ନୂଆଦିଲ୍ଲୀ: ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍ ଉପରେ ଚାଲିଥିବା ଚର୍ଚ୍ଚା ଭିତରେ ବିଜେପିର ପୁରୀ ସାଂସଦ ସମ୍ବିତ ପାତ୍ର ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଏହି ବିଲ୍ର ଗୁରୁତ୍ୱ ବୁଝାଇ ସେ କହିଛନ୍ତି ଯେ ଓ୍ବାକଫ ବୋର୍ଡରେ ପୂର୍ବରୁ ଅନେକ ଥର ସଂଶୋଧନ ହୋଇଛି। କିନ୍ତୁ ଏବେ ଏହାକୁ ଅସାମ୍ବିଧାନିକ ବୋଲି କହି ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା ଚାଲିଛି। ଏଥିପାଇଁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ।
ସମ୍ବିତ ପାତ୍ର କହିଛନ୍ତି ଯେ ବିଶ୍ୱର ଅନେକ ଇସଲାମିକ ଦେଶରେ ଓ୍ବାକଫର କୌଣସି ଅସ୍ତିତ୍ୱ ନାହିଁ। କିନ୍ତୁ ଭାରତରେ ଓ୍ବାକଫ ସମ୍ପତ୍ତିକୁ ଆଇନଗତ ସୁରକ୍ଷା ଦିଆଯାଇଛି। ଏହା ସତ୍ତ୍ୱେ ଏହା ଉପରେ ଅନାବଶ୍ୟକ ହଙ୍ଗାମା କରାଯାଉଛି। ସେ ଗର୍ବର ସହ ଦାବି କରିଛନ୍ତି ଯେ ଯଦି ବିଶ୍ୱରେ କେଉଁଠି ମୁସଲମାନ ସମ୍ପ୍ରଦାୟ ସବୁଠୁ ଅଧିକ ସୁରକ୍ଷିତ ଅଛନ୍ତି, ତାହା ହେଉଛି ଭାରତ।
ଲୋକସଭାରେ ସମ୍ବିତ ପାତ୍ର ଏହି ବିଲ୍ ପାସ୍ ହେବାର ଐତିହାସିକ ମୁହୂର୍ତ୍ତକୁ ନେଇ ଖୁସି ପ୍ରକାଶ କରିଛନ୍ତି। ହେଲେ ସେ ଏକାସାଙ୍ଗରେ ଦୁଃଖ ମଧ୍ୟ ବ୍ୟକ୍ତ କରିଛନ୍ତି ଯେ ଏହି ଚର୍ଚ୍ଚାରେ ଏପରି ପ୍ରଶ୍ନ ଉଠୁଛି ଯେ ଭାରତ ମୁସଲମାନଙ୍କ ଅଧିକାର ଛଡ଼ାଇ ନେବାକୁ ଚାହୁଁଛି କି? ସେ ପ୍ରଶ୍ନ କରିଛନ୍ତି, “ଆଜି କ’ଣ ମୁସଲମାନମାନେ ଭାରତରେ ଅସୁରକ୍ଷିତ ହୋଇ ରହିଛନ୍ତି?”
ଭାରତର ସାଂସ୍କୃତିକ ଐତିହ୍ୟ ଓ ଗୌରବମୟ ଇତିହାସକୁ ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି। କବି ଗୟା ପ୍ରସାଦ ଶୁକ୍ଳ ସ୍ନେହୀଙ୍କ ଏକ କବିତାର ଉଦାହରଣ ଦେଇ ସେ କହିଛନ୍ତି ଯେ ଭାରତ କେବେ କାହାଠାରୁ କିଛି ଛଡ଼ାଇ ନେଇନାହିଁ, ବରଂ ସବୁବେଳେ ଦେଇଛି। ଉଦାହରଣ ଦେଇ ସେ କହିଛନ୍ତି, ଶରଣାର୍ଥୀ ହୋଇ ଆସିଥିବା ଲୋକଙ୍କୁ ଭାରତ ସବୁବେଳେ ଆଲିଙ୍ଗନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ କେରଳରେ ଥିବା ଭାରତର ପ୍ରଥମ ମସଜିଦ ପାଇଁ ଚେର ରାଜା ଜମି ଦାନ କରିଥିଲେ।
ଇସଲାମିକ ଦେଶଗୁଡ଼ିକରେ ଓ୍ବାକଫ ସମ୍ପତ୍ତିର ସ୍ଥିତି ଉପରେ ଆଲୋକପାତ କରି ସମ୍ବିତ ପାତ୍ର କହିଛନ୍ତି, “ଇସଲାମିକ ଦେଶମାନଙ୍କରେ ଓ୍ବାକଫ ସମ୍ପତ୍ତି ଅଛି କି?” ଏହି ପ୍ରଶ୍ନର ଉତ୍ତରରେ ସେ ତୁର୍କୀ, ସିରିଆ, ଲିବିଆ, ମିଶର, ଲେବାନନ୍, ସୁଡାନ, ଜୋର୍ଡାନ, ଟ୍ୟୁନିସିଆ ଓ ଇରାକ ଭଳି ଦେଶର ନାମ ଉଠାଇଛନ୍ତି, ଯେଉଁଠାରେ ଓ୍ବାକଫ ସମ୍ପତ୍ତିକୁ ଆଇନଗତ ମାନ୍ୟତା ମିଳିନାହିଁ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଭାରତରେ ଓ୍ବାକଫ ସମ୍ପତ୍ତିକୁ ଆଇନଗତ ସୁରକ୍ଷା ମିଳିଥିବା ସତ୍ତ୍ୱେ ଏଠାରେ ଏହା ଉପରେ ହଙ୍ଗାମା କାହିଁକି ହେଉଛି? ସେ ଶେଷରେ କହିଛନ୍ତି ଯେ ଭାରତର ସଂସ୍କୃତି ସବୁବେଳେ ସମସ୍ତଙ୍କୁ ଗ୍ରହଣ କରିବା ଶିଖାଇଛି ଓ ଆମେ କାହାଠାରୁ କିଛି ଛଡ଼ାଇ ନେଉନୁ, ବରଂ ଦେବାର ମନୋଭାବ ରଖୁ।
Comments are closed.