Latest Odisha News

BREAKING NEWS

ବଡ଼ଦାଣ୍ଡ ଉଚ୍ଛେଦ ପ୍ରକ୍ରିୟା ନେଇ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର ଦିନ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିକଟସ୍ଥ ପୁରାତନ ମଠ ଉଚ୍ଛେଦ ପ୍ରକ୍ରିୟା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ବିପି ଦାସଙ୍କ ତଦନ୍ତ କମିଶନ ଶ୍ରୀଜଗନ୍ନାଥ ମନ୍ଦିର ଏହି ସଂସ୍କାର ପ୍ରକ୍ରିୟା କରିବା ପୂର୍ବରୁ ତାଙ୍କୁ କାହିଁକି ଏସମସ୍ତ ବିଷୟରେ ଅବଗତ କଲେ ନାହିଁ । “ଏସବୁ କାର୍ଯ୍ୟ କରିବା ପୂର୍ବରୁ ମୋତେ ପଚରାଯିବା ଉଚିତ୍ ନୁହେଁ କି? ଏହି କାର୍ଯ୍ୟ କରିବାକୁ କେଉଁ ପ୍ରଶାସନ ତାଙ୍କୁ ଅଧିକାର ଦେଇଛି? ଏହି ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଏକ କମିଟି ଗଠନ କରାଯାଉ,”ବୋଲି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ।

“ଆମକୁ ଯେଉଁ କ୍ଷମତା ଦିଆଯାଇଛି, ମୁଁ କହୁଛି କମିଶନଙ୍କ ରିପୋର୍ଟରେ ସତ୍ୟତା ନାହିଁ । ଏହି ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବା ଜରୁରୀ ଅଟେ,” ଏହା କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଏପରିକି ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରୀଙ୍କ ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । “ଏହିସବୁ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଆମିକସ୍ କ୍ୟୁରୀ ମୋର ପରାମର୍ଶ କାହିଁକି ଗ୍ରହଣ କଲେ ନାହିଁ?”

ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଆଇନମନ୍ତ୍ରୀଙ୍କୁ ଇଙ୍ଗିତ କରି ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ କହିଛନ୍ତି ଯେ, ସେକ୍ୟୁଲାର୍ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନ’ହେଉ । ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ରୂପେ ଧାର୍ମିକ ବିଧି ମୁତାବକ ପରିଚାଳିତ ହେବା ଜରୁରୀ । ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଅପମାନିତ କରିବା ଅର୍ଥ ସମଗ୍ର ବିଶବାସୀଙ୍କୁ ଅପମାନିତ କରିବା ।

Leave A Reply

Your email address will not be published.