ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ କ୍ୟାଥୋଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ମର ଶରୀରକୁ ରୋମରେ ଥିବା ସାଣ୍ଟା ମାରିଆ ମାଗିଓରେ ବାସିଲିକାକୁ ନିଆଯାଇଥିଲା। ଯାହାକି ସେଣ୍ଟ ପିଟର୍ସ ସ୍କୋୟାରରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ। ସେହିଠାରେ ତାଙ୍କ ମର ଶରୀରକୁ କବର ଦିଆଯାଇଛି।
ତେବେ ଗତ ୧୦୦ ବର୍ଷ ମଧ୍ୟରେ ସେ ହେଉଛନ୍ତି ପ୍ରଥମ ପୋପ ଯାହାଙ୍କୁ ଭାଟିକାନ ବାହାରେ କବର ଦିଆଯାଇଛି।
ପୋପଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା। ପ୍ରଥମେ ତାଙ୍କ ଶରୀରକୁ ସେଣ୍ଟ ପିଟର ବାସିଲିକାରୁ ବାହାର କରାଯାଇ ସେଣ୍ଟ ପିଟର ସ୍କୋୟାରରେ ରଖାଯାଇଥିଲା ଓ ସେଠାରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ଉପସ୍ଥିତ ଥିଲେ।
ପୋପଙ୍କ ଭଳି ମହାନ୍ ବ୍ୟକ୍ତିତ୍ଵଙ୍କ ଶେଷ ଦର୍ଶନ ପାଇଁ ୧୭୦ଟି ଦେଶର ପ୍ରତିନିଧି ମାନେ ପହଞ୍ଚିଥିଲେ। ଏଥିରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲି, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ସାମିଲ ଥିଲେ।
ତେବେ ଗତ ଏପ୍ରିଲ ୨୧ ତାରିଖରେ ପୋପଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଗତ ତିନି ଦିନ ଧରି ଶେଷକୃତ୍ୟ ପାଇଁ ତାଙ୍କ ଶରୀରକୁ ସେଣ୍ଟ ପିଟର୍ସ ବାସିଲିକାର କଫିନରେ ରଖାଯାଇଥିଲା।
Comments are closed.