Latest Odisha News

BREAKING NEWS

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: କ୍ରିକେଟରେ ଦେବାଶିଷ ମହାନ୍ତିଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଗଠିତ ଚୟନ କମିଟି ପୂର୍ବତନ ଭାରତୀୟ କ୍ରିକେଟର ସ୍ପିଡଷ୍ଟାର ଦେବାଶିଷ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ‘ଆଜୀବନ ସଫଳତା’ ପାଇଁ ନାମ ସୁପାରିସ କରିଛି ।

ଦେବାଶିଷ ମହାନ୍ତି 1997 ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍ ରେ ପ୍ରଦାର୍ପଣ କରି ଭଲ ପ୍ରଦର୍ଶନ କରିଥିଲେ । ସାହାରା ‘ଫ୍ରେଣ୍ଡସିପ୍ କପ୍’ରେ ସଇଦ ଅନୱାରଙ୍କ ଉଇକେଟ ନେଇ ସେ ବେଶ ଚର୍ଚା ସୃଷ୍ଟି କରିଥିଲେ । ଦେବାଶିଷ 2001 ରେ ତାଙ୍କର ଅନ୍ତିମ ଦିନିକିଆ ମ୍ୟାଚ ଖେଳିଥିଲେ। ସେ ବର୍ତ୍ତମାନ ଜାତୀୟ ଚୟନ କମିଟିର ସଦସ୍ୟ ରହିଛନ୍ତି ।
ସେହିପରି କ୍ରୀଡା କ୍ଷେତ୍ରରେ ‘ଉଲ୍ଲେଖନୀୟ ପ୍ରଦର୍ଶନ’ ପାଇଁ ଭାରୋତ୍ତୋଳକ ଝିଲି ଦଳବେହେରା ଏବଂ ସୁଟର ଶ୍ରୀୟଙ୍କା ଷଢ଼ଙ୍ଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ । ପୂର୍ବତନ ବିଶ୍ୱ ଜୁନିଅର ବ୍ରୋଞ୍ଜ ପଦକ ବିଜେତା ଝିଲି ଗତ ବର୍ଷ ଡିସେମ୍ବରରେ କମନୱେଲଥ୍ ଭାରୋତ୍ତୋଳନ ଚାମ୍ପିଅନସିପ 2021 ରେ ବ୍ରୈାଞ୍ଜ ପଦକ ଏବଂ ଏପ୍ରିଲ 2021 ରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ମହିଳା 45 କିଲୋଗ୍ରାମ ଓଜନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ନାମ ବି ସୁପାରିସ କରାଯାଇଛି ।
ମାର୍ଚ୍ଚରେ ISSF ବିଶ୍ୱକପ୍‌ର 50 ମିଟର ରାଇଫଲ ମିଶ୍ରିତ ଦଳ ଇଭେଣ୍ଟରେ ଅଖିଳ ସେରନଙ୍କ ସହ ବ୍ରୋଞ୍ଜ ପଦକ ଜିତିଥିଲେ ଶ୍ରୀୟଙ୍କା ଷଢ଼ଙ୍ଗୀ ।
ସେହିପରି ଆଥଲେଟିକ୍ସ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କୋଚିଂରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଁ ସୁପାରିଶ କରାଯାଇଛି।


ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇବେ । ଅଗ୍ରଣୀ ଓଡିଆ ଦୈନିକ ସମାଜର ବେଣୁଧର ଦାସଙ୍କୁ କ୍ରୀଡ଼ା ସାମ୍ବାଦିକତାର ଉତ୍କର୍ଷତା ପୁରସ୍କା ପାଇଁ ନାମ ସୁପାରିଶ କରାଯାଇଛି ।


ଉଲ୍ଲେଖଯୋଗ୍ୟ, 2017 ରୁ 2021 ପର୍ଯ୍ୟନ୍ତ କୈାଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ଦିଆଯାଇ ନଥିଲା। ଏହାପୂର୍ବରୁ 19 ଜଣ କ୍ରୀଡ଼ା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।
ଏସବୁ ନାମକୁ ପୂର୍ବରୁ ଗଠିତ ହୋଇଥିବା ଚୟନ କମିଟିର ସଦସ୍ୟମାନେ ସୁପାରିସ କରିଛନ୍ତି । ଚୟନ କମିଟିରେ ଥିବା ଶୈଳେନ୍ଦ୍ର କୁମାର ଜେନା (ଓଏସ, ଯୁଗ୍ମ ସଚିବ, ରାଜ୍ୟ ସରକାର), ଅଲମ୍ବିଆନ ଅନୁରାଧା ବିଶ୍ବାଳ, ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରୀଡାବିତ୍ ମିନତୀ ମହାପାତ୍ର, ପୂର୍ବତନ ଆଥଲେଟ ବିବେକାନନ୍ଦ ତ୍ରିପାଠୀ, କ୍ରୀଡ଼ା ସାମ୍ବାଦିକ ଉମାକାନ୍ତ ମିଶ୍ର, କ୍ରୀଡ଼ା ପ୍ରଶାସକ ରବୀନ୍ଦ୍ର ପରିଡ଼ା, ଓଡ଼ିଶା ଅଲମ୍ପିକ ଆସୋସିଏସନ ସଚିବ ଅଭିଜିତ ପାଲ, ସରକାରଙ୍କ ନିକଟକୁ ପଠାଇଛନ୍ତି । ଏହାସହ କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଥିବାରୁ ‘ ସର୍ବୋତ୍ତମ ଅବଦାନ‘ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ନାମ  ସୁପାରିସ କରାଯାଇଛି ।
ଏହି ନାମଗୁଡିକ ଅନୁମୋଦନ ପାଇଁ ଓଡିଶା ସରକାରଙ୍କ ନିକଟକୁ ପଠାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ 28 ରେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିବେ।

Leave A Reply

Your email address will not be published.