Latest Odisha News

ମାର୍ଚ୍ଚ ୧ରୁ ଖୋଲିବ ରାସନ କାର୍ଡ ପୋର୍ଟାଲ; ଆବେଦନ କରିପାରିବେ ନୂଆ ହିତାଧିକାରୀ

ସମ୍ବଲପୁର: ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ନୂଆ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ହିତାଧିକାରୀମାନେ । କାଲିଠାରୁ ପୋର୍ଟାଲ ଖୋଲିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ସମ୍ବଲପୁର ଗସ୍ତରେ ଥିବା ସମୟରେ ସର୍କିଟ ହାଉସ ଠାରେ ଧାନ କ୍ରୟର ସ୍ଥିତି ଓ ରାସନ କାର୍ଡ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ସମୀକ୍ଷା ବୈଠକ ହେଉଛି, ସମ୍ବଲପୁରରେ ମଧ୍ୟ ହୋଇଛି । ଧାନ ସଂଗ୍ରହ କେମିତି ହୋଇଛି, ଅଧିକାରୀମାନଙ୍କ ସହଯୋଗ କିପରି ରହିଛି, କେତେ ପରିମାଣର ଧାନ ସଂଗ୍ରହ ହୋଇଛି, ଆଉ କଣ କରିଥିଲେ ଚାଷୀ ଅଧିକ ଉପକୃତ ହୋଇଥାନ୍ତେ ସେନେଇ ଆଲୋଚନା ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ସମ୍ବଲପୁର ଜିଲାରେ ଧାନ କିଣା ବିନା କଟନୀ ଛଟନୀରେ ସୁରୁଖୁରୁରେ ପ୍ରାୟତଃ ଶେଷ ହୋଇଯାଇଛି। କିଛି ଅସୁବିଧା ଥିଲେ, ତାହାର ସମାଧାନ କରାଯିବ। କଟନୀ ଛଟନୀର ଖବର ମିଳିନାହିଁ । ଯେଉଁଠି ଏଭଳି ଖବର ଆସିଛି, ଆମେ ତୁରନ୍ତ ଆକ୍ସନ ନେଇ ମିଲ ସିଲ କରିଛୁ, ନୋଟିସ ଜାରି କରିଛୁ, ଅଧିକାରୀ ମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ ତାଲିକାରୁ କାଟି ଦିଆଯାଇଛି । କେତେକ ଚାକିରିଆ ହିତାଧିକାରୀ ନିଜ ତରଫରୁ ରାସନକାର୍ଡ ଫେରେଇଛନ୍ତି । ଅନ୍ୟପଟେ ଆୟକରଦାତା ରାସନ କାର୍ଡ ହିତାଧିକାରୀଙ୍କ ଉପରେ ଯାଞ୍ଚ ଚାଲିଛି । ତେବେ ଯୋଗ୍ୟ ହିତାଧିକାରୀ ହିଁ ରାସନ କାର୍ଡ ପାଇବେ ।

ଖରିଫ ଧାନ କିଣାରେ ଚାଷୀମାନେ ବୋନସ/ସବସିଡି ପାଇଥିବା ବେଳେ, ଆସନ୍ତାବର୍ଷ ମଧ୍ୟ ସେହି ବୋନସ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.