Latest Odisha News

ସୌମ୍ୟରଞ୍ଜନ ଓ ବିଦ୍ୟା ଭାରତୀଙ୍କ ମୋବାଇଲ୍ ଜବତ କଲା ପୋଲିସ

ବାଲେଶ୍ବର : ଖୋଲିବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏବେ ତଦନ୍ତର ବିଭିନ୍ନ ଦିଗକୁ ନେଇ ଛାନବିନ କରୁଛି ପୋଲିସ । ଘଟଣାର ୬ ଦିନ ପରେ ବି ପୋଲିସ ହାତରେ ଲାଗିନି କିଛି ସୂରାକ । କିନ୍ତୁ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଉଦ୍ୟମ ଆରମ୍ଭ କରିଛି ପାରଳାଖେମୁଣ୍ଡି ପୋଲିସ । ଆଜି ମୃତ ସୌମ୍ୟରଞ୍ଜନଙ୍କ ମା’ ଓ ମାମୁଙ୍କ ପଚରାଉଚରା କରିଛି ପୋଲିସ । ସେହିପରି ତଦନ୍ତକାରୀ ଟିମ୍ କପ୍ତିପଦା ଯାଇ ବିଦ୍ୟାଭାରତୀଙ୍କୁ ମାରାଥନ୍ ଜେରା କରିଛି ।

ଜେରା ପରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କ ମୋବାଇଲ ଜବତ କଲା ପାରଳାଖେମୁଣ୍ଡିର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ମୋବାଇଲକୁ ଟେକ୍ନିକାଲ ଟିମ୍ କରିବ ଯାଞ୍ଚ । ଜବତ ହୋଇଥିବା ଏହି ମୋବାଇଲରୁ ଖୋଲିପାରେ ଏସିଏଫ ସୌମ୍ୟରଞ୍ଜନଙ୍କ ଡେଥ୍ ମିଷ୍ଟ୍ରିର ରହସ୍ୟ । ଆସନ୍ତାକାଲି ମଧ୍ୟ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିବ ପୋଲିସ । ସେହିପରି ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ମଧ୍ୟ କାଲି ପଚରା ଉଚରା କରିବ ପୋଲିସ ।

ଘଟଣାରେ ବିଦ୍ୟାଭାରତୀ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ଓ ରୋଷେୟାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଅନ୍ୟପଟେ ସୌମ୍ୟଙ୍କ ମା କହିଛନ୍ତି ଉଭୟ ସ୍ବାମୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ସୌମ୍ୟଙ୍କ ମାମୁ କହିଛନ୍ତି, ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ହୋଇଥିଲା ଏଗ୍ରିମେଣ୍ଟ । ବିବାହର ବର୍ଷକ ମଧ୍ୟରେ ଉଭୟଙ୍କ ମଧ୍ୟରେ ରହିବନି ସ୍ବାମୀ-ସ୍ତ୍ରୀର ସମ୍ପର୍କ । ସୌମ୍ୟରଞ୍ଜନଙ୍କ ଦରମା ସହିତ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ଉପରେ ରହିବ ବିଦ୍ୟାଭାରତୀଙ୍କର ସମ୍ପୁର୍ଣ୍ଣ ଅଧିକାର । ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସୌମ୍ୟଙ୍କ ମାମୁ ଦେଇଥିବା ବୟାନକୁ ରେକର୍ଡ କରାଯାଇଛି ।

Leave A Reply

Your email address will not be published.