କାହା ଉପରେ ଅଭିମାନ ମା ?
ଶ୍ୱେତା ରାଉତ
କାହା ଉପରେ ତୋ’ର ଅଭିମାନ ମା’
କାହାଠୁ ଆଶା କରୁଛୁ ଆଶ୍ଵାସନା ?
ନିଜର ସ୍ଥିତି ଜାଣିନଥିବା ସମାଜଠୁ
ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ
ଭୟର ଅପନ୍ତରାରେ ପୁହେଇଦିଏ ରାତି
ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ
ସ୍ୱାର୍ଥପାଇଁ ପାଲଟିଯାଏ ବୈଶାଖର ଦଗ୍ଧ ଅପରାହ୍ନ
ଈର୍ଷାର ଅହମିକାରେ ଜଳୁଥାଏ, ଜାଳୁଥାଏ
ଘର, ସଂସାର, ପରିବାର ।
କାହାକୁ ଡାକୁଛୁ ଭରସାରେ
ହାତ ବଢାଇବାକୁ ମା’
କାହାଠୁ ଶୁଣିବାକୁ ଚାହୁଁଛୁ ସାନ୍ତ୍ୱନା ?
ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ବଦଳାଉଥିବା ସମୟଠୁ
ଯିଏ ସତ୍ୟକୁ ସିଦ୍ଧ କରିବା ଆଗରୁ
ପାଲଟିଯାଏ ମୂକ
ନାଆକୁ କୂଳକୁ ନେବା ଆଗରୁ
ହଜେଇଦିଏ ଆହୁଲା
ଆଶାର ଦୀପଟିଏ ଜଳିବା ଆଗରୁ
ଆତ୍ମଗୋପନ କରେ ଅନ୍ଧାରରେ ?
କାହା ଉପରେ ସାବ୍ୟସ୍ତ କରୁଛୁ ଅଧିକାର ମା’
ଭଦ୍ରତାର ମୁଖାପିନ୍ଧି
ଚେଇଁ ଶୋଇଥିବା ସଇତାନଙ୍କ ଉପରେ ?
ଯିଏ ସମୟ ସୁଅରେ ବଦଳିଯାନ୍ତି
ବହୁବର୍ଣ୍ଣା ଋତୁପରି
ଅବିଶ୍ୱାସର ବିଷ ପିଆଇ
ମାଗିନିଅନ୍ତି ଅଗ୍ନିପରୀକ୍ଷା
ଘୃଣା, ତାତ୍ସଲ୍ୟ, ଉପହାସରେ
ଭାଙ୍ଗି ଦିଅନ୍ତି ଅସ୍ଥି ପଞ୍ଜରା
କୁଟାଖିଅରେ ଶୋଷିନିଅନ୍ତି ରକ୍ତ ।
ବରଂ ଭଲ, ବଞ୍ଚିବା ଶିଖିନେ ମା’
ନିର୍ବାସନ ଦଣ୍ଡ ଭୋଗୁଥିବା
ନିଷ୍ପାପ କଏଦୀ ପରି ।
ରକ୍ତମାଂସର ଦେହକୁ କରିଦେ ପଥର ମୂର୍ତ୍ତି
ଦେଖିବୁ ସମୁଦ୍ରର ଘୂର୍ଣ୍ଣିଝଡ଼ ବି
ପାଲଟିଯିବ ଚଇତାଳି
ଆକ୍ଷେପର ଅଙ୍ଗୁଳି ସବୁ ନଇଁଯିବେ
ତୋର କ୍ଷତାକ୍ତ ଅନଭ୍ୟସ୍ତ ପାଦତଳେ
ତୋ’ର ଶ୍ରଦ୍ଧାର ବାସ୍ନାରେ ବିଭୋର ହୋଇ ଉଠିବେ
ପଥଭ୍ରଷ୍ଟ ପ୍ରଜାପତି
ମମତାର ମଧୁ ଆଶାରେ
ଧାଇଁଆସିବେ ମଧୁମକ୍ଷୀ
ସବୁତକ କ୍ଳାନ୍ତ, ବିଷାଦ, ଭୟ ଉଡ଼ିଯିବ
ଭସାମେଘର ପଣତ ତଳେ
ଅନ୍ଧାରର ଉପକଣ୍ଠରେ ଠିଆହୋଇ
ତୁ ଦେଖିପାରିବୁ ଫର୍ଚ୍ଚା ଆକାଶ
ଆକାଶରେ ଉଦ୍ଭାସିତ ହେଉଥିବ
ଆଶାର ଆଲୋକ ।
…………….
ରାଉତ କମ୍ପ୍ଲେକ୍ସ, କଟକ ରୋଡ଼
ଭୁବନେଶ୍ୱର