Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ମେଳିରେ ସାମିଲ ହେବେ କି ନବୀନ ?

ଭୁବନେଶ୍ୱର:  ଇଟାଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଏକ ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏହି ବୈଠକ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି। ନବୀନଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ଶରଦ ପାଓ୍ୱାର, ଉଦ୍ଧବ ଠାକରେ, ଫାରୁକ ଅବଦୁଲ୍ଲା ଏବଂ ଅନ୍ୟାନ୍ୟ ଅଣ ବିଜେପି ନେତାଙ୍କୁ ମମତା ଏହି ବୈଠକରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟତଃ ରାଷ୍ଟ୍ରପତି ନିର୍ବାଚନ ବାବଦରେ ଏହି ବୈଠକରେ ଆଲୋଚନା ହେବ। ଏନଡିଏରେ ଅଂଶୀଦାର ନଥିବା ଦଳକୁ ଏକାଠି କରି ଗୋଟିଏ ମଜବୁତ ବିରୋଧୀ ଦଳ ତିଆରି କରିବାକୁ ଏହି ବୈଠକର ଉଦ୍ଦେଶ୍ୟ ରହିଛି ବୋଲି ମମତା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଜୁନ ୧୫ ତାରିଖରେ ଅପରାହ୍ନ ତିନିଟାରେ କନଷ୍ଟିଚ୍ୟୁସନ କ୍ଲବରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଇସିନା ହିଲରେ କିଏ ବସିବେ ସେ ନେଇ କଳ୍ପନା ଜଳ୍ପନା ଚାଲିଛି । ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବାକୁ ୧.୨ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି। ଆଉ ବିଜେପି ଏଥିପାଇଁ ଓଡ଼ିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସକୁ ନିଜ ପଟକୁ ଆଣିବା ପାଇଁ ବହୁ ଆଗରୁ ଗୋଟି ଚଳାଇ ଦେଇଛି। ଏଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ବିଜେପି ନିୟୋଜିତ କରିଥିବା ସୂଚନା ରହିଛି।

ଅନ୍ୟପଟେ ଏନଡିଏରେ ସାମିଲ ଥିବା ଜେଡିୟୁ ସହ ବିଜେପିର ସମ୍ପର୍କ ବିହାରରେ ସେଭଳି ଆଉ ନାହିଁ ବୋଲି ହାବଭାବରୁ ଜଣାପଡିଛି । ଯାହାର ଫାଇଦା ନେବାକୁ ବିରୋଧୀ ରଣନୀତି ତିଆରି କରୁଥିବା ସୂଚନା ରହିଛି। ଆଉ ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଡିଏରେ ସାମିଲ ନଥିବା ଦଳର ସୁପ୍ରିମୋଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ସମସ୍ତ ଆଞ୍ଚଳିକ ଦଳ ଏବଂ ଅଣ ବିଜେପି ଦଳଙ୍କୁ ଏକାଠି କରି ଗୋଟିଏ ବଡ ଶକ୍ତି ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନେତୃତ୍ୱାଧୀନ ସରକାରକୁ ଶକ୍ତ ଝଟକା ଦେବାକୁ ଚିନ୍ତା କରୁଛନ୍ତି ମମତା। ତେଣୁ ଏବେ ମମତା ସମେତ ଟିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନିଜ ନିଜ ନେତୃତ୍ୱରେ ଦେଶର କିଛି ଦଳକୁ ଏକାଠି କରି ଗୋଟିଏ ବଡ ମୋର୍ଚ୍ଚା ତିଆରି କରିବାକୁ ଯୋଜନା କରୁଛନ୍ତି।

ତେବେ ସମଦୂରତାର ନାରା ଦେଇଥିବା ଏବଂ ପୂର୍ବରୁ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ବିଜେଡି ସୁୁପ୍ରିମୋ ମମତା ବାନାର୍ଜୀଙ୍କ ଚିଠିର ଉତ୍ତର କ’ଣ ରଖିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କିନ୍ତୁ ରୋଚକ କଥା ହେଲା ନିକଟରେ ନବୀନ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ନବୀନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଅଲଗା ଅଲଗା ସାକ୍ଷାତ କରିଥିଲେ।

ଏହି ବୈଠକ ରାଷ୍ଟ୍ରପତି ନିର୍ବାଚନକୁ ଆଖି ଆଗରେ ରଖି ହୋଇଥିବା ବୋଲି କୁହାଯାଉଛି। ଏହି ଗସ୍ତ ବେଳେ ନବୀନ ତାଙ୍କ ଇଟାଲୀ ଗସ୍ତ ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ ସମସ୍ତ କ୍ଲିଅରାନ୍ସ ବା ଅନୁମତି ଆଣିଥିବା ମଧ୍ୟ ସୂଚନା ରହିଛି। ହେଲେ ମମତାଙ୍କୁ ଏହି କ୍ଲିଅରାନ୍ସ ମିଳିନଥିବାରୁ ସେ ଇଟାଲୀ ଗସ୍ତରେ ଯାଇପାରିନଥିଲେ କି ପୋପଙ୍କୁ ଭେଟିପାରିନଥିଲେ।

ଅନ୍ୟପଟେ ରାଜ୍ୟରେ ବିଜେପି ନବୀନ ସରକାର ଉପରେ ବର୍ଷୁଛି। ଏପରି ସ୍ଥିତିରେ ମମତାଙ୍କ ବୈଠକକୁ ବୟକଟ ନକରି ନିଜର ପ୍ରତିନିଧି ପଠାଇ କେନ୍ଦ୍ର ବିଜେପିକୁ ପରୋକ୍ଷରେ ନିଜର ରାଜନୀତିର ଧାର ମଧ୍ୟ ଦେଖାଇପାରନ୍ତି ନବୀନ।

ତେବେ କେନ୍ଦ୍ର ବିରୋଧରେ ମେଳି ପାଇଁ ନବୀନଙ୍କୁ ଅନେକ ଥର ବିରୋଧୀ ଦଳର ନେତା ଆମନ୍ତ୍ରଣ କରିଛନ୍ତି। ହେଲେ ଏଯାବତ ଏହି ବୈଠକରେ ସାମିଲ ହୋଇନାହାନ୍ତି। କେବଳ ସମୟ ଆସିଲେ ଦଳ ବିଚାର କରିବ କହି ଧାଡିକିଆ ଉତ୍ତରରେ ମିଡିଆର ପ୍ରଶ୍ନକୁ ଟାଳିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ହାରିବା ପରେ ମମତା ସମସ୍ତ ଆଞ୍ଚଳିକ ଦଳ ସହ ଯୋଗାଯୋଗ କରି ଏକାଠି ହେବାକୁ ପ୍ରୟାସ କରିିଥିଲେ। ଆଉ ଦିଲ୍ଲୀରେ ଏକ ବୈଠକ ମଧ୍ୟ କରିଥିଲେ। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେସିଆର ସମେତ ଅନେକ ଆଞ୍ଚଳିକ ଦଳ ନବୀନଙ୍କୁ ନିଜ ପଟକୁ ଆଣି ବିଜେପିକୁ ଚେକ୍ ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ଏଯାବତ ନବୀନ ସମଦୂରତା କଥା କହି ନିଜର ଭାବମୂର୍ତ୍ତି ୟୁପିଏ ଏବଂ ଏନଡିଏ ପୋଖରୀରେ ବୁଡ ପକାଇ ନାହାନ୍ତି।

Leave A Reply

Your email address will not be published.