Latest Odisha News

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ । ଘରୁ ମିଳିଥିବା ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା, ଜମି ଓ ଘରବାଡ଼ି ବାବଦରେ ପଚରାଉଚରା ଚାଲିଛି ।

ବିରଞ୍ଚି ନାରାୟଣ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭୁବନେଶ୍ୱର, କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ମିଳିଥିବା ସମ୍ପତ୍ତି ଦେଖି ଟେରା ହୋଇଯାଇଥିଲେ ଅଧିକାରୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ଗତକାଲି ସୁଦ୍ଧା ଠାବ ହୋଇଥିଲା ।

ବିରଞ୍ଚି ନାରାୟଣଙ୍କ ଘରୁ ନଗଦ ୧୨ ଲକ୍ଷ ଓ ସମ୍ପର୍କୀୟଙ୍କ ଘରୁ ମିଳିଥିଲା ୧୩ ଲକ୍ଷ ଟଙ୍କା । ପାଖାପାଖି ଦେଢ଼ କିଲୋ ସୁନା ଗହଣା ମିଳିଥିଲା ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ । ବହୁ ବିଦେଶୀ ମୁଦ୍ରା ଜବତ ହୋଇଥିଲା । ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କରେ ତଥ୍ୟ ମାଗିଛି ଭିଜିଲାନ୍ସ ।

ବିରଞ୍ଚି ନାରାୟଣ ସାହୁଙ୍କର ଭୁବନେଶ୍ୱରରେ ୨ଟି ଦୁଇ ମହଲା କୋଠା ସମେତ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକରେ ୧୪ଟି ପ୍ଲଟ ରହିଛି । ୫୬ ଲକ୍ଷ ଟଙ୍କାର ବୀମା ରାଶି ରହିଛି । ନିଯୁକ୍ତି ସମ୍ପର୍କିତ ଆଡମିଟ୍ କାର୍ଡ ସବୁ ଜବତ କରିଥିଲେ ଭିଜିଲାନ୍ସ ଟିମ୍ ।

ଚାକିରି ବ୍ୟତୀତ ତାଙ୍କର କଣ ଥିଲା ଆୟର ଉତ୍ସ ? ଆଉ କେଉଁ ଉପାୟରେ ଅର୍ଥ ରୋଜଗାର କରୁଥିଲେ ? ଚାକିରି କରାଇ ଦେବା ନାଁରେ ଲାଞ୍ଚ କରାବାର କରୁଥିଲେ କି ବିରଞ୍ଚି ନାରାୟଣ ସାହୁ ? ଘରୁ ବିପୁଳ ପରିମାଣର ଟଙ୍କା, ସୁନା ଗହଣା ଓ ଏତେ ସବୁ ପ୍ଲଟ କେମିତି କଲେ ? ଅଧିକ ତଥ୍ୟ ସଂଗ୍ରହ କରୁଛି ଭିଜିଲାନ୍ସ ଟିମ୍ । ବିରଞ୍ଚିଙ୍କ ସମେତ ଆବଶ୍ୟକ ପଡ଼ିଲେ ତାଙ୍କ ସମ୍ପର୍କୀୟଙ୍କୁ ବି ଜେରା କରାଯିବ ବୋଲି କହିଛି ଭିଜିଲାନ୍ସ ।

Leave A Reply

Your email address will not be published.