Latest Odisha News

BREAKING NEWS

ପାହାଡ଼ପୁରରେ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଅଭିଭାଷଣ, ‘ସୂର୍ଯ୍ୟଗ୍ରାମ’ ହେବ ରାଷ୍ଟ୍ରପତିଙ୍କ ଶାଶୁଘର ଗାଁ

ବାରିପଦା: ରାଜ୍ୟରେ ବିଜେପି ସରକାର ସଫଳତାର ସହ ଦୁଇ ବର୍ଷ ପୂରଣ କରିଥିବା ବେଳେ ଏହି ଗୌରବମୟ ଅବସରରେ ଏକ ବିଶେଷ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତ ୨ ବର୍ଷ ମଧ୍ୟରେ ଓଡ଼ିଶାର ମହାପୁରୁଷମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଫଳ ନେତୃତ୍ୱରେ ଓଡ଼ିଶାର ବିକାଶ ଚକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ସବୁ କ୍ଷେତ୍ରରେ ପୁଞ୍ଜିନିବେଶର ସୁଅ ଛୁଟୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

​ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୟୂରଭଞ୍ଜର ଝିଅ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଆସନରେ ଅଧିଷ୍ଠିତ ହୋଇଥିବା ବେଳେ, ତାଙ୍କ ଶାଶୁଘର ଗାଁ ପାହାଡ଼ପୁରକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ଗାଁର କୋମଳମତି ଶିଶୁମାନଙ୍କ ସହ ହାତ ମିଳାଇ ବେଶ୍ ଆତ୍ମୀୟତାର ସହ ଭାବ ବିନିମୟ କରିଥିଲେ।

​”ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍କୁଲକୁ ଯାଇ ପିଲାମାନଙ୍କ ସହ ମିଶିବାର ଏକ ଅପୂର୍ବ ସୁଯୋଗ ମିଳିଲା। ପିଲାମାନଙ୍କ ମନରେ ତାଙ୍କ ପ୍ରତି ଥିବା ସେହି ଶ୍ରଦ୍ଧା ଏତେ ଗଭୀର ଯେ, ସେମାନେ ଆଜି କେବଳ ରାଷ୍ଟ୍ରପତି ନୁହେଁ, ବରଂ ନିଜ ମାଆ ସେମାନଙ୍କ ପାଖକୁ ଆସିଥିବା ଭଳି ଅନୁଭବ କରୁଥିବା କହିଛନ୍ତି।” – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

​ଏହି ଭାବପୂର୍ଣ୍ଣ ମହୋତ୍ସବରେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପାହାଡ଼ପୁରକୁ ଏକ ଆଦର୍ଶ ‘ସୂର୍ଯ୍ୟଗ୍ରାମ’ (ସୌର ଶକ୍ତି ସମ୍ପନ୍ନ ଗ୍ରାମ) ଭାବେ ଗଢ଼ି ତୋଳିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଖୁବଶୀଘ୍ର ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ, ଯାହାଦ୍ୱାରା ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ମାଗଣାରେ ଏହି ସୌର ସେବାର ଲାଭ ଉଠାଇପାରିବେ।

​ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଓ ସମୃଦ୍ଧି ପାଇଁ ଡବଲ ଇଞ୍ଜିନ ସରକାର ସଦାସର୍ବଦା ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଦୋହରାଇଛନ୍ତି।

Leave A Reply

Your email address will not be published.