ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଛି। କୋଭିଡ ସ୍ଥିତି ଯୋଗୁ ବିଗିଡି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟା ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀରେ ପିଲାଙ୍କୁ ଆଡ଼ମିଶନ ଦିଆଯାଇ ପାରୁ ନ ଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି।
ପୂର୍ବରୁ ୫ ବର୍ଷ ପୁରିଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଉଥିବା ବେଳେ ଏବେ ଜାତୀୟ ଶିକ୍ଷନୀତି ଅନୁଯାୟୀ ୬ ବର୍ଷ ହେଲେ ନାମଲେଖା ହେବ ବୋଲି କୁହାଯାଉଛି। ସେଥିପାଇଁ ନାଁ ଲେଖାଇବାକୁ ଆସିଥିବା ବହୁ ପାଞ୍ଚ ବର୍ଷର ପିଲାଙ୍କୁ ସ୍କୁଲଗୁଡିକ ଆଡ଼ମିଶନ ନ ଦେଇ ଫେରାଉଥିବା କୁହାଯାଇଛି। ଖୋଦ ପ୍ରାଥମିକ ଶିକ୍ଷକ ସଂଘ ଏଭଳି କହିଛି।
ପିଲାଙ୍କୁ ପାଠପଢା ପ୍ରତି ଆକର୍ଷିତ କରିବା ପାଇଁ ସରକାର କେତେ କଣ ପଦକ୍ଷେପ ନେଉଛନ୍ତି। ବିନା ଖର୍ଚ୍ଚରେ ଶିକ୍ଷା ସହ ମାଗଣା ବହି, ମଧ୍ୟାହ୍ନ ଭୋଜନ ଆଦି କେତେ କଣ ବ୍ୟବସ୍ଥା ହେଉଛି। କିନ୍ତୁ ପିଲା ଆଡ଼ମିଶନ ପାଇଁ ଆସିଲେ ତାଙ୍କୁ ଫେରାଇ ଦିଆଯିବା ନୂତନ ଶିକ୍ଷାବର୍ଷ ଆରମ୍ଭରୁ ଏକ ଚିନ୍ତାଜନକ କଥା ବୋଲି କୁହାଯାଉଛି।
ଏପରିକି ଖାସ ଏହି କାରଣ ପାଇଁ ପିଲା ଓ ଅଭିଭାବକ ମାନଙ୍କୁ ସ୍କୁଲରେ ଆଡ଼ମିଶନ ନ ଦେଇ ଫେରାଇବାକୁ ପଡୁଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି।
ଏପ୍ରିଲ ୩ ତାରିଖରୁ ୮ ତାରିଖ ଯାଏ ନାମଲେଖା ପ୍ରକ୍ରିୟା ଚାଲିବ। ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ମଧ୍ୟ ପଠାଯାଇଛି। ଏପରିକି ପୂର୍ଣ୍ଣାଙ୍ଗ ସିଲବସରେ ଏଥର ପାଠପଢା ହେବ। ଛୁଟି ମଧ୍ୟ ପୂର୍ବଭଳି ରହିବା ସହ ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ସାଧାରଣ ହେବ। କିନ୍ତୁ ଆରମ୍ଭରୁ ଆଡ଼ମିଶନକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିବାରୁ ଏହା ଜଟିଳ ସ୍ଥିତି ସୃଷ୍ଟି କରିଛି।
ତେଣୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏ ନେଇ ଏକ ସ୍ପଷ୍ଟୀକରଣ ଦେବାକୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିବେଦନ କରାଯାଇଛି। ସେପଟେ ଅଭିଭାବକ ସଂଘ ମଧ୍ୟ ଏ ନେଇ ଚିନ୍ତାବ୍ୟକ୍ତ କରିଛି। ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ଡ୍ରପ ଆଉଟ ଏକ ବଡ଼ ଚିନ୍ତାଜନକ ସ୍ଥିତି ସୃଷ୍ଟି କରେ। ଏଭଳି ସ୍ଥିତିରେ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କୁ ଆଡ଼ମିଶନ ନ ଦେଇ ଫେରାଇବା ଭଳି ସମସ୍ୟା ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି।
Comments are closed.