ଭୁବନେଶ୍ୱର: ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ଯ ବିଜେପି ଶିବିର ଚଳଚଞ୍ଜଳ। ଭୁବନେଶ୍ବରରେ ଏକ ବିଶାଳ ସମାବେଶ କରି ଦଳୀୟ କର୍ମୀ ଓ ନେତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ନଡ୍ଡା ଉତ୍ସାହିତ କରିବାର ଯୋଜନା ରହିଛି। ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ୨୦୨୪ ନିର୍ବାଚନରେ ଲଢେଇ ଦ୍ବିପାକ୍ଷିକ ହେବ। ଅର୍ଥାତ ବିଜେଡି ଏବଂ ବିଜେପି ମଧ୍ୟରେ ନିର୍ବାଚନ ମୁକାବିଲା ହେବ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବେ ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି। ସେହି କ୍ରମରେ ଓଡିଶା ଗସ୍ତରେ ସେ ଆସୁଛନ୍ତି। ଏହି ଅବସରରେ ବିଜେପି ଏକ ସାଙ୍ଗଠନିକ ବୈଠକ କରୁଛି। ନଡ୍ଡାଙ୍କ ଓଡିଶା ଗସ୍ତକୁ ନେଇ ଏବେ ଦଳୀୟ କର୍ମୀ ବେଶ୍ ଉତ୍ସାହିତ। ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତାଙ୍କ ଏବଂ ଛାମୁଆ ସଙ୍ଗଠନର ନେତାଙ୍କ ସହ ଆଲୋଚନା ହେବ। ବଜେପି କାହାର କାର୍ଯ୍ୟକ୍ରମ ନେଇ ଭୟଭୀତ ନୁହେଁ।
ପ୍ରଭାରୀ ଡି. ପୂରନ୍ଦେଶ୍ବରୀ କହିଛନ୍ତି, ଜେ.ପି ନଡ୍ଡାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତ ଅଛି। ଗୁରୁବାର ଦିନ ପ୍ରାୟ ୧୧ ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ନଡ୍ଡା ପହଞ୍ଚିବେ। ଜନତା ମଇଦାନରେ ଦଳୀୟ କର୍ମୀଙ୍କୁ ଏହି ଅବସରରେ ସମ୍ବୋଧିତ କରିବେ। ୨୦୨୪ ନିର୍ବାଚନରେ ଦଳ କିଭଳି ରାଜ୍ୟରେ ସରକାର ଗଢ଼ିବ ସେନେଇ ରଣନୀତି ପ୍ରସ୍ତୁତ ହେବ। କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ ଏ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ ନଡ୍ଡା।
ସେହିପରି ରାଜ୍ୟ ସାଧାରଣ ସମ୍ପାଦକ ପୃଥବୀରାଜ ହରିଚନ୍ଦନ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି କାମ ଆରମ୍ଭ କରି ଦେଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବିଜେପି ନିର୍ଣ୍ଣାୟକ ଲଢେଇ କରିବ। ଆସନ୍ତାକାଲି ରାଷ୍ଚ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଅବସରରେ ଏହାର ଭିତ୍ତିପ୍ରସ୍ତର ପଡିବ। ପଞ୍ଚାୟତ ଠାରୁ ଆରମ୍ଭ କରି ସହର ଏବଂ କେନ୍ଦ୍ର ସରକାରର ସଫଳତା ପ୍ରସଙ୍ଗରେ କିପରି ଲୋକଙ୍କୁ କୁହାଯିବ ଆଉ ଭୋଟ୍ ବ୍ୟାଙ୍କ ବୃଦ୍ଧି କରାଯିବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୋଡ୍ ମ୍ୟାପ ତିଆରି କରିବେ ବୋଲି ସୂଚନା ରହିଛି।