‘Leave India’ notice: ୩ ଆମେରିକୀୟ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି;କରୁଥିଲେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର…
ମୁମ୍ବାଇ: ପୁଣେରେ ଭିସା ଉଲ୍ଲଂଘନର ଏକ ମାମଲା ସାମ୍ନାକୁ ଆସିଛି ।ତିନି ଜଣ ଆମେରିକୀୟ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି କରାଯାଇଛି । ପୁଣେ ସହର ପୋଲିସ ତିନି ଜଣ ଆମେରିକୀୟ ନାଗରିକଙ୍କୁ “ଧାର୍ମିକ ପ୍ରଚାର ” କରି ସେମାନଙ୍କର ଭିସାର ମାନଦଣ୍ଡ ଉଲ୍ଲଂଘନ କରିଥିବା ଅଭିଯୋଗରେ “ଭାରତ ଛାଡ଼ ନୋଟିସ” ଜାରି କରିଛି। ନୋଟିସରେ ତିନି ଜଣ ବିଦେଶୀଙ୍କୁ ୧୦ ମେ, ୨୦୨୬ କିମ୍ବା ତା ପୂର୍ବରୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୋଲିସ ଅନୁଯାୟୀ, ଆମେରିକାର ଏହି ତିନି ଜଣ ନାଗରିକ, ବୟସ ୫୩ ବର୍ଷ, ୬୫ ବର୍ଷ ଏବଂ ୬୬ ବର୍ଷ, ୧୯ ଏପ୍ରିଲରୁ ୨୧ ଏପ୍ରିଲ ମଧ୍ୟରେ ପର୍ଯ୍ୟଟନ ଭିସାରେ ଭାରତ ଆସିଥିଲେ। ଭାରତରେ ଯାତ୍ରା ସମୟରେ, ସେମାନେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପାଇଁ ସେମାନଙ୍କ ବ୍ୟାଗରେ ବିଭିନ୍ନ ଭାଷାରେ ଧାର୍ମିକ ବିଷୟବସ୍ତୁ ଥିବା ବିପୁଳ ପରିମାଣର ଲିଫଲେଟ୍ ଧରିଥିବା ପୋଲିସ କହିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ତିନିଜଣ ଏପ୍ରିଲ ୨୬ ସନ୍ଧ୍ୟାରୁ ପିମ୍ପରି-ଚିଞ୍ଚୱାଡ ଅଞ୍ଚଳର ଏକ ହୋଟେଲରେ ରହିଥିଲେ ଏବଂ ପୁଣେ ସହରର ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ୨୭ ଏପ୍ରିଲ ସକାଳେ, ସେମାନେ ପୁଣେର ଏକ ଅଞ୍ଚଳରେ ଜଣେ ଘରୋଇ କ୍ୟାବ୍ ଡ୍ରାଇଭରଙ୍କୁ ଇଂରାଜୀ, ହିନ୍ଦୀ ଏବଂ ମରାଠୀ ଭାଷାରେ ମୁଦ୍ରିତ ଧାର୍ମିକ ଲିଫଲେଟ୍ ବଣ୍ଟନ କରିଥିଲେ। ଏହି ଲିଫଲେଟ୍ଗୁଡ଼ିକରେ ବାଇବଲ ଏବଂ ଖ୍ରୀଷ୍ଟିଆନିଟି ବିଷୟରେ ସୂଚନା ଥିଲା।
ଅଭିଯୋଗ ହୋଇଛି ଯେ, ଖ୍ରୀଷ୍ଟିଆନ ଧର୍ମ ଅନ୍ୟ ଧର୍ମ ଅପେକ୍ଷା ଭଲ କହି ଏହି ବିଦେଶୀ ନାଗରିକମାନେ ଡ୍ରାଇଭରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । କ୍ୟାବ୍ ଡ୍ରାଇଭର ସେହି ଅଞ୍ଚଳରେ ଏକ ରାଲିରେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଥିଲା ଏବଂ ସେମାନଙ୍କ ପାସପୋର୍ଟ, ଭିସା ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲା। ତଦନ୍ତ ସମୟରେ, ସେମାନଙ୍କ ପାଖରୁ ବିଭିନ୍ନ ଭାଷାରେ ବହୁ ସଂଖ୍ୟକ ଧାର୍ମିକ ଲିଫଲେଟ୍ ମିଳିଥିଲା।
ଏହା ପରେ ତିନି ଜଣଙ୍କୁ ଅଧିକ ପଚରାଉଚରା ପାଇଁ ପୁଣେ ପୋଲିସର ବିଦେଶୀ ପଞ୍ଜିକରଣ କାର୍ଯ୍ୟାଳୟ (FRO)କୁ ପଠାଯାଇଥିଲା। ସେଠାରେ ତଦନ୍ତରୁ ଜଣାପଡିଛି ଯେ ସେ ପର୍ଯ୍ୟଟନ ଭିସାରେ ଥିବା ସମୟରେ ଧାର୍ମିକ ପ୍ରଚାର କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ନିୟମ ଉଲ୍ଲଂଘନ କରିଥିଲେ। ବିଦେଶୀ ପଞ୍ଜିକରଣ କାର୍ଯ୍ୟାଳୟର ଡେପୁଟି ପୋଲିସ କମିଶନର ସନ୍ଦୀପ ଭାଜିଭାକରେ କହିଛନ୍ତି, ଯେ ଭିସା ନିୟମ ଉଲ୍ଲଂଘନ କରିଛନ୍ତି । ଇମିଗ୍ରେସନ ଏବଂ ବିଦେଶୀ ଆଇନ ଅନୁଯାୟୀ ତିନି ଜଣ ଆମେରିକୀୟ ନାଗରିକଙ୍କୁ ‘ଭାରତ ଛାଡିବା ନୋଟିସ’ ଜାରି କରାଯାଇଛି।
ସୂତନାଥାଉକି, ପୂର୍ବରୁ ଜୁଲାଇ ୨୦୨୫ରେ, ପିମ୍ପରି-ଚିଞ୍ଚୱାଡ ପୋଲିସ ସମାନ ମାମଲାରେ ଜଣେ ୪୧ ବର୍ଷୀୟ ଆମେରିକୀୟ ନାଗରିକଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୁଦ୍ଧରେ ଆର୍ଥିକ ସହାୟତାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରେରିତ କରୁଥିବାର ଅଭିଯୋଗ ହୋଇଥିଲା।