Latest Odisha News

BREAKING NEWS

ବାଲେଶ୍ୱର ନିର୍ବାଚନୀ ପ୍ରଚାରରେ ଯୋଗଦେଲେ ରାହୁଲ, ଟାର୍ଗେଟରେ ମୋଦୀ

ବାଲେଶ୍ୱର: ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣାଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ପରିବର୍ତ୍ତନ ସଂକଳ୍ପ ସଭା’ରେ ଯୋଗଦେଇଛନ୍ତି । କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ସହିତ ଏହି ସଭାରେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ପାକିସ୍ତାନ ବିରୋଧରେ ନୁହେଁ ବରଂ ଗରିବୀ ବିରୋଧରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବ ବୋଲି ଏହି ସଭାରେ ସମ୍ବୋଧିତ କରି କହିଛନ୍ତି ରାହୁଲ । ଗରିବଙ୍କ ବ୍ୟାଙ୍କ ଖାତାକୁ ୭୨ ହଜାର ଟଙ୍କା ଆସିବ । ଏହି ଯୋଜନାରେ ୫ କୋଟି ଗରିବ ଲୋକଙ୍କ ସହିତ ସମୁଦାୟ ୨୫ କୋଟି ଲୋକ ଉପକୃତ ହୋଇପାରିବେ । ବେରୋଜଗାରୀ ଲାଗି ଜିଏସଟି ଏବଂ ନୋଟବନ୍ଦୀ ହିଁ ଦାୟୀ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କଂଗ୍ରେସ କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୬୦୦ ଟଙ୍କା ହେବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।

ଏହି ସଭାରେ ରାହୁଲ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, ନରେନ୍ଦ୍ର ମୋଦୀ ୨ କୋଟି ରୋଜଗାର ଦେବେ ବୋଲି କହିଥିଲେ । କିନ୍ତୁ ତାହା କରିପାରିଲେ ନାହିଁ । ପୂର୍ବର ୟୁପିଏ ସରକାର ଜମି ଅଧିଗ୍ରହଣ ଆଇନ ଆଣିଥିଲା । କ୍ଷମତାକୁ ଆସିଲେ କଂଗ୍ରେସ ଆଦିବାସୀମାନଙ୍କ ଜଙ୍ଗଲ ଜମି ରକ୍ଷା କରିବାକୁ ଚେଷ୍ଟା କରିବ । ପ୍ରତି ପଞ୍ଚାୟତର ୧୦ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ଦିଆଯିବ ବୋଲି ରାହୁଲ ଏହି ସଭାରେ ଭୋଟର୍ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଓଡ଼ିଶାର ନବୀନ ସରକାରଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ରେମୁଣାଠାରେ ଦିନ ୨ଟାରେ ନିର୍ବାଚନ ପ୍ରଚାର କରିବା ଲାଗି ଆସି ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା, ମାତ୍ର ପାଟନାରେ ତାଙ୍କ ବିମାନରେ ଯାନ୍ତ୍ରୀକ ତୃଟି ପରିଲକ୍ଷିତ ହେବା ଯୋଗୁଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇଥିଲା ।

Leave A Reply

Your email address will not be published.