Latest Odisha News

BREAKING NEWS

ମୋଦିଙ୍କୁ ମହଙ୍ଗା ପଡିବ ଛତିଶଗଡ ମନ୍ତବ୍ୟ !

ଭୁବନେଶ୍ୱର: ମଣିପୁର ହିଂସା ସମ୍ପର୍କିତ ମନ୍ତବ୍ୟରେ ଛତିଶଗଡ଼କୁ ଯୋଡିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ। ମଣିପୁର ହିଂସାକାଣ୍ଡ ଘଟଣା ସହ ଛତିଶଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ତୁଳନା କରି ମୋଦି ଛତିଶଗଡ଼କୁ ବଦନାମ କରିବାକୁ ଚେଷ୍ଟା କରିଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

ମଣିପୁରରେ ମହିଳାଙ୍କୁ ଅସଦାଚରଣ ସମ୍ପର୍କିତ ଏକ ଭିଡିଓକୁ ନେଇ ଦେଶବ୍ୟାପି ନିନ୍ଦା ହେଉଥିବା ବେଳେ ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଇନଶୃଙ୍ଖଳା ସ୍ଥିତିକୁ ଦୃଢ଼ କରିବାକୁ କହିଛନ୍ତି। ମହିଳାଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେ ଭିତରେ କଂଗ୍ରେସ ଶାସିତ ଓ ନିର୍ବାଚନ ଥିବା ଦୁଇ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ର ନାଁ ନେଇଛନ୍ତି ମୋଦି। ଯାହାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ମଣିପୁର ଗତ ତିନିମାସ ଧରି ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ଖୋଲି ନ ଥିଲେ। ମହିଳାଙ୍କୁ ଖୋଲାଖୋଲି ଭାବେ ଯୌନ ଉତ୍ପୀଡ଼ନର ଭିଡିଓ ଭାଇରାଲ ହେବା ପରେ ମାତ୍ର ୩୬ ସେକେଣ୍ଡ ପାଇଁ ମନ୍ତବ୍ୟ ରଖିଛନ୍ତି।

କିନ୍ତୁ ସେତିକି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ମଣିପୁର କଥା ନ କହି ଛତିଶଗଡ଼ ଓ ରାଜସ୍ଥାନକୁ ପ୍ରସଙ୍ଗ ଭିତରକୁ ଟାଣିବାକୁ ନେଇ ବଘେଲ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି। ସାରା ଦେଶ ମଣିପୁର ଘଟଣାକୁ ନେଇ ବ୍ୟସ୍ତ ଥିବାବେଳେ ମୋଦି ତା ଉପରେ ଅଧିକ କହିବାର ଥିଲା ବୋଲି ସେ କହିଛନ୍ତି।

ଏପରିକି କିଛି ଦିନ ତଳେ ଛତିଶଗଡ଼ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ର ଆଇନଶୃଙ୍ଖଳା ଉପରେ ପଦୁଟିଏ ମଧ୍ୟ କହି ନ ଥିଲେ। ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବହୁବାର ଛତିଶଗଡ଼ ଗସ୍ତରେ ଆସୁଥିଲେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ନେଇ କିଛି ମତ ରଖିନାହାନ୍ତି।

କିନ୍ତୁ ହଠାତ ନିର୍ବାଚନ ଥିବା ଦୁଇ କଂଗ୍ରେସ ଶାସିତ ରାଜ୍ୟକୁ ମଣିପୁର ସହ ତୁଳନା କରିବାର ମାନେ କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏପରିକି ଉତ୍ତରପ୍ରଦେଶରେ କୋର୍ଟ ପରିସର ଓ ହସ୍ପିଟାଲରେ ହତ୍ୟା କିମ୍ବା ମଧ୍ୟପ୍ରଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ କିଛି କହିଲେ ନାହିଁ କାହିଁକି ବୋଲି ବଘେଲ ପ୍ରଶ୍ନ କରିଛନ୍ତି। ଯେଉଁ ଦୁଇ ରାଜ୍ୟରେ ବିଜେପିର ସରକାର ରହିଛି।

ଏପରିକି ପ୍ରଧାନମନ୍ତ୍ରୀ ନିର୍ବାଚନ କାର୍ଯ୍ୟ ସହ ବିଦେଶ ଗସ୍ତରେ ବ୍ୟସ୍ତ ଥିବାରୁ ମଣିପୁର ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମୟ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି। ପ୍ରଧାନମନ୍ତ୍ରୀ କିଭଳି ଏତେ ଭିତ୍ତିହୀନ ଅଭିଯୋଗ ଆଣିପାରନ୍ତି ବୋଲି ସେ କହିଛନ୍ତି।

ମୋଦି ଲୋକଙ୍କ ମଣିପୁର ପ୍ରସଂଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଟିପ୍ପଣୀ ଦେଇଥିବା ବଘେଲ କହିଛନ୍ତି। ତେଣୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

ଛତିଶଗଡ଼ରେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ମନ୍ତବ୍ୟ ଓ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

Leave A Reply

Your email address will not be published.