ଭୁବନେଶ୍ବର: ପୁଣି ହେବ କି ଅକ୍ଟୋବରରେ ବାତ୍ୟା? ସମୁଦ୍ରରେ ଗୋଟାଉଛି ବଳ!
ଆଣ୍ଡାମାନ ସାଗରରେ ଘନଉଛି ପାଣିପାଗର ନୂଆ ସିଷ୍ଟମ୍। ଏବେ ଏହା ଉପରେ ନଜର ରଖିଛି ପାଣିପାଗ ବିଭାଗ। ଆଇଏମଡି ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୩ରୁ ୪ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ଯାଇପାରେ। ଏହା ଯଦି ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୁଏ, ତେବେ ପରିସ୍ଥିତି ଆହୁରି ବଦଳିପାରେ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ସେପ୍ଟେମ୍ବର ୨୨ ସୁଦ୍ଧା ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ। ଯଦି ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ପବନର ବେଗ ଘଣ୍ଟା ପ୍ରତି ୬୨ କିଲୋମିଟର ବା ତା’ଠାରୁ ଅଧିକ ହୁଏ, ତେବେ ଯାଇ ଏହାକୁ ଆନୁଷ୍ଠାନିକ ଭାବେ ‘ବାତ୍ୟା ଅର୍ଣ୍ଣବ’ ନାମରେ ନାମିତ କରାଯିବ । ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ । ସେପଟେ ୟୁରୋପୀୟ ପାଣିପାଗ ସଂସ୍ଥା- ECMWFର ତଥ୍ୟକୁ ଆଧାର କରି windy.com ର ମଡେଲ୍ ଦର୍ଶାଇଛି ଯେ, ସେପ୍ଟେମ୍ବର ୨୩-୨୪ ଆଡ଼କୁ ଏକ ବାତ୍ୟା ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନଠାରୁ ସ୍ପଷ୍ଟ ଭାବେ କହିବା ସହଜ ନୁହେଁ ।
ତେବେ ଅକ୍ଟୋବର ଆସିଲେ ଓଡିଶାକୁ ଘାରେ ବାତ୍ୟା ଭୟ । କିଛି ଦିନ ତଳେ ଇସ୍ରୋ ଓଡିଶାରେ ଅକ୍ଟୋବରରେ ୩ଟି ଶକ୍ତିଶାଳୀ ବାତ୍ୟାକୁ ନେଇ ଚେତବାନୀ ଦେଇଥିଲା । ଯାହାକୁ ନେଇ ବାତ୍ୟା ଭୟ ବଢିଥିବା ବେଳେ ଏବେ ପର୍ଯ୍ୟନ୍ତ ଆଇଏମଡି ପକ୍ଷରୁ ବାତ୍ୟାକୁ ନେଇ କିଛି କୁହାଯାଇ ନାହିଁ । ତଥାପି ସମୁଦ୍ରରେ ସୃଷ୍ଟି ହେଉଥିବା ନୂଆ କ୍ଷେତ୍ର ଉପରେ ନଜର ରହିଛି ।
ତେଣୁ ଏବେଠାରୁ ଏହାକୁ ‘ବାତ୍ୟା’ ବୋଲି କହିବା ଠିକ୍ ହେବ ନାହିଁ। ଆଇଏମଡିର ବର୍ତ୍ତମାନର ଆକଳନ ଅନୁସାରେ, ଓଡ଼ିଶା ପାଇଁ ପ୍ରଥମ ପ୍ରଭାବ ହେଉଛି ବର୍ଷା। ସେପ୍ଟେମ୍ବର ୨୨ରୁ ବର୍ଷା ବଢ଼ିପାରେ ଏବଂ ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ଚେତାବନୀ ରହିଛି।
ଆଇଏମଡି ସୂଚନା ଅନୁସାରେ, ସମୁଦ୍ରରେ ଧୀରେ ଧୀରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ। ଉତ୍ତର ଥାଇଲାଣ୍ଡ ଉପରେ ଥିବା ଏହି ସିଷ୍ଟମ୍ ଏବେ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି। ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏହା ପରେ ସିଷ୍ଟମ୍ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ। ଆକଳନ ଅନୁସାରେ, ସେପ୍ଟେମ୍ବର ୨୧ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ପରିବେଶ ଅନୁକୂଳ ରହିଲେ ଏହା ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତ, ଏପରିକି ଏକ ସାମାନ୍ୟ ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ। ସମୁଦ୍ର ଉପରେ ଏହାକୁ ଅଧିକ ସମୟ ମିଳୁଥିବାରୁ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ଆଗାମୀ ପାଣିପାଗ ଅପଡେଟ୍ରୁ ଅଧିକ ସ୍ପଷ୍ଟ ହେବ।

