Latest Odisha News

BREAKING NEWS

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ପିପିଲି: ମୋବାଇଲ ଟର୍ଚ୍ଚରେ ରୋଗୀସେବା । ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ପୁରୀର ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ। ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଫଳରେ ଡାକ୍ତରମାନେ ମୋବାଇଲ ଟର୍ଚ୍ଚରେ ରୋଗୀଙ୍କୁ ଚିକିତ୍ସା କରିଥିଲେ । ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଡାକ୍ତରଖାନାରେ ଡିଜିଟାଲ ଜେନେରେଟର ଥିଲେ ମଧ୍ୟ ଏହା ଚଳାଇବା ପାଇଁ ନିୟମିତ କର୍ମଚାରୀ ନାହାଁନ୍ତି , ତେଣୁ ବିଦ୍ୟୁତ ଆସିବା ପର୍ଯ୍ୟନ୍ତ ଅନ୍ଧାରରେ ରହିବାକୁ ପଡ଼ିଥିଲା । ଏହା ପୂର୍ବରୁ ମଧ୍ୟ ଡାକ୍ତରଖାନାରେ ସର୍ଟସର୍କିଟ ଯୋଗୁଁ ସେବିକା କକ୍ଷ ସମ୍ମୁଖରେ ଲାଇଟ୍‌ ଜଳୁନଥିବା ଅଭିଯୋଗ ହୋଇଛି । ଫଳରେ ରାତି ସମୟରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଭଳି ଜରୁରୀ ସେବାରେ ମଧ୍ୟ ମୋବାଇଲ ଟର୍ଚ୍ଚ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି ।

ତେବେ ପ୍ରସୂତୀ ଓ ମହିଳା ୱାର୍ଡରେ ଇନଭର୍ଟର ସଂଯୋଗ ଥିବାରୁ ସେଠାରେ ବିଦ୍ୟୁତ ବିଭ୍ରାଟର ପ୍ରଭାବ ପଡ଼ିନଥିଲା । କିନ୍ତୁ ଅନ୍ୟ ୱାର୍ଡରେ ଇନଭର୍ଟର ସଂଯୋଗ ନଥିବାରୁ ଏକ ଘଣ୍ଟା ପାଇଁ ଅନ୍ଧାରରେ ରହିଥିଲା।

ଏହି ଡାକ୍ତରଖାନା ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ବିଭିନ୍ନ ଜରୁରୀକାଳୀନ ରୋଗୀ ଏଠାକୁ ଆସିଥାନ୍ତି । ତେବେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ଓ ଏହାର ସ୍ଥାୟୀ ସାମାଧାନ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.