Latest Odisha News

BREAKING NEWS

‘ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ’

ଭୁବନେଶ୍ୱର: ଓଡିଶା ମାଟିରେ ମହାମହିମ ରାଷ୍ଟ୍ରପତି । ନିଜ ରାଜ୍ୟକୁ ଆସି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଣେ ପ୍ରକୃତ ଓଡ଼ିଆଣି ପରିଚୟ ଦେଖିବାକୁ ମିଳିଛି ତାଙ୍କ ଠାରେ । ତାଙ୍କ ବେଶ ପୋଷାକଠାରୁ ଆରମ୍ଭ କରି ଖାଦ୍ୟର ମେନ୍ୟୁ ପର୍ଯ୍ୟନ୍ତ  । ସବୁଥିରେ ଓଡିଶାର ଝଲକ, ଓଡିଆ ମହକ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭିଜିଟର୍ସ ବୁକରେ ସ୍ୱାକ୍ଷର କରିଛନ୍ତି ସେ  ।

“ଆଜି ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଓ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡ଼ିଆ ଜାତିର ପରମ ଆରାଧ୍ୟା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଓ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକରୁ । ମାନବଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି । ଶ୍ରୀ ଜଗନ୍ନାଥଙ୍କ ଆଶିଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ, ଏହା ମୋର କାମନା ।”

କେବଳ ସେତିକି ନୁହେଁ, ଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ଯେଉଁ ନିୟମ ଅଛି, ତାହାକୁ ମଧ୍ୟ ପାଳନ କରିଛନ୍ତି ସେ । ଗଜପତି ମହାରାଜା ଓ ମହାରାଣୀଙ୍କ ସହିତ ପୁରୀ ରାଜଭବନରେ ତଳେ ବସି ମହାପ୍ରସାଦ ଖାଇଥିଲେ ରାଷ୍ଟ୍ରପତି । ଘିଅ ଅନ୍ନ, କାନିକା, ଖେଚୁଡି, କଦଳୀ ଭଜା, ପୋଟଳ ଭଜା, ଡାଲି, ଡାଲମା, ଶାଗ ଆଦି ମେନ୍ୟୁରେ ରହିଥିଲା । ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ବଳିଗଣ୍ଡି ଛକଠାରୁ ବଡ଼ଦାଣ୍ଡରେ ୨ କିଲୋମିଟର ଚାଲି ଚାଲି ଗଲେ । ବାଟରେ ତାଙ୍କୁ ସ୍ୱାଗତ କରିବାକୁ ଅଟକି ରହିଥିବା ଲୋକଙ୍କୁ ହାତ ହଲେଇ ସମ୍ୱର୍ଦ୍ଧନା ଜଣାଉଥିଲେ । ଜୟ ଜଗନ୍ନାଥ ଧ୍ୱନିରେ ବଡ଼ଦାଣ୍ଡ କମ୍ପିଉଠିଥିଲା ।

ସିଂହଦ୍ୱାର ସାମ୍ନାରେ ନିକଟରେ ଆଣ୍ଠୁ ମାଡ଼ି ମୁଣ୍ଡିଆ ମାରିଥିଲେ ଶ୍ରୀଜିଉଙ୍କୁ । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ । ମହାପ୍ରଭୁଙ୍କୁ ତୁଳସୀ ମାଳ ଦେଇ ଦୀପ ଜଳାଇଥିଲେ ବୋଲି କୌଳିକ ପଣ୍ଡା କହିଥିଲେ । ଦର୍ଶନ ସାରି ଫେରିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ବଡସିଂହାର ବେଶ ପଟ୍ଟଚିତ୍ର ଓ କୌଳିକ ପଣ୍ଡାଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଛବି ଭେଟି ଦିଆଯାଇଥିଲା । ଦାୟିତ୍ୱା ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଓ ଶ୍ରୀଜିଉ ଦର୍ଶନ । ପୁରୀରୁ ଭୁବନେଶ୍ୱରକୁ ଫେରିଆସିଛନ୍ତି । ବରପୁତ୍ରମାନଙ୍କଠାରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ରାତିରେ ରାଜଭବନରେ ତାଙ୍କର ନୈଶ୍ୟ ଭୋଜିର ଆୟୋଜନ ହୋଇଛି । ରାଜଭବନରେ ସେ ରାତ୍ରୀଯାପନ କରିବେ ।

 

Leave A Reply

Your email address will not be published.