Latest Odisha News

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସାଂସଦଙ୍କ ବିରୋଧରେ ନାହିଁ କୌଣସି ଅପରାଧୀକ ମାମଲା

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୬ଟି ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ଏନେଇ ଓଡିଶା ନିର୍ବାଚନ ୱାଚ୍ ଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏକ ମିଳିତ ଅଧ୍ୟୟନରେ ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ଏହି ଅଧ୍ୟୟନ ଅନୁସାରେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠରେ ୫୨ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ (୧୩%)ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ୬ଜଣଙ୍କ (୧୨%) ନାମରେ ସଙ୍ଗୀନ ଅପରାଧିକ ମାମଲା ରହିଛି ।

ଏହି ଅଧ୍ୟୟନ ଅନୁଯାୟୀ ୩୩୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୪ (୩୭.୧୨%) ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ତନ୍ମଧ୍ୟରୁ ୭୨ (୨୨%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ ୫୨ (୧୬%) ଗମ୍ଭୀର ଅପରାଧିକ ମାମଲା ରହିଛି । ଏପରିକି ୩ ଜଣ ପ୍ରାର୍ଥୀଙ୍କ ଉପରେ (ଆଇପିସି ଧାରା ୩୦୨) ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଥିବାବେଳେ ୧୧ ଜଣଙ୍କ ବିରୋଧରେ (ଆଇପିସି ଧାରା ୩୦୭) ହତ୍ୟା ଉଦ୍ୟମ ରହିଛି । ଆହୁରି ମଧ୍ୟ ୮ ଜଣ ମହିଳାଙ୍କ ବିରୋଧରେ (ଆଇପିସି ଧାରା-୪୯୮ ଏ) ଆଧାରରେ ଥାନାରେ ମାମଲା ରୁଜୁ କରାଯାଇଛି ।

ଆହୁରି ମଧ୍ୟ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ନେଇ ଏହି ଅଧ୍ୟୟନରୁ ଜଣାପଡିଛି । ଏହି ପ୍ରମୁଖ ଦଳଗୁଡିକରେ ମଧ୍ୟରେ ବିଜେପିର ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୪ (୬୦%), କଂଗ୍ରେସର ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୨ (୩୧%) ରହିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଓ ବିଏସପିର ୩୧ ପ୍ରାର୍ଥୀଙ୍କ ମଧ୍ୟରେ ଜଣଙ୍କ (୩%) ଅପରାଧିକ ମାମଲା ରହିଥିବାର ଘୋଷଣା କରାଯାଇଥିବାବେଳେ ବିଜେପିର ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୬ (୪୦%), କଂଗ୍ରେସର ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୦ (୨୬%), ବିଜେଡିର ୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୦ (୨୬%), ବିଏସପିର ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧ (୩%) ସଙ୍ଗୀନ ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.