ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ଧନବାଦୀ ସମାଜ ମୁଷ୍ଟିମେୟ ମୁନାଫାଖୋର ମହାଜନ ଓ ମାଫିଆର ମିଳିତ ଚକ୍ର ଦ୍ୱାରା ଚାଳିତ ଓ ପରିଚାଳିତ ଏକ ଜଡ଼ବାଦୀ ସମାଜ । ଚେତନା ଉପରେ ଧଳା ଚାଦରଟାଏ ଢାଙ୍କିଦେଇଥିବା ଏ ସମାଜର ମୂଳଧନ ହେଉଛି ଗୁପ୍ତଧନ । ଏ ଗୁପ୍ତଧନ ଆସିଥାଏ କେଉଁଠୁ ? ଆସିଥାଏ କୋଟିକୋଟି କଂକାଳସାର ମଣିଷଙ୍କୁ ଦାରିଦ୍ୟର ସୀମାରେଖା ସେପଟେ ଏକ ବାଧ୍ୟତାମୂଳକ ବଞ୍ଚିତ ଜୀବନଧାରାରେ ବନ୍ଧା ପକାଇରଖିଥିବା ବୀଭତ୍ସ ଶୋଷଣ ପ୍ରକ୍ରିୟା ମଧ୍ୟରୁ । ଧନବାଦୀ ସମାଜ ଜନସ୍ୱାର୍ଥର ଜଘନ୍ୟ ଜହ୍ଲାଦ । ରାଜନୀତି, ଅର୍ଥନୀତି, କୃଷିନୀତି, ଶିଳ୍ପନୀତିଠାରୁ ବୈଦେଶିକ ନୀତିଯାଏଁ ସବୁକ୍ଷେତ୍ରରେ ଧନବାଦୀ ସମାଜ ତାର ପାଳଭୂତମାନଙ୍କୁ ପହରାଦାର ରୂପେ ରଖିଆସିଛି । ରକ୍ଷିତ-ସ୍ୱାର୍ଥର ସଂରକ୍ଷିତ ବ୍ୟବସ୍ଥାଟାଏ ଏ ଧନବାଦୀ ସମାଜ । ତାର ଗୁପ୍ତ ନିର୍ଦ୍ଦେଶନାମାରେ ଆସନ ଶାସନର ଖସଡ଼ା ତିଆରି ହୁଏ- ସାରା ଦେଶକୁ ଜାଗିରି ରୂପେ ବ୍ୟବହାର କରାଯାଇ ଜାତିର ଭାଗ୍ୟ ଓ ଭବିଷ୍ୟତକୁ ବିକିଦିଆଯାଏ ବିଦେଶର ବିଚ୍ବଜାରରେ ! ଗୋଟିଏ ସ୍ୱାଧୀନରାଷ୍ଟ୍ରକୁ କବଳିତ କରିଦିଆଯାଏ ଅର୍ଥନୈତିକ ପରାଧୀନତାର କଠୋର ଶୃଙ୍ଖଳରେ । ବ୍ୟକ୍ତିଠୁ ଛଡ଼ାଇନିଆଏ ଅଭିବ୍ୟକ୍ତି ଏବଂ ନାଗରିକଙ୍କଠୁ ଅଧିକାର । ଏହି ଯେଉଁ ଧନବାଦୀ ସମାଜର ଧୂର୍ତଧୂସର ଚରିତ୍ର, ସେ ଚରିତ୍ର କ’ଣ ଜନବାଦୀ ସାହିତ୍ୟର ଜନ୍ମଲଗ୍ନକୁ ସ୍ୱାଗତ କରିପାରେ କେବେ ? କଦାପି ନୁହେଁ ।
ସେଥିପାଇଁ ଜନବାଦୀ ସାହିତ୍ୟର କର୍ଣ୍ଣଧାରମାନଙ୍କୁ ଏଠି ପୁରସ୍କାର ବଦଳରେ ତିରସ୍କାର ଆଉ ସ୍ୱୀକୃତି ପରିବର୍ତ୍ତେ ମିଳିଥାଏ ଧିକ୍କୃତି । ଜନବାଦୀ ସାହିତ୍ୟର ଧର୍ମ ହେଉଛି ସମାଜବିକାଶର ବିଜ୍ଞାନସମ୍ମତ ସୂତ୍ରଗୁଡ଼ିକୁ ସ୍ୱର ଓ ଶବ୍ଦରେ ରୂପାୟିତ କରି ସଚେତନତା ସୃଷ୍ଟି କରିବା- ଅର୍ଥାତ୍ ଚେତନା ଉପରେ ଧଳାଚାଦର ଘୋଡ଼ାଇଦେଇଥିବା ଧନାବାଦୀ ସମାଜର ମୁଖା ଖୋଲିଦେବା । ଏହି ଆଭିମୁଖ୍ୟକୁ କ’ଣ ବରଦାସ୍ତ କରାଯାଇପାରିବ ଧନବାଦୀ ଦୁନିଆରେ ? ଜନଜାଗରଣ ପ୍ରତି ଧନବାଦୀ ସମାଜର ପ୍ରାଣେଡର । ଆସନ୍ନ ବିପ୍ଳବର ପଦଧ୍ୱନି ପ୍ରତି ସେ ଆଶଙ୍କାଜର୍ଜର । ଜନବାଦୀ ସାହିତ୍ୟକୁ ତେଣୁ ଧନବାଦୀ ସମାଜତନ୍ତ୍ରର ବଡ଼ପଣ୍ଡାଏ କହନ୍ତି ଶସ୍ତା ସାହିତ୍ୟ, ପ୍ରଚାରଧର୍ମୀ ସାହିତ୍ୟ । ଧନବାଦୀ ସମାଜର ଭଡ଼ାଟିଆ ବୁଦ୍ଧିଜୀବୀଏ ବାହାବା ଶୁଣାନ୍ତି ପ୍ରାଣହୀନ ଦୁର୍ବୋଧ୍ୟତାର ଦୁର୍ବୃତବର୍ଗକୁ- ଯେଉଁ ବର୍ଗ ସାହିତ୍ୟକୁ ସମ୍ପତି ମଣିଥାଏ, ଅନ୍ୟ ଭାଷାରୁ ଡକାୟତି କରି ଆଣିଥାଏ ଭୂଆଁବୁଲା ଭାବଧାରା, ପରଲୁଗା ପିନ୍ଧି ଯାତକୁ ଯାଉଥାଏ ଆଉ ପଚାରୁଥିବା ବେଳେ ଟୁଙ୍ଗାରୁଥାଏ ମୁଣ୍ଡଟିମାନ ।
ଜନବାଦୀ ସାହିତ୍ୟର ଭୂମିକା ବିଚାର ପ୍ରସଙ୍ଗରେ ଗୋଟିଏ ମାରାତ୍ମକ ଦିଗପ୍ରତି ମୁଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି । ମାରାତ୍ମକ ଦିଗ ? ହଁ, ମାରାତ୍ମକ , ଭୀଷଣ ଭାବରେ ମାରାତ୍ମକ । ତା’ ହେଉଛି ଜନବାଦୀ ସାହିତ୍ୟର ଶିବିରରେ ବିପ୍ଳବୀର ମୁଖା ମଡ଼ାଇ ବସିଥିବା କିଛି ଲେଖକ କିଛି କାଳ ଭୁଆଁ ବୁଲାଇଥାନ୍ତି ଜନଗଣଙ୍କୁ । ବିପ୍ଳବୀ ବେଶରେ ଥିବା ଏହି ପ୍ରତି ବିପ୍ଳବୀମାନଙ୍କୁ ଚିହ୍ନଟ କରିବାବେଳକୁ ନେଡ଼ିଗୁଡ଼ କହୁଣିକି ବୋହି ଯାଇଥାଏ । ଏମାନେ ଧନବାଦୀ ସମାଜର ପ୍ରବକ୍ତା ଓ ପ୍ରତିନିଧିସ୍ଥାନୀୟ ଲେଖକମାନଙ୍କଠାରୁ ଆହୁରି ନିନ୍ଦନୀୟ । ଏମାନେ ନୀଳବର୍ଣ୍ଣ ଶୃଗାଳ- ଜମି ଛାଡ଼ି ଜଙ୍ଗଲକୁ ପଳାଇ ଆସିଥାନ୍ତି ପ୍ରଜା ମଙ୍ଗଳ ପାଇଁ ନୁହେଁ, ବରଂ ନିଜେ ମୁକୁଟ ମଡ଼ାଇ ରାଜା ହେବାପାଇଁ । ଶ୍ରେଣୀଚରିତ୍ରରେ ଏମାନେ ଶକୁନି ସଂସ୍କୃତିର ସୂତ୍ରଧର ।
ଯେଉଁମାନେ ସମାଜବାଦୀ ସାହିତ୍ୟିକବର୍ଗଙ୍କ ଦୃଷ୍ଟିରେ ‘ବୁର୍ଜୁଆ ଲେଖକ’, ସେମାନେ ଏହି ଉପରବର୍ଣ୍ଣିତ ତଥାକଥିତ ‘ବିପ୍ଳବୀ’ ଲେଖକ ଅଥଚ ପ୍ରକୃତରେ ଛଦ୍ମବିପ୍ଳବୀ ବା ପ୍ରତିବିପ୍ଳବୀ ଲେଖକବର୍ଗଙ୍କ ଅପେକ୍ଷା ବରଂ ଅଧିକ ସ୍ୱାଗତଯୋଗ୍ୟ । ବୁର୍ଜୁଆ ଲେଖକର ହାହାକାର ତଥାକଥିତ ‘ବିପ୍ଳବୀ’ ଲେଖକର ହୁଂକାର ଅପେକ୍ଷା ଅଧିକ ଆନ୍ତରିକ ଓ ଆବେଦନଧର୍ମୀ । ଅତଏବ ଭଲ କରି ଚିହ୍ନିରଖ ଭ୍ରାତାଙ୍କ ବଦନ ନ୍ୟାୟରେ ଆମେ ବିପ୍ଳବୀ ବେଶରେ ବାଟରେ ପଟୁଆର ସଜାଉଥିବା ପ୍ରତିବିପ୍ଳବୀବର୍ଗଙ୍କ ପ୍ରତି ସଦାସଜାଗ ରହିବା ଜରୁରି ।
ଏବେ ଆସିବା ଧନବାଦୀ ଦୁନିଆରେ ସାହିତ୍ୟର ଶ୍ରେଣୀ ଓ ଚରିତ୍ର ଚର୍ଚ୍ଚା କ୍ଷେତ୍ରକୁ । ଏଠି କି ଶ୍ରେଣୀର ସାହିତ୍ୟ ସର୍ଜନ ଚାଲିଛି ? ଏ ସାହିତ୍ୟ କ’ଣ ମଣିଷର କଥା କହେ ନା ମାଟିର କଥା ? ଏ ସାହିତ୍ୟ ହେଉଛି ମଲାଙ୍ଗ ସାହିତ୍ୟ- ଏହାର ପ୍ରକୃତ ପିତୃତ୍ୱ ଅଘୋଷିତ ଭାବରେ ବଜାୟ ରହିଛି ବିଦେଶ ଭୂଇଁରେ । ବିଦେଶର ଚିନ୍ତନ ପ୍ରକ୍ରିୟାକୁ ସମୀକୃତ କରି ଦେଶର କିଛି ସାକ୍ଷର ଶିକ୍ଷିତବର୍ଗ ଯେଉଁ ମୋଟାମୋଟା ହରରଙ୍ଗୀ ମଲାଟମାର୍କା ବହିଗୁଡ଼ାକୁ ସାହିତ୍ୟ ଆଳରେ ବଜାର ସାମଗ୍ରୀରେ ପରିଣତ କରିଦେଲେଣି, ତା’ ଭିତରେ ନା ଅଛି ପ୍ରାଣ ନା ସ୍ପନ୍ଦନ ! ଲୋକସମାଜ ଦ୍ୱାରା ବର୍ଜିତ ବା ବିସର୍ଜିତ ଏ ‘ସାହିତ୍ୟ’ର ଶ୍ରେଣୀକରଣ କରାଗଲେ ଜଣାପଡ଼ିଯାଏ ଯେ ଗୁଡ଼ିଏ ଅମୌଳିକ ଆବର୍ଜନା ହିଁ ଏଠାରେ ବୌଦ୍ଧିକ ସର୍ଜନା ନାମରେ ବିଜ୍ଞପିତ ହେଉଛି । ଏ ସାହିତ୍ୟର ପାଠକ ନାହାନ୍ତି, ମାତ୍ର ଅଛନ୍ତି ସମ୍ମିଳିତ ସମୀକ୍ଷକ, ସ୍ୱାର୍ଥପ୍ରଣୋଦିତ ସ୍ତୁତିକାରକ, ପ୍ରବଞ୍ଚନାକାରୀ ପ୍ରଚାରକ ବା ପ୍ରଶିକ୍ଷିତ ପ୍ରଶଂସକ । ନ୍ୟସ୍ତସ୍ୱାର୍ଥ ଏକ ଗୋଷ୍ଠୀ ଏ ସାହିତ୍ୟର ପୁଚ୍ଛଧାରୀ ପୃଷ୍ଠପୋଷକ । ଏପରିକି ଏ ପ୍ରକାର ଶଙ୍କର ଶ୍ରେଣୀର ସାହିତ୍ୟକୁ ଏ ଗୋଷ୍ଠୀ ‘ସିଲାବସ୍’ରେ ସାମିଲ୍ କରାଇଦେଇ ପ୍ରକୃତ ପ୍ରତିଭାର ପ୍ରତିଶ୍ରୁତି ପ୍ରତି ଘୋର ଅନ୍ୟାୟର ଏକ କୁଟିଳ ଚକ୍ର ସୃଷ୍ଟି କରିସାରିଛନ୍ତି । ଏହାର ପ୍ରତିବାଦ କରିବ କିଏ ? ଯିଏ କରିବ ତାକୁ ବାଛନ୍ଦ କରିଦିଆଯିବ ଅବିଳମ୍ବେ । ସମାଜକୁ ବଦଳାଇଦିଅ କହୁଥିବା ମାମଲତକାରମାନଙ୍କୁ ମୁଁ କହିଥାଏ – ନିଜକୁ ବଦଳାଇଦିଅ । ରାତିଅଧରେ ଅନାୟାସରେ ଦଳ ବଦଳାଇଦେଉଥିବା ଦଳେ ଦୁଃଶାସନୀ ଦେଶକୁ ବଦଳାଇ ଦେଇପାରିବେ କି ? ଦେଶଠୁ ଦଳ ସେମାନଙ୍କ ପାଇଁ ବଡ ।
ସମାଜଠୁ ସାଆନ୍ତ ଶ୍ରେଣୀଟି ସେମାନଙ୍କ ପାଇଁ ମାନ୍ୟବର । ଜାତୀୟ ପତାକାଠୁ ଦଳୀୟ ପତାକା ସେମାନଙ୍କ ପାଇଁ ଶ୍ରେୟସ୍କର ।ପୁଞ୍ଜିବାଦର ପାଞ୍ଜିଆକରଣମାନେ ସାରାଦେଶର ଅର୍ଥନୀତିକୁ ଏକପ୍ରକାର ବିପର୍ଯ୍ୟୟ ବିତୀୟ ବ୍ୟବସ୍ଥାରେ ପରିଣତ କରିଦେଇଛନ୍ତି । ଏହାଦ୍ୱାରା ଦେଶବାସୀ ଗୋଟାଏ କଳା ଅର୍ଥନୀତିର କରୁଣ ଶିକାର ହୋଇସାରିଛନ୍ତି । ନାଗରିକମାନେ ଗୋଟିଏ ପଟେ ଭୁଆଁବୁଲା ଭୋଟର୍ବାହିନୀର ତାଲିକାଭୁକ୍ତ ହୋଇସାରିଥିବାବେଳେ ଆରପଟେ ଗୁଡିଏ ଧୂର୍ତଚତୁର ଦେଶୀବିଦେଶୀ କମ୍ପାନୀଙ୍କ ବୁଦ୍ଧିବୃତିହୀନ ଗରାଖଶ୍ରେଣୀ ହୋବକୁ ବାଧ୍ୟ ହୋଇଛନ୍ତି । ଏ ଦେଶର କୁଟୀରଶିଳ୍ପ କବରସ୍ଥ, ଚାଷଜମି ବନ୍ଧ୍ୟାଭୂମି ଏବଂ ବାସଭୂମି କୁଚକ୍ରୀ କୁବେରକୁଳ ଦ୍ୱାରା କବଳିତ । ନ୍ୟାୟବ୍ୟବସ୍ଥା ଦଳିତ- ଦୁର୍ଗତ-ଦରିଦ୍ର ନାଗରିକପାଇଁ ଅପହଞ୍ଚ । ଶିକ୍ଷା, ସ୍ୱାସ୍ଥ୍ୟ ଏ ସ୍ୱାୟତ ଶାସନପର୍ବରେ ସର୍ବାଧିକ ଅବହେଳିତ କ୍ଷେତ୍ର । ସ୍ୱାଧୀନତା ପରେ ଭାରତବର୍ଷ ପାଲଟିଛି ଭସ୍ମଶଯ୍ୟା – ଯାହା ଉପରେ ଆମର ମୃତସ୍ୱପ୍ନ ଓ ନଷ୍ଟ କଳ୍ପନାର କବନ୍ଧ ଗଡୁଛି କେବଳ !
ଏ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଯାହା ଲେଖାଯିବ, ତାହା କେବଳ ଗୋଟାଏ ବିରାଟ କଳାଫର୍ଦ୍ଦ ଛଡା ଆଉ କ’ଣ ? ଠିକ୍ ଏତିକିବେଳେ ଆଉ ଗୋଟିଏ ବିପଜ୍ଜନକ ଦିଗ ଉପରେ ଆଲୋକପାତ କରାଯିବାର ସମୟପହଞ୍ଚି ଗଲାଣି । ଏଇ କିଛିବର୍ଷ ଧରି ଲକ୍ଷ୍ୟ କରାଯାଉଛି ଯେ ଏ ଦେଶର ତୁଙ୍ଗ ବ୍ୟକ୍ତିତ୍ୱମାନଙ୍କ ଭାବମୂର୍ତିକୁ କଳଙ୍କିତ କରିବାର କୁଟିଳ ଚକ୍ରାନ୍ତ ବେଶ୍ ସନ୍ତର୍ପଣରେ କାୟା ବିସ୍ତାରୁଛି । ଗାନ୍ଧି, ଶ୍ରୀଅରବିନ୍ଦ, ରବୀନ୍ଦ୍ରନାଥଙ୍କ ପରି ପ୍ରସିଦ୍ଧ ମନୀଷୀମାନଙ୍କୁ ଜନଚକ୍ଷୁରେ କ୍ଷୁଦ୍ର ଓ ଖର୍ବ କରିଦେବାର ଖଳ ଉଦ୍ୟମ କେବଠୁ ଆରମ୍ଭ ହୋଇସାରିଛି । ଭାରତବର୍ଷର ନୈତିକ ଶକ୍ତିକୁ ନିଷ୍ପ୍ରଭ କରିଦେବାର ଏ ହୀନଯୋଜନା ପଛରେ ଆମେରିକାର ଅକଲ ଓ ଅର୍ଥ ଉଭୟ କାମ କରୁଛି । ଭାରତୀୟମାନଙ୍କୁ ମାନସିକ ଆଘାତ ଦେଇ ଏକ ନୈତିକ ପଙ୍ଗୁ ଜାତିରେ ପରିଣତ କରିଦେବାର ଏହି ବିଷପ୍ରକ୍ରିୟାରେ ଆମର ଅନେକ ଲେଖକ, ବୁଦ୍ଧିଜୀବୀ ସୁଦ୍ଧା ବିଭ୍ରାନ୍ତ । ଏ ବିଡମ୍ବନାକୁ ରୋକିବାକୁ ହେବ । ଗବେଷଣା ଦ୍ୱାହିରେ ବଡମଣିଷଙ୍କ ବ୍ୟକ୍ତିଗତ ପୃଥିବୀର ଅନ୍ଧାରୀ ଦିଗର ଅଧ୍ୟାୟ ଉନ୍ମୋଚନ ପ୍ରକୃତରେ ସତ୍ୟସନ୍ଧିତ୍ସା ନା ଅସତ୍ୟ-ଅଭିସନ୍ଧି, ଏହା ବିଚାରବିାର ବେଳ ଆସିଯାଇଛି । ଯେଉଁ ଗୃହଶତ୍ରୁବାହିନୀ ଏ ବିଷପ୍ରକ୍ରିୟାରେ ବ୍ୟାପୃତ, ସେମାନେ ବିଦେଶୀ ହାତର ଗୋଟିଏଗୋଟିଏ ବଟକରା, ମାତ୍ର ଏହା ମୋର ସ୍ପଷ୍ଟ ମତ । ଏପରି ‘ଜ୍ଞାନୀ’, ‘ଗୁଣୀ’, ‘ଗବେଷକ’ ମୋ ଦୃଷ୍ଟିରେ ଆଭ୍ୟନ୍ତରୀଣ ଆତଙ୍କବାଦୀ ଛଡା ଆଉକିଛି ନୁହନ୍ତି ! ଭାବୀ ସମାଜର ଭିତ୍ତିସ୍ଥାପୟିତାବର୍ଗ ଆଜିଠୁ ସତର୍କ ରହି ଏମାନଙ୍କ ପ୍ରତି କଠୋର ଶାସ୍ତିବିଧାନ କରନ୍ତୁ ମୋର ଅନୁରୋଧ । ନ ହେଲେ ଦୁର୍ନୀତିପଙ୍କରେ ବୁଡିବୁଡି ଯାଉଥିବା ଗୋଟାଏ ଦେଶ ପାଇଁ ନୈତିକ ଭବିଷ୍ୟତ ବୋଲି କିଛି ଆଉ ନ ଥିବ ।
ଦୁର୍ଗତ ଦେଶ ଓ ଦୁଃସ୍ଥ ସମାଜର ଅଂଶୀଦାର ଭୂମିକାରେ ଥିବା ଜଣେ ସମକାଳୀନ ଲେଖକର ବକ୍ତବ୍ୟରେ ବ୍ୟର୍ଥତା, ବିସମ୍ବାଦ, ବିଡମ୍ବନା ଓ ବିଭୀଷିକାର ବିବରଣୀ ନିଶ୍ଚିତଭାବରେ ବାଧ୍ୟତାମୂଳକ ବିଷୟବସ୍ତୁ । ଏହା ସତ୍ୱେ ଆସନ୍ତାକାଲି ପାଇଁ ଆଶୀର୍ବାଦର ଅପେକ୍ଷା ରଖିଯିବାକୁ ପଡେ । ଯେଉଁ ଦେଶରେ ଜନ୍ମ ନେଇଛୁ, ସେ ଦେଶର ଅମରତ୍ୱ ଆମର କାମ୍ୟ । ଏଥିପାଇଁ ମୃତ୍ୟୁଦଣ୍ଡ ଘୋଷଣା କରିବାକୁ ପଡିବ ଏ ଦେଶର ଗୁପ୍ତଘାତକବର୍ଗ ଉଦ୍ଦେଶ୍ୟରେ । ଧନବାଦୀ ଦୁନିଆକୁ ଗୋଟାଏ ଧମକ୍- ଜନବାଦୀ ସାହିତ୍ୟ । ପିଙ୍ଗଳ ରଙ୍ଗର ଚରିତ୍ରହୀନ ସାହିତ୍ୟ ସୃଷ୍ଟିକୁ ପ୍ରୋତ୍ସାହିତ କରିଚାଲୁଥିବା ଆଜିର ବିକୃତ ସାଂସ୍କୃତିକତାକୁ ଜନବାଦୀ ସାହିତ୍ୟ ଦିନେ ନା ଦିନେ ଠିକଣା ଜବାବ୍ ଦେବ- ଏହା ଅଦୂର ଭବିଷ୍ୟତର ସ୍ପଷ୍ଟ ନିର୍ଦ୍ଦେଶନାମା !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.