ଚଣ୍ଡିଗଡ଼: ଆମେରିକରୁ ଡିପୋର୍ଟ ହୋଇଥିବା ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି। ମମଳକୁ କଡାକଡି ଯାଞ୍ଚ କରିବ ପଞ୍ଜାବ ପୋଲିସ। ପଞ୍ଜାବ ଡିଜିପି ଗୌରବ ଯାଦବ ଆଜି ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଆମେରିକାରୁ ଡିପୋର୍ଟ ହୋଇଥିବା ପଞ୍ଜାବର ଯୁବକଙ୍କ ସମ୍ପର୍କରେ ପୁରା ମାମଲାର ଯାଞ୍ଚ କରିବ ଏହି କମିଟି। ଯାଞ୍ଚ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ଦିନରେ ଆମେରିକା ନିଜର ବାୟୁସେନା ବିମାନରେ ସେଠାରେ ଅବୈଧ ଭାବରେ ରହୁଥିବା ୧୦୪ ଭାରତୀୟଙ୍କୁ ଡିପୋର୍ଟ କରି ଦେଶକୁ ପଠାଇଛି।
ଏଡିଜିପି ଏନଆରଆଇ ପରଭୀନ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ଏଡିଜିପି( ଅନ୍ତରୀଣ ସୁରକ୍ଷା), ଆଇଜିପି ପ୍ରୋଭିଜନିଂ ଓ ଡିଆଇଜି ବର୍ଡର ରେଞ୍ଜ ଅଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ କମିଟିଙ୍କୁ ଆଇନ ଓ ତଥ୍ୟ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍ ଅବୈଧ କାର୍ଯ୍ୟ ଓ ମାନବ ତସ୍କରୀରେ ଲିପ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି କମିଟିର ଗଠନ ଆମେରିକାରେ ରହୁଥିବା ପଞ୍ଜାବର ନାଗରିକଙ୍କୁ ଡିପୋର୍ଟ କରାଯିବା ପ୍ରସଙ୍ଗର ଯାଞ୍ଚ ପାଇଁ କରାଯାଇଛି।
ଅନ୍ୟପଟେ ଭାରତୀୟ ନାଗରିକଙ୍କ ଡିପୋର୍ଟ ପ୍ରସଙ୍ଗ ସଂସଦରେ ଉଠାଯାଇଥିଲା। ଆମେରିକାର ଏପରି ଡିପୋର୍ଟ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଏଭଳି ଅମାନବୀୟ ବ୍ୟବହାରରେ ଭାରତ ସରକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେରିକା ଭାରତୀୟମାନଙ୍କୁ ସାମରିକ ବିମାନରେ କାହିଁକି ଭାରତ ପଠାଇଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।
Comments are closed.