Latest Odisha News

BREAKING NEWS

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

ଯାହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଗରୁ ବି କହିଥିଲେ ଶିକ୍ଷା ବିଭାଗର ଭିତ୍ତିଭୂମି ସୁଦୃଢ଼ କରାଯିବ । ଭତ୍ତିଭୂମି କହିଲେ ଶିକ୍ଷକ । ଏହା ପୂର୍ବରୁ ବି ଶିକ୍ଷକ ଆନ୍ଦୋଳନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଉଚ୍ଛେଦ କରିଥିଲେ । ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଠିକା ନିଯୁକ୍ତି ଉଠିଗଲା, ସମସ୍ତେ ନିୟମିତ ହେଲେ ।

ଏବେ ଠିକା ଶିକ୍ଷକ ନିୟମିତ ହେଲା ବେଳେ ପୁରୁଣା ପେନସନ୍ ଦାବି କରିଛନ୍ତି । ଶିକ୍ଷକମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ କହୁଛନ୍ତି ଠିକା ନିଯୁକ୍ତି ଯୁଗ ସରିଗଲା । ତାହେଲେ ଆଜି କାହିଁକି ୨ ଲକ୍ଷ ଶିକ୍ଷକ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କୁଆଡ଼େ ଗଲେ ? ଶିକ୍ଷକ ଲୋୟର ପିଏମଜିରେ ହକ୍ ମାଗୁଥିବା ବେଳେ ମନ୍ତ୍ରୀ ପଦ୍ମପୁରରେ ପ୍ରଚାର କରୁଛନ୍ତି ।

ଏଥିରୁ ଜଣାପଡ଼ୁଛି ଶିକ୍ଷକଙ୍କ ପ୍ରତି ସରକାରଙ୍କ ଦରଦ ନାହିଁ । ଶିକ୍ଷକଙ୍କ ପ୍ରତି ସରକାର ଦୁଇ ପଦ କହୁ ନାହାଁନ୍ତି । ଶିକ୍ଷକ ନେତାଙ୍କୁ ଡାକି ଆଲୋଚନା କରିବାକୁ ମୋହନ ମାଝୀ ଦାବି କରିଛନ୍ତି । ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.