Latest Odisha News

BREAKING NEWS

ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର: ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ । 

୨୦୦୯ ମସିହାରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ରୁ ୧୪ ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ କୋମାରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ପ୍ରମୋଦିନୀ । ପ୍ରମୋଦିନୀଙ୍କ ଏହି ଜୀବନ ସଂଘର୍ଷରେ ତାଙ୍କୁ ସାଥ ଦେଇଥିଲେ ସରୋଜ । ଆଉ ଆଜି ସେହି ସରୋଜଙ୍କୁ ଜୀବନ ସାଥୀ କରିଛନ୍ତି ପ୍ରମୋଦିନୀ ।

କନକପୁର ସ୍ଵର୍ଗତ ଅନନ୍ତ ରାଉଳ ଓ ମାଆ କବିତା ରାଉଳଙ୍କ ମଝିଆଁ ଝିଅ ପ୍ରମୋଦିନୀ । ପ୍ରମୋଦିନୀ କଲେଜରୁ ଫେରୁଥିବା ବେଳେ ଏକତରଫା ପ୍ରେମର ଶିକାର ହୋଇ ଏସିଡ ମାଡ଼ର ଶିକାର ହୋଇଥିଲେ । ଭଦ୍ରକ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ କରି ତାଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ । ଏସିଡମାଡ଼ରେ ଗୁରୁତର ହୋଇଥିଲେ ହେଁ ପ୍ରମୋଦିନୀ ଜୀବନ ଯୁଦ୍ଧରେ ହାରି ନଯାଇ ସଂଗ୍ରାମ ଜାରି ରଖିଥିଲେ ।

୨୦୧୪ ମସିହାରେ ପ୍ରମୋଦିନୀଙ୍କ  ସହିତ ସରୋଜଙ୍କ ଦେଖା ପରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏସିଡ ମାଡ଼ରେ ନିଜର ସର୍ବସ୍ଵ ହରାଇଥିବା ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ସରୋଜ ପ୍ରସ୍ତାବ ଦେବା ଓ ଉଭୟଙ୍କ ସହମତି ପରେ ଆଜି ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସରୋଜ ଓ ପ୍ରମୋଦିନୀ । ଏହି ବିବାହକୁ ନେଇ ପ୍ରମୋଦିନୀ ଓ ସରୋଜ ବହୁତ ଖୁସି ଥିବା କହିଛନ୍ତି ।

ବାହାଘରରେ ସାମିଲ ହେବାକୁ ଆସିଥିବା ପ୍ରମୋଦିନୀଙ୍କ ବନ୍ଧୁ ବାହାର ରାଜ୍ୟର ଏସିଡ ପୀଡିତା ଯୁବତୀ । ପ୍ରମୋଦିନୀଙ୍କ ବିବାହ ପାଇଁ ଆଜି କନକପୁର ଅଂଚଳ ଚଳଚଞ୍ଚଳ ହୋଇ ପଡ଼ିଥିବା ଵେଳେ ସରୋଜ ଭଳି ଜଣେ ଉଦାରବାଦୀ ଯୁବକ ଆଜି ପ୍ରମୋଦୀନୀଙ୍କ ବିବାହ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.