Latest Odisha News

BREAKING NEWS

ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: କେମିତି ହୋଇଥିଲା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ । ଏବେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

ଧର୍ମେନ୍ଦ୍ର ସାଙ୍କୁ ଶରୀର କୌଣସି ସ୍ଥାନରେ ଆଘାତ କି କ୍ଷତ ଚିହ୍ନ ନଥିବା ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶା ଯାଇଛି । ଶନିବାର ସକାଳେ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ବାସଭବନ ସମ୍ମୁଖରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା । ଆଉ ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସବୁକ୍ ପୋଷ୍ଟ କରି ଲେଖିଥିଲେ ମୋ ଫୋନ୍ ୨ଟିରେ ଭିଡିଓ ଅଛି । ଲୋକ ଲୋଚନକୁ ଆଣିବେ ।

ଅନେକ ଖୋଜାଖୋଜି ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ମୋବାଇଲ୍ ୨ଟିକୁ ଘର ନିକଟ ଏକ ପ୍ଲଟରୁ ପାଇଥିଲା । ଏବେ ପୋଲିସ ମୋବାଇଲ୍ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଇଛି । କିନ୍ତୁ ଫେସବୁକ୍ ପୋଷ୍ଟରେ ଧର୍ମେନ୍ଦ୍ର ଲେଖିଥିବା ଭିଡିଓ ମୋବାଇଲରେ ଅଛି କି ନାହିଁ । ତାହା ସ୍ପଷ୍ଟ ହୋଇ ନାହିଁ ।

ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା ରାତିରେ ତାଙ୍କ ବାଲକୋନୀକୁ କେହି ଜଣେ ଚଢ଼ି ଓହ୍ଲାଇ ଯାଇଥିଲେ । ତେବେ ସେ କିଏ, କାହିଁକି ଚଢ଼ିଥିଲେ ଏଯାବତ୍ ଜଣା ପଡ଼ିନାହିଁ । ଗୋଟିଏ ପଟେ ଜଣେ ସନ୍ଦିଗ୍ଧ ଧର୍ମେନ୍ଦ୍ରଙ୍କ ଘର ବାଲକୋନୀ ଉପରେ ଚଢ଼ିବା, ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ଏବଂ ମୋବାଇଲ୍ ଘରୁ ଗାଏବ ହୋଇଯିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Leave A Reply

Your email address will not be published.