Latest Odisha News

BREAKING NEWS

ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥକାଠ

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ହୋଇଥିଲା। ସେପଟେ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ୧୨ ଫୁଟିଆ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି। ଏହା ପୂର୍ବରୁ ଆଜି ସକାଳୁ ରଥ ତତ୍ତ୍ବାବଧାରକଙ୍କ ତତ୍ତ୍ଵାବଧାନରେ ଭୋଇ ସର୍ଦ୍ଦାରଙ୍କ ସହ ଭୋଇ ସେବକମାନେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବା ସ୍ଥାନରେ ଆଣି ରଖିଥିଲେ। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ତିନୋଟି ଧଉରା କାଠର ଚତୁଃପାର୍ଶ୍ଵରେ ଚୂନପାଣି ପକାଯାଇ ପବିତ୍ର କରାଯିବା ପରେ କାଠ ତିନୋଟିକୁ ମାଜଣା କରାଯାଇଥିଲା। ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହୋଇଥିଲା।

ରଥନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ  ଜାନୁଆରୀ ୨୮ ତାରିଖରେ ନୟାଗଡ଼ ବନଖଣ୍ତରୁ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର ୫୧ ଖଣ୍ତ କାଠ ବଳକା ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବ ମୋଟ ୭୧୩ ଖଣ୍ତ ରଥକାଠ ଆସି ପହଞ୍ଚିବ।

ସେପଟେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ବିଧି ରହିଛି। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ବରିଷ୍ଠ ରଥ ତତ୍ତ୍ୱାବଧାରକ ଏବଂ ସେବାୟତ କହିଛନ୍ତି।

Comments are closed.