Latest Odisha News

BREAKING NEWS

ପବିତ୍ର ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଆଜିର ଦିନରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ମହାନ ଓଡ଼ିଆ ଭାଷାକୁ ଲୁପ୍ତ କରିଦେବାକୁ ଯେଉଁପରି ଭାବେ ସେତେବେଳେ ଚକ୍ରାନ୍ତ ହୋଇଥିଲା ସେହିକାରଣରୁ ସମଗ୍ର ଓଡ଼ିଶାରେ ମୁଣ୍ଡଦେକି ଉଠିଥିଲା ଭାଷା ଆନ୍ଦୋଳନ । ସେତେବେଳେ ଉତ୍କଳ ମାଟିର କବି, ଲେଖକ, ଶିକ୍ଷକ, ବୁଦ୍ଧିଜୀବୀ, ରାଜା ମହାରାଜା, କୃଷକ, ନେତା ସମେସ୍ତ ନିଜ ନିଜ ଢଙ୍ଗରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ଭାଷା ଆନ୍ଦୋଳନର ନେତୃତ୍ୱ ଯେଉଁମାନେ ନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ – ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକିରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, ପଣ୍ଡିତ ନୀଳକଣ୍ଠ ଦାସ, ରାଜା ବାସୁଦେବ ସୁଢଳଦେବ, କବି ରାଧାନାଥ ରାୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରି ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ।

ଆଜିର ଏହିି ପବିତ୍ର ଦିବସରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ସେହିପରି ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଟି କୋଟି ଓଡ଼ିଶାବାସୀଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ଟ୍ୱିଟ୍ ମାଧ୍ୟମରେ ।

ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଶ୍ୱରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ ଅଭିନନ୍ଦନ ଜ୍ଞାପନ କରି କହିଛନ୍ତି – ଓଡ଼ିଶା ଦିବସରେ ଦେଶ ବିଦେଶରେ ରହୁଥିବା ସବୁ ଓଡ଼ିଆ ଭାଇଭଉଣୀ ଏବଂ ରାଜ୍ୟବାସୀଙ୍କୁ ଆନ୍ତରିକ ଅଭିନନ୍ଦନ। ସ୍ଵତନ୍ତ୍ର ପ୍ରଦେଶ ଗଠନର ପୁରୋଧାମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ଓଡ଼ିଆ ଜାତିର ସ୍ବାଭିମାନ ଓ ଓଡ଼ିଶା ଜନନୀର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ।

Leave A Reply

Your email address will not be published.