Latest Odisha News

ଅକାଳରେ ଝଡ଼ି ଯାଉଥିବା ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

 

ଗାଁରେ ବହୁଦିନରୁ ଦୁଇଟି ମଦ ଦୋକାନ ଥିଲା। ତା ପୁଣି ଗାଁ ବାହାରେ, ଟିକିଏ ଦୂରରେ। ଦିନ ବେଳେ ସେଇଠି କାଁ ଭାଁ ବାହାର ଗାଁର ଜଣେ ଦି ଜଣ ଲୋକଙ୍କୁ ଦେଖିବାକୁ ମିଳେ। ରାସ୍ତା କଡ଼ରେ ଦୋକାନ ଥିବାରୁ, କେବେ କେମିତି ଟ୍ରକ୍ ଡ୍ରାଇଭରମାନେ ଗାଡ଼ି ଅଟକାଇ ଦି ଗିଲାସ ମାରିଦେଇ, ପୁଣି ବାହାରି ପଡ଼ନ୍ତି ନିଜ ଗାଡ଼ି ନେଇ। କେବେ କେମିତି ସେହି ଦୋକାନଠୁ ଅନତି ଦୂରରେ ଜଣେ ଦି ଜଣ ସମ୍ପୂର୍ଣ୍ଣ ନିଶାସକ୍ତ ହୋଇ ରାସ୍ତାକଡ଼େ ପଡ଼ିଥିବା ବି ଦେଖିବାକୁ ମିଳିଛି। ହେଲେ କେବେ କୌଣସି ଶିଶୁ ବା କିଶୋରକୁ ସେଇଠି ମଦ ପିଇବା କେବେ ଆମେ ଦେଖିନୁ। କିନ୍ତୁ ଯେଉଁଦିନ ଚଉଦ ବର୍ଷର ରାଜୁ ମଦ ଦୋକାନଠୁ ଅଳ୍ପ ଦୂରରେ ଟ୍ରକ୍ ଧକ୍କାରେ ମଲା, ସେଦିନ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଦୁର୍ଘଟଣାରେ ମରିଥିବାରୁ ପୋଲିସ ଆସି ତା ମୃତଦେହକୁ ଜବତ କରିଥିଲା। ପରେ ତାର ବ୍ୟବଚ୍ଛେଦ ହେବାରୁ ଜଣା ପଡ଼ିଲା, ରାଜୁ ପେଟେ ମଦ ପିଇଥିଲା। ଏ କଥା ତା ବାପା ମାଆ ବି ଜାଣିନଥିଲେ। ସେଦିନ ଗାଁ ଲୋକ ଅନୁଭବ କଲେ ଯେ, ଗାଁର ତରୁଣମାନେ ବି ମଦ ପିଇବା ଶିଖିଗଲେଣି। ତା ନହୋଇଥିଲେ ରାଜୁ ମରିବାର ମାତ୍ର ଛଅ ମାସ ଭିତରେ ତା ସମବୟସ୍କ ଦି ଦି ଟା ଭେଣ୍ଡା ପିଲା ଅକାଳରେ ମରିନଥାନ୍ତେ।

ଅମରେଶ ମାତ୍ର ୧୬ ବର୍ଷର ଥିଲା। ପେଟେ ମଦପିଇ ଦିନ ଦିପହରଟାରେ ଗାଁ ମୁଣ୍ଡରେ ଥିବା ପୋଖରିରେ ଗାଧୋଇବ ବୋଲି ପଶିଲା ଯେ, ଆଉ ବାହାରିପାରିଲା ନାହିଁ। ସେହି ପାଣି ଭିତରେ ସବୁଦିନ ପାଇଁ ଲିଭିଗଲା ତା ଜୀବନ ଦୀପ। ସେହିଭଳି ସୁନନ୍ଦ ବି ଅକାଳରେ ଚାଲିଗଲା। ସୁନନ୍ଦ ଥିଲା ଅମରେଶର ପିଉସୀ ପୁଅ। ଉଭୟେ ଥିଲେ ଏକା ବୟସର। ଦୁହେଁ ଏକାଠି ସାଙ୍ଗ ହୋଇ ସବୁ କାମ କରୁଥିଲେ। ହେଲେ କିଏ ଜାଣିଥିଲା ଯେ, ଏଡ଼େ ଛୋଟ ପିଲାଗୁଡ଼ାକ ମଦ ପିଉଛନ୍ତି ବୋଲି। ଅମରେଶ ମରିବାର ମାତ୍ର ସପ୍ତାହେ ଭିତରେ ହଠାତ୍ ଅସୁସ୍ଥ ହୋଇପଡ଼ିଲା ସୁନନ୍ଦ। ତା ପେଟଟା ଅହେତୁକ ଭାବେ ଫୁଲିବାରେ ଲାଗିଲା। ଯାହା ଖାଇଲେ କିଛି ବି ପେଟରେ ରହିଲା ନାହିଁ। ଧୀରେ ଧୀରେ ତା ଆଖି ଦୁଇଟା କୋରଡ଼ିଆ ଦେଖାଗଲା। ଆଉ ମୁହଁ ପାଦ ସବୁ ଫୁଲିଗଲା। ବାପା ମାଆ ବିବ୍ରତ ହୋଇ ଛୋଟରୁ ବଡ଼ ଡାକ୍ତରଖାନା ସବୁଠିକୁ ନେଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତର କହିଲେ, ସୁନନ୍ଦର କାଳିଞ୍ଜ (ଲିଭର) ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଅସ୍ତ୍ରୋପଚାର କଲେ ବି କିଛି ଲାଭ ହେବନି। ଦେଖୁ ଦେଖୁ ବାପା ମାଆଙ୍କ ଆଖି ଆଗରେ ଚାଲିଗଲା ସୁନନ୍ଦ। ଷୋହଳ ବର୍ଷର ପୁଅକୁ ହରାଇଲା ପରେ ବାପା ମାଆଙ୍କ ଅବସ୍ଥା କଣ ହେଉଥିବ, ଯେ କେହି ଅନୁମାନ କରିପାରିବ। ସୁନନ୍ଦର ମୃତ୍ୟୁ ପରେ ତା ମାଆ ଏତେ ଭାଙ୍ଗି ପଡ଼ିଲେ ଯେ, ମାତ୍ର ଦୁଇ ମାସ ଭିତରେ ସେ ବି ଚାଲିଗଲେ।

ଗାଁଠୁ ଦୂରରେ ରହି ଏ ସବୁ କଥା ଶୁଣିଲା ବେଳେ ମନଟା କେଜାଣି କାହିଁକି ଅତ୍ୟନ୍ତ ଭାରାକ୍ରାନ୍ତ ହୋଇଉଠୁଥିଲା। ବାରମ୍ବାର ଭାବୁଥିଲି, ଗାଁରେ ଅନ୍ତତଃ ଛୋଟ ପିଲାମାନଙ୍କୁ କେମିତି ଏ ନିଶା କାରବାରରୁ ଦୂରେଇ ରଖିହେବ, ସେ ଦିଗରେ କିଛି ପ୍ରୟାସ କରାଯିବା ଦରକାର। ଏତିକି ବେଳେ ଗାଁରୁ ଖବର ମିଳିଲା କାଶିଆ ଚାଲିଗଲା। ମୋତେ ଲାଗିଲା ସତେ ଯେମିତି ମୋ ପାଦତଳୁ ମାଟି ଖସିଗଲା। ମୁଁ ନିଜ କୋହ ସମ୍ବରଣ କରିପାରିଲି ନାହିଁ। ଅବିରତ ଭାବେ ମୋ ଆଖିରୁ ଝରିଲା ଲୁହ। ମୋ ଆଖି ଆଗରେ ନାଚିଗଲା ଗତ ୩୦ ବର୍ଷର ଗୋଟି ଗୋଟି ଘଟଣା।

କାଶିଆ, କପିଳା, ସନିଆ ଆଉ ମଙ୍ଗଳା .. ଏ ଚାରିଜଣ ପିଲା ଦିନର ସାଙ୍ଗ। ଏ ଚାରିଜଣଙ୍କ ପ୍ରକୃତ ନାଁ ଅଲଗା। କିନ୍ତୁ ଏମାନେ ପରସ୍ପରକୁ ଏହି ନାଁରେ ଡାକନ୍ତି। ମୁଁ ଥିଲି ମଙ୍ଗଳା .. ଆଉ ମୋର ଏ ତିନି ଜଣ ସାଙ୍ଗ। ଜୀବନ ସଂଘର୍ଷରେ ମୋତେ ଗାଁ ଛାଡ଼ିବାକୁ ପଡ଼ିଛି। କିନ୍ତୁ ଗାଁରେ ରହି ଯାଇଛନ୍ତି କାଶିଆ, କପିଳା ଆଉ ସନିଆ। କିଛି ବର୍ଷ ତଳେ ଆମେ ସବୁ ହାଇସ୍କୁଲରେ ପଢ଼ିଲା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲା କପିଳା। ତାକୁ ହରାଇବାର ଦୁଃଖ ଏ ଯାଏଁ ମନରୁ ଯାଇନି। ଏମିତି ସ୍ଥଳେ କାଶିଆ ଚାଲିଯିବାଟା ଆହୁରି ପୀଡ଼ାଦାୟକ ଥିଲା ମୋ ପାଇଁ। କାଶିଆ ଥିଲା ଗାଁର ସବୁଠୁ ଭଲ ପିଲା। ଘରର ସାନପୁଅ। ସମସ୍ତଙ୍କ ଗେହ୍ଲାପୁଅ। ବାପା ମାଆଙ୍କ ଆଖିର ତାରା। ତା ବଡ଼ ଭାଇ ଭଉଣୀ ସମସ୍ତେ ତାକୁ ଖୁବ୍ ଭଲପାଆନ୍ତି। ହେଲେ ପାଠ ପଢ଼ିବାରେ ଥିଲା ଖୁବ୍ ଦୁର୍ବଳ। ସେଥିପାଇଁ ତାକୁ ତା ବାପା କାଶିଆ ବୋଲି ଡାକୁଥିଲେ। ପ୍ରକୃତରେ ତାକୁ ହିଁ କାଶିଆ ଡକାଯାଉଥିଲା। ବାକି ମଙ୍ଗଳା, କପିଳା ଆଉ ସନିଆ .. ଆମେ ନିଜ ନିଜ ନାଁ ନିଜେ ରଖିଥିଲୁ, କେବଳ କାଶିଆ ସହିତ ତାଳ ଦେବା ପାଇଁ। ତେଣୁ ଆମର ଏ ନାଁ ଶୁଣିଲେ ବେଶି ଖୁସି ହେଉଥିଲା କାଶିଆ।

ପାଠପଢ଼ା ଘର ସିନା ଶୂନ .. କିନ୍ତୁ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ସବୁଥିରେ ସେ ଥିଲା ସମସ୍ତଙ୍କଠୁ ଆଗରେ। ସ୍କୁଲ ଡ୍ରାମାରେ ସେ ଥିଲା ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା। ମଞ୍ଚ ଉପରକୁ ଉଠିଲେ, ସମସ୍ତେ ହସି ହସି ବେଦମ୍ ହୋଇଯାଆନ୍ତି। ଛନ୍ଦ କପଟ ବୋଲି କିଛି ନାହିଁ। ସବୁବେଳେ ହସହସ। ଗାଁର ସମସ୍ତଙ୍କ ପ୍ରିୟ ଥିଲା କାଶିଆ। ଗୁରୁଜନମାନଙ୍କ ବୋଲ ହାକ କରିବାରେ କେବେ ପଛୁଆ ନାହିଁ। ତେଣୁ ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି। ହେଲେ ଭଲ ପାଠ ପଢ଼ିଲାନି ବୋଲି ମାଟ୍ରିକ୍ ପରେ ତା ପାଠପଢ଼ାରେ ଡୋର ବନ୍ଧା ହେଲା। ତା ବାପା କହିଲେ, କିଛି ତ କରୁନୁ.. ଅନ୍ତତଃ ଛୋଟ ମୋଟ ବେପାରବାଟ କିଛି କରିବା ଶିଖ। ତା ହେଲେ ଯାଇ ତୁ ନିଜେ ତୋ ଘର ଚଳାଇ ପାରିବୁ। ଗେଲାପୁଅ, ବାପାଙ୍କ କଥାକୁ ହସରେ ଉଡ଼ାଇ ଦିଏ। ସବୁବେଳେ କହେ, ଆମେ ବାବାଜୀ ଲୋକ .. ଆମର କୋଉ ଘର ସଂସାର ହେବ ଯେ, ଆମେ ବେପାରବାଟ କରିବୁ। ଆଜି ଏଇଠି ତ କାଲି ଆଉ କୋଇଠି, ଗଣ୍ଡେ ଖାଇଦେଇ ଶୋଇ ପଡ଼ିଲେ ଜୀବନ ସରିଲା। ଏତେ ଚିନ୍ତା କାହିଁକି। ତା କଥା ଶୁଣି, ତା ବାପା ବିରକ୍ତି ପ୍ରକାଶ କରନ୍ତି। ଆଉ କାଶିଆ ହସି ଦେଇ ସେଠାରୁ ଚାଲିଯାଏ।

ବୟସ ବଢ଼ିବା ସହିତ, ଘର କଥା ବୁଝିବା ଯେ ନିହାତି ଦରକାର, ସେ କଥା ବୁଝି ପାରିଥିଲା କାଶିଆ। ସେଥିପାଇଁ ଅଧିକାଂଶ ସମୟରେ ଜମିବାଡ଼ିରେ କାମ କରୁଥିଲା। ହେଲେ ପିଲାଦିନରୁ ଗେଲବସର ହୋଇ ବଢ଼ିଥିବା କାଶିଆ ପାଇଁ ଏ ପରିଶ୍ରମ ସବୁଠୁ କଷ୍ଟକର ଥିଲା। ପ୍ରତିଦିନ କ୍ଷେତରୁ କ୍ଳାନ୍ତ ହୋଇ ଫେରୁଥିବା କାଶିଆ ପାଇଁ ପୀଡ଼ା ହରଣର ଏକମାତ୍ର ମାଧ୍ୟମ ଥିଲା ମଦ। ଅନ୍ୟ ମଦ୍ୟପମାନଙ୍କ ସଲାସୁତରାରେ ସେ ପାଲଟି ଯାଇଥିଲା ଗୋଟିଏ ମଦୁଆ। ନିୟମିତ ମଦ ନପିଇଲେ ସେ ଠିକ୍ ଭାବେ କିଛି କରିପାରୁନଥିଲା। ଏହି ଅଭ୍ୟାସ ହିଁ ଦିନେ ଯେ ତା ପାଇଁ କାଳ ହେବ, ସେ କେବେ ଭାବିନଥିଲା। ସେଦିନ ଗାଁରୁ ଯେତେବେଳେ ସନିଆ ମୋତେ ଫୋନ୍ କରି କହିଲା, କାଶିଆ ଚାଲିଗଲା, ମୁଁ ଭାବିଲି .. ବୋଧେ କାଶିଆ ଗାଁ ଛାଡ଼ି କୌଣସି କାମଧନ୍ଦାର ସନ୍ଧାନରେ ବାହାରକୁ ଚାଲିଗଲା। ମୁଁ ଯେତେବେଳେ ତାକୁ ପଚାରିଲି, କୁଆଡ଼େ ଗଲା କାଶିଆ .. ତା ପରେ ସନିଆର କୌଣସି ଉତ୍ତର ନଥିଲା। ସେ ଭୋ ଭୋ ହୋଇ କାନ୍ଦି ଉଠିଲା। ମୁଁ ଆଉ କିଛି ପଚାରିବା ଆଗରୁ, ସେ ସେହି କାନ୍ଦୁରା ସ୍ୱରରେ କହିଲା, ନାଇଁରେ କାଶିଆ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଗଲା। ଆମ ଉଭୟଙ୍କ ପାଖରେ ଆଉ କୌଣସି ଶବ୍ଦ ନଥିଲା।

କାଶିଆ ବି ଥିଲା ମଦର ଶିକାର। ଅବିଚାରିତ ଭାବେ ମଦ ପିଇବା ଫଳରେ, ସେ ବି ତା କିଡନି ହରାଇ ବସିଥିଲା। କିଛି ଦିନ ତଳେ ତା ପାଇଁ ବାହାଘର ଠିକ୍ କରାଯାଇଥିଲା। ସେ ଝିଅ ଦେଖି ବହୁତ ଖୁସି ହୋଇଥିଲା। ଭାବିଥିଲା, ଅନ୍ତତଃ ବାହାଘର ପରେ ସେ ସୁଧୁରିଯିବ। ତା ସଂସାର ଖୁସିରେ ଚଳିବ। ହେଲେ ବାହାଘର ପୂର୍ବରୁ ହିଁ ସରିଗଲା କାଶିଆର କାହାଣୀ।

ଗାଁରେ ଏମିତି ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯିବା ପରେ ମୋ ମନ ଭିତରେ କାହିଁକି କେଜାଣି ଏକ ବିଦ୍ରୋହ ଜାତ ହେଉଛି। ପ୍ରକୃତରେ ଏମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଗାଁରେ ଖୋଲିଥିବା ସେହି ମଦ ଦୋକାନ ନା ଅଭିଭାବକମାନଙ୍କ ଅଣଦେଖା? ଗାଁର ବୟସ୍କମାନେ ବୋଧହୁଏ ଚିନ୍ତା କରୁନାହାନ୍ତି ଯେ, ଉତ୍ତରପିଢ଼ି ଯଦି ଏମିତି ନିଶାସକ୍ତ ହୋଇ ଅକାଳରେ ଝଡ଼ିଯିବ, ତାହେଲେ ପରବର୍ତ୍ତୀ ପ୍ରଜନ୍ମର ଅବସ୍ଥା କଣ ହେବ? କଣ ହେବ, ଗାଁର ଭବିଷ୍ୟତ? କଣ ଏମିତି ହିଁ ଅକାଳରେ ଝଡ଼ିପଡ଼ିବେ ଜଣକ ପରେ ଜଣେ? ନା ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ କେହି ଆଗେଇ ଆସିବେ? ଏମିତି ଅନେକ ଅସମାହିତ ପ୍ରଶ୍ନ ମୋ ମନକୁ ଅଧିକରୁ ଅଧିକ ଭାରାକ୍ରାନ୍ତ କରିଚାଲିଛନ୍ତି। ଅଥଚ.. ଏହାର ସମାଧାନର କୌଣସି ସୂତ୍ର ମୋ ମନକୁ ଛୁଇଁ ପାରୁନି।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

 

Comments are closed.