Latest Odisha News

BREAKING NEWS

ନବୀନଙ୍କୁ ପ୍ରଦୀପଙ୍କ ପ୍ରଶ୍ନ: ୨୦୨୪ ଜଣେ ମହିଳାଙ୍କୁ ଦେବେ କି ରାଜ୍ୟର ଶାସନ ଭାର 

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବାରେ ଲାଗିଛନ୍ତି।ଗୋଟିଏ ପରେ ଗୋଟିଏ ରାଜନୈତିକ ସଭା ଏବଂ ପଦଯାତ୍ରାରେ ଯାଉଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଧାୟକ ପାଣିଗ୍ରାହୀ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକ ତାଙ୍କ ସମୟରେ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କଲେ। ଆମେ ଧନ୍ୟବାଦ ଦେବା। ସେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ ସବୁବେଳେ ଚାହାନ୍ତି ମହିଳାମାନଙ୍କ ଉନ୍ନତି। ୨୦୨୪ ମସିହାରେ ଜଣେ ଦକ୍ଷ ମହିଳାଙ୍କୁ ଓଡ଼ିଶାର ଶାସନ ଭାର ଦେବେ କି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି। ଯଦି ଏମିତି ହୁଏ ତେବେ ତାଙ୍କ ମନରେ ଥିବା ମହିଳାଙ୍କ ପାଇଁ ଦରଦକୁ ଲୋକମାନେ ବିଶ୍ଵାସ କରିବେ ବୋଲି ସେ କହିଛନ୍ତି।

ମଙ୍ଗଳବାର ବିଧାୟକ ପାଣିଗ୍ରାହୀ ଗୋପାଳପୁର ସହରରେ ଆୟୋଜିତ ଏକ ସାଧାରଣ ସଭାରେ ଉପରୋକ୍ତ ପ୍ରଶ୍ନ କରିଛନ୍ତି। ଅଞ୍ଚଳର ଲୋକମାନଙ୍କ ସମସ୍ୟା ଶୁଣିବା ସହିତ ଆଗାମୀ ଦିନରେ ସେମାନଙ୍କ ସହ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

 

ଗୋଟିଏ ପଟେ ବିଜେଡ଼ିରୁ ବହିଷ୍କୃତ ବିଧାୟକ ପାଣିଗ୍ରାହୀ ସକ୍ରିୟ ହେଉଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବ ଗୋପାଳପୁର ବିଜେଡି ଉପରେ ପଡୁଥିବ ଦେଖିବାକୁ ମିଳିଛି। ଆଗାମୀ ଦିନରେ ବିଜେଡି ତରଫରୁ ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି। ଏସବୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଆଣି ବିଜେଡି ଶକ୍ତି ପ୍ରଦର୍ଶନ ପାଇଁ ଯୋଜନା କରୁଛି। ବୁଧବାର ଏନେଇ ଏକ ବୈଠକ ବ୍ରହ୍ମପୁର ସର୍କିଟ ହାଉସରେ ଆୟୋଜିତ ହୋଇଥିଲା। ଦଳର ବରିଷ୍ଠ ନେତାମାନେ ପଦଯାତ୍ରାର ସଫଳ ଆୟୋଜନ ସହିତ ବିଧାୟକ ପାଣିଗ୍ରାହୀଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି।

I ଏହା ପୂର୍ବରୁ ମଧ୍ୟ ବିଜେଡି ଏବଂ ପ୍ରଦୀପଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଦେଖା ଦେଇଥିଲା। ଗତ ଅଗଷ୍ଟ ୧୫ ତାରିଖରେ ପ୍ରଦୀପ ଅବସପ୍ରାପ୍ତ ସେନା କର୍ମଚାରୀଙ୍କ କାର୍ଯ୍ୟାଳୟକୁ ପତାକା ଉତୋଳନ ପାଇଁ ଯାଉଥିବା ବେଳେ ବିଜେଡିର କେତେକ ନେତା ଓ କର୍ମୀ ତାଙ୍କୁ ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ଭିତରେ ଠେଲାପେଲା ମଧ୍ୟ ହୋଇଥିଲା। ଏଣୁ ଆଗାମୀ ଦିନରେ ବିଜେଡି ଏବଂ ପ୍ରଦୀପଙ୍କ ମଧ୍ୟରେ କନ୍ଦଳ ବଢିବା ଆଶଙ୍କା ରହୁଥିବା ଆଲୋଚନା ହେଉଛି।

 

Leave A Reply

Your email address will not be published.