Latest Odisha News

ବ୍ରହ୍ମପୁର: ବାଇକ ଓ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଇକ୍ ଓ ମୋବାଇଲ୍ ଚୋରି ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସପି କହିଛନ୍ତି ଯେ, ଗତ ୩ ତାରିଖରେ ବ୍ରହ୍ମପୁରର ୪ର୍ଥ ଲେନ, ଆଙ୍କୁଲିସ୍ଥିତ ନିଗମ ନଗରର ନାରାୟଣ ଦାସଙ୍କ ବାଇକ୍ ଚୋରି ହୋଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ହିଞ୍ଜିଳି ଥାନା ଅନ୍ତର୍ଗତ ତଲାରେଗିଡି ଗ୍ରାମର ଚନ୍ଦନ ବିଶ୍ୱାସରାୟଙ୍କୁ ଗିରଫ କରିବା ପରେ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି।

ଚନ୍ଦନ ନାରାୟଣଙ୍କ ବାଇକ୍ ଚୋରି କରିଥିବା ସ୍ୱୀକାର କରିବା ସହ ଏହି ଗ୍ୟାଙ୍ଗ ବିଷୟରେ ଖୁଲାସା କରିବା ପରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ବୈଦନାଥପୁର ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋକର୍ଣ୍ଣପୁରର ଏଲ. ଶିବା ରେଡ୍ଡୀ(୨୬), ଆଲିଆବାଦର ଉପେନ୍ଦ୍ର ନାୟକ(୨୬), କଙ୍କଡ଼ାହାଡ଼ର ଶ୍ରୀକାନ୍ତ ପାଢ଼ୀ(୩୦) ଓ ୧୭ ବର୍ଷ ବୟସର ଦୁଇ ନାବାଳକ।

ସେମାନଙ୍କ ନିକଟରୁ ବିଭିନ୍ନ ମଡେଲର ୧୩ଟି ବାଇକ୍ ଓ ୫୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରୁ ବାଇକ୍ ଓ ମୋବାଇଲ୍ ଚୋରି କରିଥିବା ସ୍ୱୀକାର କରିଛି। ଗିରଫ ବ୍ୟକ୍ତିଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଏମକେସିଜି ହସ୍ପିଟାଲରେ ମୋବାଇଲ୍ ଓ ବାଇକ୍ ଚୋରିର ଶିକାର ହେବା ପରେ ଜନସାଧାରଣଙ୍କୁ ସେମାନଙ୍କ ଚୋରି ସାମଗ୍ରୀ ପାଇବା ପାଇଁ ପ୍ରମାଣ ସ୍ୱରୂପ ପ୍ରାମାଣିକ ଦସ୍ତାବିଜ୍ ସହ ଥାନାର ଦ୍ୱାରସ୍ଥ ହେବାକୁ ଏସପି ନିବେଦନ କରିଛନ୍ତି।

Leave A Reply

Your email address will not be published.