Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ତିନି ଶିକାର

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଜନ ଆକ୍ରୋଶ ମହାରାଲିରେ ଯୋଗ ଦେଇ ପ୍ରିୟଙ୍କା ବିଜେପିକୁ ଟାର୍ଗେଟ କରିଛନ୍ତି।

ଦେଶର ରାଜନୈତିକ ସ୍ଥିତି ଓ ରାଜନେତାଙ୍କ ବ୍ୟବହାରକୁ ନେଇ ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଭାରତବାସୀ ନେତାଙ୍କ ଠାରୁ ସରଳତା, ସଭ୍ୟତା ଓ ସତ୍ୟ ଆଶା ରଖିଥାନ୍ତି। କିନ୍ତୁ ଏବେ ପରିସ୍ଥିତି ବଦଳିବା ସହ ମଞ୍ଚ ଉପରେ ମଧ୍ୟ ଆକ୍ଷେପ ପ୍ରତିଆକ୍ଷେପର ପର୍ବ ଦେଖିବକୁ ମିଳୁଛି। ଏସବୁ ଭିତରେ ଲୋକଙ୍କ ଅସଲ ସମସ୍ୟା ଲୁଚିଯାଉଛି।

ତେଣୁ ରାଜନୈତିକ ସଭ୍ୟତା ବଜାୟ ରଖିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ବୋଲି କହିଛନ୍ତି ପ୍ରିୟଙ୍କା। କିନ୍ତୁ ଦୁଇ ଦିନ ତଳେ ମୋଦି ନିଜର ଏକ ମନ୍ତବ୍ୟରେ ବିରୋଧୀଙ୍କୁ ଚୋର ବୋଲି କହିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।

ବଡ଼ ବଡ଼ ଦଳର ନେତା ଯେଉଁମାନେ କି ଦେଶର ସେବା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ଏଭଳି ଢଙ୍ଗରେ ସେମାନଙ୍କ ଅପମାନ କଲେ ବୋଲି ପ୍ରିୟଙ୍କା କହିଛନ୍ତି। ଏପରିକି ମଧ୍ୟପ୍ରଦେଶରେ ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଟାର୍ଗେଟ କରିଛନ୍ତି।

ଦୀର୍ଘ ଦିନ ଧରି ମଣିପୁର ଘଟଣାରେ ପଦେ କହି ନ ଥିବା ମୋଦି ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଭିଡିଓ ଭାଇରାଲ ହେବା ପରେ ବାଧ୍ୟ ହୋଇ ମନ୍ତବ୍ୟ ରଖିଛନ୍ତି। ସେଥିରେ ମଧ୍ୟ ମୋଦି ରାଜନୀତିକ ଉଦେଶ୍ୟ ରଖି ବିପକ୍ଷ ଦଳର ସରକାର ଥିବା ଅନ୍ୟ ଦୁଇ ରାଜ୍ୟର ନାଁ ନେଇଛନ୍ତି। ଯାହାକୁ ପ୍ରିୟଙ୍କା କଡା ସମାଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ସମସ୍ୟା ଦରଦାମ ବୃଦ୍ଧି ଓ ବେରୋଜଗାରକୁ ମୁଖ୍ୟ ପ୍ରସଂଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏପରିକି ରାଜ୍ୟରେ ସତ୍ତା ଭୁଲ ଲୋକ ହାତରେ ଦେଲେ କିଭଳି ହଇରାଣ ହେବାକୁ ହୁଏ ସେ କଥାକୁ ଉଠାଇବା ସହ ଆଦିବାସୀ ଦଳିତଙ୍କ ଉପରେ ଅତ୍ୟାଚାରକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ପ୍ରିୟଙ୍କା।

କଂଗ୍ରେସ ପ୍ରଚଣ୍ଡ ବହୁମତ ନେଇ ମଧ୍ୟପ୍ରଦେଶରେ ସରକାର ଗଢିବା ସହ ସରକାର ଆସିଲେ ପୁରୁଣା ପେନସନ ଯୋଜନା ସହ ବହୁ ଜନକଲ୍ୟାଣମୂଳକ ଯୋଜନା ଲାଗୁ ହେବ ବୋଲି ସଭାରେ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।

ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ଗଡ଼ କୁହାଯାଉଥିବା ଗ୍ବାଲିଅର ଗସ୍ତରେ ଯାଇ ପ୍ରିୟଙ୍କା ବିଜେପି ସରକାରକୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି। ଏହି ଅଞ୍ଚଳରେ ପାଞ୍ଚୋଟି ଜିଲ୍ଲା ଆସୁଥିବା ବେଳେ ଯେଉଁଥିରେ ୨୧ ଟି ବିଧାନସଭା ସିଟ ରହିଛି।

ପୂର୍ବ ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରେ କଂଗ୍ରେସ ୧୬ ଟି ସିଟରେ ଜିତିଥିଲା। କିନ୍ତୁ ପୂର୍ବଥର କଂଗ୍ରେସ ସହ ସିନ୍ଧିଆ ଥିବାବେଳେ ଏଥର କିନ୍ତୁ ରାଜନୈତିକ ସ୍ଥିତି ବଦଳିବା ସହ ସିନ୍ଧିଆ ବିଜେପି ସହ ଅଛନ୍ତି।

କିନ୍ତୁ କଂଗ୍ରେସ ପୁଣିଥରେ ଏହି ଅଞ୍ଚଳରେ ସଫଳତା ଦୋହରାଇବା ପାଇଁ ଚାହୁଁଛି। ଯେଉଁଥିପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମ ବହୁ ଗୁରୁତ୍ୱ ରଖୁଛି। ମଧ୍ୟପ୍ରଦେଶକୁ କଂଗ୍ରେସ ସର୍ବାଧିକ ଫୋକସ କରୁଥିବାରୁ ୪୦ ଦିନ ମଧ୍ୟରେ ଏହା ପ୍ରିୟଙ୍କାଙ୍କ ଦ୍ଵିତୀୟ ଗସ୍ତ।

ଏହା ପୂର୍ବରୁ ଜୁନ ୧୨ ତାରିଖରେ ପ୍ରିୟଙ୍କା ଜବଲପୁର ଗସ୍ତ କରିଥିଲେ। ଗ୍ବାଲିଅରରେ ପ୍ରିୟଙ୍କା ରାଣୀ ଲକ୍ଷ୍ମୀବାଇଙ୍କ ସମାଧିସ୍ଥଳରେ ପୁଷ୍ପାଞ୍ଜଳି ଦେବା ସହ ମେଳା ଗ୍ରାଉଣ୍ଡରେ ରାଲି କରିଛନ୍ତି। ଯେଉଁଠି ପ୍ରିୟଙ୍କା ସିଧାସଳଖ ବିଜେପିକୁ ଟାର୍ଗେଟ କରିବା ସହ ସିନ୍ଧିଆଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୧୪ ସିଟ ଜିତି ମଧ୍ୟପ୍ରଦେଶରେ ସରକାର ଗଢ଼ିଥିଲେ ମଧ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ କଂଗ୍ରେସ ସରକାର ଭାଙ୍ଗି ଥିଲା। ତେଣୁ ଏହାକୁ ଟାର୍ଗେଟ କରି କଂଗ୍ରେସ ମଧ୍ୟପ୍ରଦେଶକୁ ଜିତିବାକୁ ସବୁ ଯୋଜନା କରୁଛି। ପ୍ରିୟଙ୍କା ଏହାର ମଙ୍ଗ ଧରିଛନ୍ତି।

ପ୍ରିୟଙ୍କାଙ୍କୁ ନେଇ ଗ୍ବାଲିଅର ଚମ୍ବଲ ଅଞ୍ଚଳରେ ଥିବା ୩୪ ଟି ବିଧାନସଭା ସିଟକୁ ନେଇ ଦଳ ବେଶ ଆଶାବାଦୀ ରହିଛି। ଏପରିକି ନଗର ନିଗମ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି।

ଏପରିକି ପ୍ରିୟଙ୍କାଙ୍କ ସଭାରେ ବହୁ ସଂଖ୍ୟାରେ କୃଷକ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କଂଗ୍ରେସର ପାଞ୍ଚୋଟି ଗ୍ୟାରେଣ୍ଟି ଫର୍ମୁଲା ଓ କର୍ମୀଙ୍କ ଜୋଶ ଦଳକୁ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.