Latest Odisha News

BREAKING NEWS

ଥାନା ସାମନାରେ ଆତ୍ମହତ୍ୟା ଉଦ୍ୟତ ମହିଳାଙ୍କ ସମେତ ସ୍ବାମୀ ଓ ଭାଇ ନାଁରେ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସାମନାରେ ମଙ୍ଗଳବାର ରାତିରେ ଝିଲି ପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ଏହି ଘଟଣାକୁ ନେଇ ତିନି ଜଣଙ୍କ ନାଁରେ ଛତ୍ରପୁର ଥାନାରେ ଏତଲା ରୁଜୁ ହୋଇଛି।

ସେମାନେ ହେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଏବଂ ତାଙ୍କ ସ୍ବାମୀ ମୁନା ପାତ୍ର ଓ ଝିଲିଙ୍କ ଭାଇ ପୀତାମ୍ବର ପାତ୍ର। ଥାନା ୪୯୨/୨୨ ଏକ ମାମଲା ନିଜ ଆଡୁ ପୋଲିସ ରୁଜୁ କରିଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ ଡିସେମ୍ବର ୮ ତାରିଖରେ ଝିଲି ଏବଂ ମୁନା ପ୍ରେମ ବିବାହ କରିଥିଲେ। ଉଭୟଙ୍କ ୧୧ ମାସର ପୁତ୍ର ସନ୍ତାନ ରହିଛି । କିନ୍ତୁ ଏହି ବିବାହକୁ ନେଇ ମୁନାଙ୍କ ପରିବାର ଭିତରେ ଝଗଡ଼ା ଲାଗି ରହୁଥିଲା।

ପାରିବାରିକ କଳହକୁ ନେଇ ପୂର୍ବରୁ ଛତ୍ରପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଶାଶୁ ଶ୍ୱଶୁର ବୋହୂକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ଝିଲି ଅଗଷ୍ଟ ୧ ଥାନାରେ ଅଭିଯୋଗ କରିଥିଲେ । ଏନେଇ ୪୩୨/୨୨ ରେ ଏକ ମାମଲା ରୁଜୁ ହୋଇଛି ।

ସେହିପରି ଶ୍ୱଶୁର ଏମ୍‍. ଭୀମ ପାତ୍ର ବୋହୂ ଝିଲି ଓ ପୁଅ ମୁନା ନିର୍ଯାତନା ଦେଉଥିବା ନେଇ ୪ ଅଗଷ୍ଟରେ ଥାନାରେ ଅଭିଯୋଗ ଦେଇଥିବା ବେଳେ ଧାରା- ୪୩୯ ରେ ଏକ ମାମଲା ରୁଜୁ ହୋଇଥିଲା।

ମଙ୍ଗଳବାର ଛତ୍ରପୁର ଥାନା ପରିସରରେ ଉଭୟ ପକ୍ଷକୁ ରଖି ଏହାର କିପରି ସମାଧାନ ହୋଇପାରିବ ସେନେଇ ଏକ ଆଲୋଚନା ଚାଲିଥିଲା। ଏହି ସମୟରେ ଝିଲିଙ୍କ ସ୍ୱାମୀ ମୁନା ଏବଂ ତାଙ୍କ ଭାଇ ପୀତାମ୍ବର ଉଭୟ ଝିଲିକୁ ଉସୁକାଇ ଆତ୍ମହତ୍ୟା ଉଦ୍ୟମ ପାଇଁ ଯୋଜନା କରିଥିଲେ।

ଫଳରେ ଝିଲି ଥାନା ସାମନାରେ ମୂଷା ମରା ବିସ୍କୁଟ ଖାଇଥିବା ବେଳେ ପୋଲିସ ତୁରନ୍ତ ପାଟିରୁ ବିସ୍କୁଟ ଖଣ୍ଡ ବାହାର କରି ଚିକିତ୍ସା ଲାଗି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.