ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗଣେଶର ବାହାଘର ପାଇଁ ବନ୍ଧୁ ବାନ୍ଧବଙ୍କ ଲାଗି ଯେତେବେଳେ ଲୁଗାପଟା କିଣାଗଲା, ସେତେବେଳେ ବେଶୀ ଖୁସି ଥିଲା ଉଲ୍ଲାସ। ହଁ ଉଲ୍ଲାସ ସ୍ୱାଇଁ। ଗଣେଶର ମାମୁ ପୁଅ ଭାଇ। ତିନି ମାସ ହେଲା ସେ ନିଜ ଗାଁ ଓ ଘର ଛାଡ଼ି ଆସି ପିଉସୀ ଘରେ ରହୁଛି। ଗଣେଶର ବାହାଘର ପୂର୍ବରୁ ଯେତେ ପ୍ରସ୍ତୁତି ଚାଲିଛି, ସେଥିରେ ସେ ଥିଲା ସବୁଠୁ ବଡ଼ ସ୍ୱେଚ୍ଛାସେବୀ। କାରଣ ଘରକରଣା ଜିନିଷ କିଣାଠୁ ନେଇ ନୂଆ ଘରେ ରଙ୍ଗ ଲଗାଇବା ଯାଏଁ, ପୂଜା ପାଇଁ ଧୂପକାଠି କିଣାଠୁ ନୂଆ ବୋହୂ ପାଇଁ ଶାଢ଼ୀ କିଣିବା ଯାଏଁ, ଗୁଆଗଣ୍ଡା ପାଇଁ ଗୁଆ କିଣାଠୁ, ତାର ବନ୍ଦାପନା ଆଉ ଗୁଆ ନିଉତା ଯାଏଁ ସବୁ କାମ କରିଛି ସେ। ସେଦିନ ଲୁଗାକିଣିବା ପାଇଁ ବଜାରକୁ ଗଲାବେଳେ ଗଣେଶ ସାଙ୍ଗରେ ନେଇଥିଲା ଉଲ୍ଲାସକୁ। ସେଇଠି କହିଲା, ତୋ ପାଇଁ ବି ତୁ ଗୋଟିଏ ଭଲ ଡ୍ରେସ୍ ବାଛି ଦେ। ତୋର ଯେମିତି ଡ୍ରେସ୍ ପସନ୍ଦ ହେବ, ଆମେ ସେଇଟା ତୋ ପାଇଁ ନେବା। ଏଇତକ କଥାରେ ବେଶ୍ ଖୁସିଥିଲା ଉଲ୍ଲାସ। ଗୋଟିଏ ପରେ ଗୋଟିଏ ଡ୍ରେସ୍ ବାହାର କରି ଡ୍ରେସ୍ ଶୋ ରୁମର ଡ୍ରାଏଲ ରୁମକୁ ନେଉଥିଲା ସେ। ପ୍ରାୟ ୪୦ ଟା ଡ୍ରେସ୍ ଦେଖିବା ପରେ ଶେଷରେ ସେ ତା ମନ ପସନ୍ଦର ତଥା ତା ନିଜ ସାଇଜର ଡ୍ରେସ୍ ପସନ୍ଦ କରିଥିଲା। ତା ପରେ ଅନ୍ୟମାନଙ୍କ ଲାଗି ଯେତେବେଳେ ଲୁଗାପଟା କିଣାଗଲା, ସେଥିରେ ସେ ଅତି ମଗ୍ନ ହୋଇ କିଣାକିଣି କରିଥିଲା।
ବାହାଘର ପୂର୍ବରୁ ପ୍ରାୟ ସବୁ କାମ ସରିଥିଲା। ହେଲେ ଏତିକି ବେଳେ କେଉଁଠି ଥିଲା କଳାହାଣ୍ଡିଆ ମେଘଟା କେଜାଣି, ହଠାତ୍ ଆସି ଅଜାଡ଼ି ଦେଇ ଗଲା ପାଣି। ଉଲ୍ଲାସ କେଉଁଠି ଥିଲା ଦୌଡ଼ି ଆସି, ରନ୍ଧାଶାଳରେ କେମିତି ପାଣି ନପଶିବ ସେଥିପାଇଁ ଲାଗି ପଡ଼ିଲା। ସେ ତାର ସମସ୍ତ କଳ କୌଶଳ ବ୍ୟବହାର କରି ଭୋଜି ରନ୍ଧା ହେଉଥିବା ସ୍ଥାନଟିକୁ ବର୍ଷାରୁ ମୁକ୍ତ ରଖିବାରେ ସକ୍ଷମ ହୋଇଥିଲା। ଏ ସବୁ ଭିତରେ ଅତି ଉଚ୍ଚ ଶବ୍ଦରେ ବାଜୁଥିଲା ଡାକବାଜି ଯନ୍ତ୍ର। ବାଜୁଥିଲା ଗୋଟିଏ ପରେ ଗୋଟିଏ ପୁରୁଣା ନୂଆ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ଗୀତ। ତେବେ ସେହି ଗୀତଗୁଡ଼ିକର ସ୍ୱର ଓ ଭାବ ଅନୁସାରେ ବଦଳୁଥିଲା ଉଲ୍ଲାସର ଭାବଭଙ୍ଗୀ। ଗୋଟିଏ ସମୟରେ ଅନୁଭବ ହେଉଥିଲା, ଏଇ ୨୪ ବର୍ଷୀୟ ଉଲ୍ଲାସ ସତେ ଯେମିତି ଅର୍ବୁଦ ବର୍ଷର କେଉଁ ଏକ ଅଜଣା ବୋଝ ତଳେ ପୋତି ହୋଇ କୁଜା ହେଇ ଯାଉଛି। ଆଉ କେତେବେଳେ ଲାଗୁଥିଲା ଯେମିତି ଏବେ ଏବେ ପ୍ରଜାପତି ପାଲଟିଥିବା ପ୍ୟୁପା ଦେହରେ ନୂଆ କରି ଡେଣା ଲାଗିଛି। ତା ପୁଣି ରଙ୍ଗବେରଙ୍ଗର। ଭିତରେ ଭିତରେ ଭାଙ୍ଗି ପଡୁଥିଲା ବେଳେ ଲାଗୁଥିଲା ଯେମିତି ଶ୍ରାବଣର ଏଇ ବର୍ଷାର ଧାରା ସବୁ ଉଲ୍ଲାସର ଆଖିରୁ ଝରୁଥିବା ଲୁହକୁ ନିଜ ସାଙ୍ଗରେ ମିଶାଇ ବୋହି ନେଉଛନ୍ତି।
ତେବେ ଯେ କେହି ବି ପ୍ରଶ୍ନ କରିବା ସ୍ୱାଭାବିକ ଯେ, ଗଣେଶର ବାହାଘର ଭଳି ଏକ ଆନନ୍ଦମୟ ପରିବେଶରେ ଉଲ୍ଲାସ ଦୁଃଖୀ ହେବାର କାରଣ କଣ ହୋଇପାରେ? ହଁ, ଦୁଃଖୀ ହେବା ସ୍ୱାଭାବିକ। କାରଣ ତା ଗାଁର ତା ବୟସର ଅନେକ ପିଲା କେବେଠୁଁ ବାହା ହୋଇସାରିଲେଣି। ଏପରିକି ତା ବଡ଼ ଦୁଇ ଭାଇ ବି ତା ବୟସ ବେଳକୁ ଛୁଆର ବାପା ହୋଇସାରିଲେଣି। ହେଲେ ତା ବାବଦରେ କେହି ଚିନ୍ତା କରୁନାହାନ୍ତି। ଉଲ୍ଲାସ ଯେତେବେଳେ ମାତ୍ର ଆଠ ବର୍ଷର, ସେତେବେଳେ ତା ବାପା ହୃଦଘାତରେ ଚାଲିଗଲେ ଆରପାରିକୁ। ବାପାଙ୍କ ମୃତ୍ୟୁ ପରେ ମାତ୍ର ୧୬ ଓ ୧୮ ବର୍ଷର ତାର ଦୁଇ ଭାଇଙ୍କୁ କଷ୍ଟେ ମଷ୍ଟେ ଜମି ବାଡ଼ି ବିକାବିକି କରି ବାହା କରାଇ ଦେଇଥିଲା ମାଆ। ହେଲେ ଏହାର ମାତ୍ର ଦୁଇ ମାସ ଭିତରେ ବି ଆରପାରିକୁ ଚାଲିଗଲା ମାଆ। ମାଆ ଯିବା ପରେ ଘରର ସବୁଠୁ ସାନ ଉଲ୍ଲାସ ପାଲଟିଗଲା ଅନାଥ। ବଡ଼ ଦୁଇ ଭାଇ କେବେ ବି ତା କଥା ବୁଝିଲେ ନାହିଁ। ସେ ଖାଇଲା କି ଭୋକରେ ରହିଲା, ସେ କଥା ବି କେବେ ଭାଉଜମାନେ ପଚାରିଲେ ନାହିଁ। ତେଣୁ ସେବେଠୁ କେବେ ପିଉସୀ ଘରେ ତ ଆଉ କେବେ ମାମୁ ଘରେ, ପୁଣି କେବେ ଗାଁ କୋଠ ଘରେ ଜୀବନ ବିତାଉଛି ଉଲ୍ଲାସ। ବାପାମାଆ ଛେଉଣ୍ଡ ହୋଇସାରିବା ପରେ ଜୀବନଟା ଯେ କେତେ ଦୁର୍ବିସହ ହୋଇପଡ଼େ, ସେ କଥା ତାଠୁ ବଳି ଅଧିକ କେହି ଜାଣିନାହାନ୍ତି। ବେଳେ ବେଳେ ତ ଦୁଇ ତିନି ଦିନ ଯାଏଁ ଠିକ୍ ଭାବେ ଖାଇବାକୁ ପାଏ ନାହିଁ ଉଲ୍ଲାସ। କିନ୍ତୁ ତାକୁ ଦେଖିଲେ କେହି କହିବେ ନାହିଁ ଯେ, ସେ ତିନିଦିନ ହେଲାଣି କିଛି ଖାଇନି ବୋଲି। କାରଣ ସେ ତା ନାଁକୁ ଚରିତାର୍ଥ କରିଛି। ଯେତେ ଦୁଃଖରେ ଥିଲେ ବି ସେ କେବେ ଅନ୍ୟକୁ ଜାଣିବାକୁ ଦିଏନି ଯେ, ସେ ଦୁଃଖୀ ଅଛି କିମ୍ବା କୌଣସି ମାନସିକ ଅବା ଶାରୀରିକ ପୀଡ଼ାରେ ପୀଡ଼ିତ। ଓଲଟା ତା ଚାରିପାଖର ସମସ୍ତଙ୍କୁ ସେ ଅତି ସହଜ କରିଦିଏ। ସମସ୍ତଙ୍କ ସାମ୍ନାରେ ହସେ ଏବଂ ଅନ୍ୟଙ୍କ ଦୃଷ୍ଟି ଅଢୁଆଳରେ କାନ୍ଦେ।
କେବଳ ଯେ ଗଣେଶର ବାହାଘର ପାଇଁ ଆସି ସେ ସହଯୋଗ କରୁଛି ତା ନୁହେଁ। ଯେ କୌଣସି ବ୍ୟକ୍ତିଙ୍କ ଅସମୟରେ ଠିଆ ହେଇଛି ସେ। ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବାରେ ସବୁଠୁ ଅଧିକ ଆନନ୍ଦ ମିଳେ ତାକୁ। ସେଥିପାଇଁ ଯେବେ ଯାହାର ଆବଶ୍ୟକତା ପଡ଼ିଛି ସିଏ ପ୍ରଥମେ ଖୋଜିଛି ଉଲ୍ଲାସକୁ। ଆଉ ସେଇଠି ଠିଆ ବି ହୋଇଛି ଉଲ୍ଲାସ। ଗଣେଶର ବାହାଘର ଦିନ ଯେତେବେଳେ ବରଯାତ୍ରୀ ତେଲିଙ୍ଗି ବାଇଦର ତାଳେ ତାଳେ ନାଚୁଥିଲେ, ସେତିକି ବେଳେ ସମସ୍ତଙ୍କୁ ପଛରେ ପକାଇ ବରଯାତ୍ରୀଙ୍କ ମଝିକୁ ଲମ୍ଫ ଦେଇ ଧୁମ୍ ନାଚିଥିଲା ଉଲ୍ଲାସ। ସମସ୍ତେ ଭାବୁଥିଲେ ବୋଧହୁଏ ଟିକିଏ ପିଇ ଦେଇଛି ସେ। ସେଥିପାଇଁ ଏମିତି ନାଚୁଛି। କିନ୍ତୁ ପ୍ରକୃତ କଥା ହେଲା, ନିଜ ଭିତରେ ଥିବା ଦୁଃଖ, ଅଭାବବୋଧ ସବୁକୁ ଭୁଲିଯିବା ପାଇଁ ଏମିତି ଉଦଣ୍ଡ ନାଚ ନାଚୁଥିଲା ଉଲ୍ଲାସ। ତା ହସହସ ଚେହେରା ତଳେ ସେ ଲୁଚାଇ ଦେବାକୁ ଚାହୁଁଥିଲା ତା ଭିତରେ ପରସ୍ତ ପରସ୍ତ ହୋଇ ଜମାଟ୍ ବାନ୍ଧି ରହିଥିବା ସମସ୍ତ ଦୁଃଖ।
ଦୁଇ ବର୍ଷ ତଳୁ ଗାଁର ଗୋଟିଏ ଝିଅକୁ ମନ ଦେଇ ବସିଥିଲା ଉଲ୍ଲାସ। ମନ କଥାକୁ କହି ବି ସାରିଥିଲା । ସୁଢଳ ସୁଠାମ ତାର ଚେହେରାରେ ବି ବେଶ୍ ପ୍ରଭାବିତ ଥିଲା ସେଇ ଝିଅ। ସେ ବି ଚାହୁଁଥିଲା ଉଲ୍ଲାସକୁ ଜୀବନ ସାଥୀ କରିବା ପାଇଁ। କିନ୍ତୁ ବିଡ଼ମ୍ୱନା ଏଇଆ ଯେ, ଉଲ୍ଲାସ ବାପମାଆ ଛେଉଣ୍ଡ। ତା କଥା ବୁଝିବାକୁ କେହି ନାହିଁ। ବଡ଼ ଭାଇ ଓ ଭାଉଜ ନିଜ ନିଜ ସଂସାରରେ ବ୍ୟସ୍ତ। ସେମାନଙ୍କ ପାଖରେ ଉଲ୍ଲାସ ପାଇଁ ସମୟ ନାହିଁ। ଯେଉଁଠି ଭାଇ ଭାଉଜ ତାକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଉନାହାନ୍ତି, ସେଇଠି ତା ଭଲମନ୍ଦ କଥା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ କାହିଁ? ତଥାପି ଦିନେ ସାହସ ଜୁଟାଇ ବଡ଼ ଭାଉଜ ପାଖରେ ଯାଇ ନିଜ ମନକଥାକୁ କହିବାକୁ ଚେଷ୍ଟାକଲା ଉଲ୍ଲାସ। କହିଲା, ଭାଉଜ .. ମୁଁ ଗୋଟିଏ ଝିଅକୁ ଭଲ ପାଉଛି। ମୋ ବାହାଘର କରାଇଦେଲେ ଭଲ ହୁଅନ୍ତା। ଏଇତକ କଥା ଶୁଣି ହଠାତ୍ ଗମ୍ଭୀର ହୋଇଉଠିଲା ଉଲ୍ଲାସର ଭାଉଜ। ତା ପରେ ଅତି ଜୋରରେ ହସି ଉଠିଲା ସେ। କହିଲା, ଘର ନାହିଁ, ଦ୍ୱାର ନାହିଁ, ତୋ ବାହାଘର କିଏ କରେଇବ? ଯତି ତୋତେ ବାହାହେବାକୁ ଏତେ ଇଚ୍ଛା, ତାହେଲେ ନିଜ ପାଇଁ ନିଜେ ଆଗ ଘରଟିଏ କର। ତା ପରେ ବାହାହେବୁ। ଆମେ ତ ଆମ କଥା ବୁଝୁ ବୁଝୁ ଦିନ ସରୁନି, ତୋତେ ବାହା କରେଇବ କିଏ?
ଉଲ୍ଲାସ ଆଉ କିଛି ନକହି ଚାଲିଆସିଲା ସେଠାରୁ। ଗାଁ ମୁଣ୍ଡ ବରଗଛ ତଳ ମଣ୍ଡପ ଉପରେ ବସି ଶୂନ୍ୟ ଆକାଶ ଆଡ଼କୁ ଅନାଇ ରହିଥିଲା। ଭାବୁଥିଲା, କାଠ ଚିପୁଡ଼ିଲେ ସିନା ପାଣି ବାହାରିବ, ହେଲେ ପଥର ଚିପୁଡ଼ିଲେ କି ପାଣି ମିଳିବ? ଭାଉଜକୁ ପ୍ରଶ୍ନ ପଚାରି ଭୁଲ୍ ହୋଇଗଲା। ମୋତେ ନିଜକୁ ନିଜେ ହିଁ ପ୍ରଶ୍ନ କରିବାର ଥିଲା। ପ୍ରକୃତରେ ମୋର ଭୁଲ୍ ରହିଲା କେଉଁଠି? ମୁଁ ତ ଅନାଥ ବୋଲି କେବେ କାହାର ଦୟା ଚାହିଁନି। ବରଂ ଓଲଟା ସମସ୍ତଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରିଛି। ହେଲେ ମୋ କଥା ଭାବିବା ପାଇଁ ତ କାହା ପାଖରେ ସମୟ ନାହିଁ। ତେଣୁ ବାପା ମାଆଙ୍କ ସାଙ୍ଗରେ କଣ ମତେ ବି ଚାଲିଯିବାର ଥିଲା? ନା ଏ ସମସ୍ତଙ୍କୁ ଭୁଲି ମୁଁ ନିଜ ପାଇଁ ନିଜେ ବାଟ ବାହାର କରିବା ଦରକାର? ଏମିତି ନିଜକୁ ନିଜେ ପଚାରୁଥିବା ଅନେକ ପ୍ରଶ୍ନଙ୍କ ଜାଲ ଭିତରେ ଧୀରେ ଧୀରେ ଛନ୍ଦି ହୋଇଯାଉଥିଲା ଉଲ୍ଲାସ।
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.