Latest Odisha News

BREAKING NEWS

Diwali guidelines:ବାଣ ଫୁଟାଇବାକୁ ନେଇ ଆସିଲା ଗାଇଡ୍‌ଲାଇନ;ରାତି ୯ଟା ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB)ପକ୍ଷରୁ ବାଣ ଫୁଟାଇବା ନେଇ ପରାମର୍ଶମୂଳକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଏବଂ ଧାର୍ମିକ ସ୍ଥଳରେ ମାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ଗ୍ରୀନ କ୍ରାକର୍ସ ଫୁଟାଇବାକୁ ଅନୁମତି ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ କରାଯିବା ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବାଣ କିଣିବା ସମୟରେ ସେଥିରେ CSIR-NEERIର ଲୋଗୋ ଓ QR କୋଡ୍ ରହିଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି । ବାଣରେ ବାରିୟମ୍ (Barium) ଏବଂ ଅନ୍ୟାନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି । ସେହିପରି ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ନିର୍ଦ୍ଧାରିତ ଶବ୍ଦ ସୀମା ଅତିକ୍ରମ କରୁଥିବା ବାଣ ବ୍ୟବହାର ନକରିବାକୁ କୁହାଯାଇଛି। ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ନିରବ ଅଞ୍ଚଳ (Silence Zone)ରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ଖୋଲା ଓ ସୁରକ୍ଷିତ ସ୍ଥାନ ଚୟନ କରିବାକୁ ବୋର୍ଡ ପରାମର୍ଶ ଦେଇଛି।

ଛୋଟ ପିଲାମାନେ ବାଣ ଫୁଟାଉଥିବା ସମୟରେ ବଡ଼ମାନେ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଯଦି କୌଣସି ବାଣ ଫୁଟି ନ ଥାଏ, ତେବେ ତାହାକୁ ପୁଣି ଥରେ ଜଳାଇବାକୁ ଚେଷ୍ଟା ନ କରିବାକୁ କୁହାଯାଇଛି ।

ପରିବେଶ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ନିୟମ ମାନି ଦୀପାବଳି ପାଳନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

 

Leave A Reply

Your email address will not be published.