉଠାଉଥିବା ଲୋକମାନେ କେବେବି ‘ୟୁଏନଏସସି’ର ୱେବସାଇଟକୁ ଯାଇ ଏହି ରିଜୋଲ୍ୟୁସନକୁ ପଢ଼ିବାର କଷ୍ଟ କରନ୍ତି ନାହିଁ । ସେମାନେ କାଶ୍ମୀରର ସ୍ୱାଧୀନତା ପାଇଁ କୁହନ୍ତି କିନ୍ତୁ କେବେବି ପାକିସ୍ତାନ ଅଧିକୃତ କାଶ୍ମୀରର ସ୍ୱାଧୀନତା ପାଇଁ ସ୍ୱର ଉଠାନ୍ତି ନାହିଁ। ସେମାନଙ୍କ ସ୍ୱାଧୀନ କାଶ୍ମୀରର ମୁଦ୍ଧା କେବଳ ଆମ ଦେଶ ପର୍ଯ୍ୟନ୍ତ ହିଁ ସୀମିତ ରହିଯାଇଛି ।
Comments are closed.