Latest Odisha News

BREAKING NEWS

ପୂର୍ବରୁ ଥରେ ମଧ୍ୟ ଗଜପତି କରିନଥିଲେ ‘ଛେରାପହଁରା’; ଜାଣନ୍ତୁ କେବେ ଓ କାହିଁକି ?

ଭୁବନେଶ୍ୱର/ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ଠାକୁରମାନଙ୍କ ଅଣସର ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ନାନବେଦୀରେ ଶ୍ରୀଜୀଉମାନେ ସ୍ନାନ କରୁଥିବା ବେଳେ କିମ୍ବା ଗଜାନନ ବେଶ ବେଳେ ଯେପରି ସବୁଥର ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନୀ ଦେଇଥାଆନ୍ତି ସେପରି ଏଥର ଶୁଣିବାକୁ ମିଳିଲା ନାହିଁ । ଭକ୍ତମାନେ କରୋନା କଟକଣା ଯୋଗୁଁ ସ୍ନାନବେଦୀରେ ନିଜର ଚର୍ମ ଚକ୍ଷୁରେ ଦେଖିପାରିନାହାନ୍ତିଁ ନିଜର ପ୍ରିୟ କଳାଠାକୁରଙ୍କ ସ୍ନାନ ବିଧି କିମ୍ବା ପବିତ୍ର ଗଜାନନ ବେଶ । ଶୁକ୍ରବାର ଦିନ ସାମାଜିକ ଦୂରତା ରକ୍ଷା କରାଯାଇ ପାଳିତ ହୋଇଛି ଶ୍ରୀଜୀଉମାନଙ୍କ ‘ହାତୀବେଶ’ ।

କେବଳ ଲକ୍ଷାଧିକ ଭକ୍ତ ନୁହଁନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ଏହି କାରଣ ଯୋଗୁଁ ସ୍ନାନ ମଣ୍ଡପକୁ ଆସିପାରିନାହାନ୍ତି । ପୁରୀ ବଡ଼ଦାଣ୍ଡରେ କରୋନା କଟକଣା ଲାଗି ଜାରି ରହିଛି ୧୪୪ ଧ।।ରା । ସ୍ନାନବେଦୀରେ ପାରମ୍ପରିକ ‘ଛେରାପହଁରା’ କରି ପାରିନାହାନ୍ତି ମହାରାଜା । ଗଜପତି ମହାରାଜା କୋଭିଡ୍ ୧୯ ନିୟମ ପାଳନ କରି ସ୍ନାନ ବେଦୀରେ ଅନୁପସ୍ଥିତ ରହିଛନ୍ତି ।

ମହାରାଜା ଆଜିର ଏହି ସ୍ନାନଯାତ୍ରାରେ ଦିନ ୧୦ଟା ୩୦ରେ ସ୍ନାନମଣ୍ଡପରେ ‘ଛେରାପହଁରା’ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା । ମାତ୍ର, ମହାରାଜା ନିଜେ ଅନୁପସ୍ଥିତ ରହିବା ସହିତ ‘ମୁଦିରସ୍ତ’ଙ୍କୁ ଛେରାପହଁରା କରିବାକୁ ପଠାଇଥିଲେ । କୌଣସି କାରଣରୁ ଯଦି ମହାରାଜା ନିଜେ ଆସି ନପାରନ୍ତି ତେବେ ତାଙ୍କ କାର୍ଯ୍ୟ ସମ୍ପାଦନ ଲାଗି ମୁଦିରସ୍ତ ସେବକଙ୍କୁ ପଠାଇଥାଆନ୍ତି । ଏହା ପୂର୍ବରୁ ରହିଥିବା ପ୍ରଚଳିତ ପରମ୍ପରା ।

ସରକାରଙ୍କ ଲକ୍‌ଡ଼ାଉନ୍ ଗାଇଡ୍‌ଲାଇନକୁ ପାଳନ କରିଥିବା ନେଇ ମହାରାଜା ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ, ସରକାରଙ୍କ ଦ୍ୱାରା କୋଭିଡ୍ ଗାଇଡ୍ ଲାଇନକୁ ସେ ପାଳନ କରିଛନ୍ତି ।

ଲକଡ଼ାଉନ୍ ନିୟମ ଅନୁଯାୟୀ, କୌଣସି ଧାର୍ମିକ ଉତ୍ସବରେ ୭ ଜଣ ବ୍ୟକ୍ତିଙ୍କ ଠାରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଉପସ୍ଥିତ ହେବାକଥା ନୁହେଁ । ଏହା ବ୍ୟତୀତ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଘରୁ ବାହାରିବା ନେଇ କଟକଣା ରହିଛି ।

ଗଜପତି ମହାରାଜା ଆହୁରି ମଧ୍ୟ ସୂଚନାଦେଇ କହିଛନ୍ତି ଯେ, “ମୁଁ ଏହାକୁ ଲଗାଇ ଦ୍ୱିତୀୟଥର ଲାଗି ଛେରାପହଁରା ସେବା କରିପାରିନାହିଁ । ପୂର୍ବରୁ ୧୯୭୬ ମସିହାରେ ମୁଁ ଯେତେବେଳେ ଆମେରିକାରେ ରହି ଏଲଏଲଏମ ଅଧ୍ୟୟନ କରୁଥିଲି ସେତେବେଳେ ମଧ୍ୟ ମୁଁ ଏହି ପାରମ୍ପରିକ ସେବାରେ ଅନୁପସ୍ଥିତ ରହିଥିଲି ।”

Leave A Reply

Your email address will not be published.