ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଲଗାଣ ବର୍ଷାରୁ ଆଶ୍ୱସ୍ତି ପାଇଛନ୍ତି ଚାଷୀ। ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ ବର୍ଷା ପରିମାଣ ବଢିବା ସହ ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହୋଇପାରେ। ସୋମବାର ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗକୁ ସପ୍ତାହ ଯାଏ ପ୍ରବଳ ବର୍ଷା ଥିବାରୁ ସବୁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)।
ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ, ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ୪ରୁ ୮ ତାରିଖ ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ଜଳସ୍ତର ପୁଣି ବଢ଼ିପାରେ। ଏଥିପାଇଁ ସତର୍କ ରହି ଆଗୁଆ ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଅଛି।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ୮ ଓ ୯ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା ଅଛି। ୩ରୁ ୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବ। ମୌସୁମୀ ସକ୍ରିୟ ଥିବାରୁ ଏହା ପ୍ରଭାବରେ ବର୍ଷା ହେବ। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ୫ରୁ ୮ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି। ଗତ ୨୪ ଘଣ୍ଟାରେ ଦେବଗଡ଼ରେ ସର୍ବାଧିକ ୪୪.୨ ମିମି ବର୍ଷା ହୋଇଛି। ତାଳଚେରରେ ୨୦ ଓ ସମ୍ବଲପୁରରେ ୧୨ ମିମି ବର୍ଷା ହୋଇଛି।