Latest Odisha News

BREAKING NEWS

‘ଦ କଶ୍ମୀର ଫାଇଲ୍ସ’କୁ ପ୍ରୋପାଗଣ୍ଡା ଫିଲ୍ମ କହି ସମାଲୋଚନା କଲେ IFIFI ମୁଖ୍ୟ ବିଚାରକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମାଲୋଚନା କରିଛନ୍ତି। ସୋମବାର ଉଦଯାପନୀ ଉତ୍ସବରେ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ‘ପ୍ରୋପୋଗଣ୍ଡା, ଅଶ୍ଳୀଳ ସିନେମା’ ବୋଲି ସେ କହିଥିଲେ। ନଦାଭ ଇସ୍ରାଏଲର ଜଣେ ଫିଲ୍ମ ନିର୍ମାତା।

ଇଣ୍ଡିଆନ୍ ପାନୋରମା ସେକ୍ସନ ପାଇଁ କଶ୍ମୀର ଫାଇଲ୍ସକୁ ଚୟନ କରାଯାଇଥିଲା ଏବଂ ନଭେମ୍ବର ୨୨ରେ ଏହାର ପ୍ରିମିୟର ହୋଇଥିଲା। ଲପିଡଙ୍କ କହିବାନୁସାରେ, ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ଦେଖି ବିଚାରକ ମଣ୍ଡଳୀ ‘ବିବ୍ରତ ଓ ମର୍ମାହତ’ ହୋଇଥିଲେ।

ସେ କହିଛନ୍ତି, ଦ କଶ୍ମୀର ଫାଇଲ୍ସ’କୁ ନେଇ ଆମେ ସମସ୍ତେ ବିଚଳିତ ଓ ମର୍ମାହତ ହୋଇପଡ଼ିଥିଲେ। ଏଭଳି ଏକ ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବର କଳାତ୍ମକ ପ୍ରତିଯୋଗିତାମୂଳକ ବିଭାଗ ପାଇଁ ଏହା ଏକ ଅପପ୍ରଚାର, ଅଶ୍ଳୀଳ ଚଳଚ୍ଚିତ୍ର ଭଳି ମନେ ହେଉଛି।

ଗତ ସପ୍ତାହରେ ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ। ମାର୍ଚ୍ଚ ୧୧ରେ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀର ପଣ୍ଡିତମାନଙ୍କୁ ଘାଟିରୁ ହତ୍ୟା ଏବଂ ସ୍ଥାନାନ୍ତର ଉପରେ ପ୍ରଦର୍ଶିତ।

ଭାରତରେ ଏହି ଫିଲ୍ମକୁ ସରକାରଙ୍କ ତରଫରୁ ପ୍ରଶଂସା ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଫିଲ୍ମର କାହାଣୀ ଓ ଅଭିନୟକୁ ପ୍ରଶଂସା କରିଛନ୍ତି। ଫିଲ୍ମଟି ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏହି ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଓ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Leave A Reply

Your email address will not be published.