ଭୁବନେଶ୍ବର:ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭୁବନେଶ୍ବରରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଲୋକଭବନରେ ପହଞ୍ଚି କିଛି ସମୟ ବିତାଇବେ ରାଷ୍ଟ୍ରପତି । ଆଜି ସଂଧ୍ୟାରେ କଟକ ବାନାରାସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ସେଠାରୁ ଫେରି ଭୁବନେଶ୍ବର ଲୋକଭବନରେ ରାତ୍ରୀ ଯାପନ କରିବେ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଭୁବନେଶ୍ବରରୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି । ବ୍ରହ୍ମପୁରରୁ ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିବେ ଓ ରେଳ ଷ୍ଟେସନରୁ କାର ଯୋଗେ ତପ୍ତପାଣି ଯିବେ ଓ ସେଠାରେ ମାଆ କନ୍ଧୁଣି ଦେବୀଙ୍କୁ ପୂଜା କରିବେ । ସେଠାରେ ପୂଜା କରି ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇ ସେଠାରେ ରାତ୍ରିଯାପନ କରିବେ । ୫ ତାରିଖରେ ଆର୍ମି ଏଡି କଲେଜରୁ ବାହାରି ରେଳ ଷ୍ଟେସନକୁ କାର ଯୋଗେ ଆସି ପୁଣି ଟ୍ରେନ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଥାଉକି,୪ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁରରେ ପହଞ୍ଚିବେ । ବ୍ରହ୍ମପୁର ଷ୍ଟେସନ୍କୁ ଟ୍ରେନ୍ ଯାତ୍ରା କରିବାରେ ସେ ହେବେ ଦେଶର ପ୍ରଥମ ରାଷ୍ଟ୍ରପତି । ତାଙ୍କର ଏହି ଟ୍ରେନ୍ ଯାତ୍ରା ବ୍ରହ୍ମପୁର ଷ୍ଟେସନ୍ର ଗୁରୁତ୍ୱ ଓ ଗାରିମାକୁ ବହୁଗୁଣା ବୃଦ୍ଧି କରିବ ବୋଲି କୁହାଯାଉଛି ।