Latest Odisha News

BREAKING NEWS

ଚମ୍ପୁଆ ବିଧାୟିକାଙ୍କୁ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ଯୋଡ଼ା ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର

ଚମ୍ପୁଆ : ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ବିରୁଦ୍ଧରେ ଜୋର ଧରିଲା ଆନ୍ଦୋଳନ । ବିଧାୟିକାଙ୍କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଯୋଡ଼ା ଅଞ୍ଚଳର ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର । ଆଜି ସନ୍ଧ୍ୟାରେ ହଜାର ହଜାର ଲୋକେ ବିଧାୟିକାଙ୍କ ବିରୁଦ୍ଧରେ ଏକାଠି ହୋଇ ଶୋଭାଯାତ୍ରା କରିବା ସହ ଯୋଡ଼ା ଥାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏଥିସହ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଆନ୍ଦୋଳନକାରୀ । ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇସ୍ତଫା ଦାବି କରିବା ସହ ବଡ଼ବିଲ ଏସଡିପିଓ ହିଂମାଶୁ ଭୂଷଣ ବେହେରାଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରିଛନ୍ତି ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର ।

ଖଣିଜ ପରିବହନ ଦର ହ୍ରାସ ହେବା ପରେ ଦର ବୃଦ୍ଧି ନେଇ ଗତ ୧୯ ତାରିଖରେ ଯୋଡ଼ା ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଜଜାଙ୍ଗ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ହେଲେ ଏହି ସମୟରେ କିଛି ଟ୍ରକ ମାଲିକଙ୍କୁ ଆକ୍ରମଣ ହୋଇଥିଲା । ଏସଡିପିଓ ହିଂମାଶୁ ଭୂଷଣଙ୍କ ସହାୟତାରେ ବିଧାୟିକାଙ୍କର କିଛି ଭଡାଟିଆ ଗୁଣ୍ଡା ଟ୍ରକ ମାଲିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପଛରେ ବିଧାୟିକା ଏବଂ ତାଙ୍କ ସ୍ବାମୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ । ଏନେଇ ବାମେବାରୀ ଥାନାରେ ଭିନ୍ନ ଭିନ୍ନ ୪ଟି ଏତଲା ଦିଆଯାଇଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଟ୍ରକ ମାଲିକମାନେ ପରିବହନ ବନ୍ଦ ରଖି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବିଧାୟିକା ମିନାକ୍ଷୀ ମହାନ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ବିଧାୟିକା ମିନାକ୍ଷୀ ମହାନ୍ତ ।

Leave A Reply

Your email address will not be published.