Latest Odisha News

[ଦେଖନ୍ତୁ ଭିଡିଓ] ଖୋଲିବ କି ରତ୍ନ ଭଣ୍ଡାର ? ASI ଚିଠି ପରେ ମୁହଁ ଖୋଲିଲେ ଭଣ୍ଡାର ମେକାପ ସେବାୟତ

ପୁରୀ: କାହିଁକି ରତ୍ନ ଭଣ୍ଡାର ଖୋଲୁନି ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ମାର୍ଚ୍ଚ ୨୨ରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୨୬ରେ ଏଏସ୍ଆଇ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏପ୍ରିଲ୍ ୪ରେ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ୍ ଯାଇଥିଲା । ହେଲେ ଚାବି ହଜିଥିବା ଯୋଗୁ ଖୋଲା ଯାଇ ପାରି ନଥିଲା ରତ୍ନ ଭଣ୍ଡାର । ସେତେବେଳେ ଏଏସ୍ଆଇ ଦେଇଥିବା ରିପୋର୍ଟ ଅନୁସାରେ, ରତ୍ନ ଭଣ୍ଡାରର ୩ଟି ବିମ୍ ସହ ପ୍ଲାଷ୍ଟର ଖାରପ ରହିଛି । ମରାମତି ପାଇଁ ଏଏସ୍ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ ମଧ୍ୟ ୫ ବର୍ଷ ପରେ ବି ଚୁପ୍ ବସିଛି ଶ୍ରୀ ମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଭିତରେ ରଘୁନାଥ ବେଶ୍ ପାଇଁ ସମସ୍ତ ଦୁର୍ମୂଲ୍ୟ ଅଳଙ୍କାର ରହିଛି । ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନି ବର୍ଷରେ ରତ୍ନ ଭଣ୍ଡାର ଖୋଲିବା ନିୟମ ରହିଥିବା ବେଳେ ଆଜିକୁ ପ୍ରାୟ ୩୭ ବର୍ଷ ହେବ ଏହା ଖୋଲା ଯାଇନାହିଁ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍ଆଇ ଚିଠି ଲେଖିଛି । ଶୁଣନ୍ତୁ ଗତ ସପ୍ତାହରେ ବସିଥିବା ପରିଚାଳନା କମିଟି ବୈଠକ ପରେ କଣ କହିଥିଲେ ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ ।

ଦୁର୍ବଳ ଥିବା ଭିତର ରତ୍ନ ଭଣ୍ଡାର ମରାମତି ପାଇଁ ଦାବି ହେଉଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ସୁରକ୍ଷା ଓ ମରାମତି ଦୃଷ୍ଟି କୋଣରୁ ଭିତର ରତ୍ନ ଭଣ୍ଡାର କେବେ ଖୋଲିବ ? ନା ୨୦୧୮ରେ ଚାବି ହଜିଥିବା ଆଳ ଭଳି ଆଉ କୌଣସି ଦ୍ୱାହି ଦେଇ ପୁଣି ରତ୍ନ ଭଣ୍ଡାର ଖୋଲିବାକୁ ପଛଘୁଞ୍ଚା ଦେବ ପ୍ରଶାସନ । ଏବେ ରାଜ୍ୟ ସରକାର ଓ ଆଇନ୍ ବିଭାଗର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.