ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି (ଜୁନ୍ ୨୧) ପୁଣି ଥରେ ହାଜର ହେବାକୁ ଇଡି ସମନ କରିଛି । ଅର୍ଥାତ ପଞ୍ଚମ ଦିନ ପାଇଁ ରାହୁଲ ଗାନ୍ଧୀ ଇଡି ଆଗରେ ହାଜର ହେବେ । ଇତି ମଧ୍ୟରେ ଚାରି ଦିନରେ ୪୦ ଘଣ୍ଟାରୁ ଅଧିକ ସମୟ ହେବ ରାହୁଲ ଗାନ୍ଧୀ ଇଡି ଜେରାକୁ ସାମ୍ନା କରି ସାରିଛନ୍ତି। ଗୋଟିଏ ପଟେ କଂଗ୍ରେସ ଜେରାକୁ ବିରୋଧ କରି ଇଡି ସହିତ କେନ୍ଦ୍ର ବିରୋଧରେ ନାରାବାଜି ଦେଉଛି ଅନ୍ୟପଟେ ଇଡି ଲଗାତର ରାହୁଲଙ୍କୁ ସମନ କରି ହାଜର ହେବାକୁ ନିର୍ଦ୍ଦେଶ ଦେଇ ଚାଲିଛି।
ନିଜର ୫୨ତମ ଜନ୍ମଦିନର ଗୋଟିଏ ଦିନ ପରେ ରାହୁଲ ନିଜର ‘ଜେଡ’ କ୍ୟାଟେଗୋରୀ ସିଆରପିଏଫ୍ ସିକ୍ୟୁରିଟି ଏସ୍କର୍ଟଙ୍କ ସହ ଗତକାଲି ପୂର୍ବାହ୍ନ ୧୧ଟା ୫ ମିନିଟରେ ଦିଲ୍ଲୀର ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ।
ଗତ ସପ୍ତାହରେ ସମ୍ପୃକ୍ତ ଅଞ୍ଚଳରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଥିଲେ ମଧ୍ୟ ଇଡି ଅଫିସ ଚାରିପାଖରେ ବ୍ୟାପକ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଥିଲା।
ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାଲିକାନାରେ ଥିବା କଂଗ୍ରେସ ପ୍ରମୋସନ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡରେ ଆର୍ଥିକ ଅନିୟମିତତା ନେଇ ଏହି ତଦନ୍ତ ଚାଲିଛି। ଏହି ମାମଲାରେ ଉଭୟ ସୋନିଆ ଏବଂ ରାହୁଲ ଜାମିନରେ ଅଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ କଂଗ୍ରେସ ନେତାଙ୍କର ପରଲୋକ ଘଟି ସାରିଛି।
ଇଡି ରାହୁଲ ଗାନ୍ଧୀଙ୍କୁ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରସଙ୍ଗରେ ଜେରା କରୁଛି। ନ୍ୟାସନାଲ ହେରାଲ୍ଡର ଅପରେସନ୍, ଖବରକାଗଜର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ (ଏଜେଏଲ୍)କୁ ପାର୍ଟି ଦେଇଥିବା ଋଣ, ଏବଂ ନ୍ୟୁଜ୍ ମିଡିଆ ପ୍ରତିଷ୍ଠାନ ମଧ୍ୟରେ ପାଣ୍ଠି ହସ୍ତାନ୍ତରକୁ ନେଇ ଆର୍ଥିକ ଅନିୟମିତତାର ଅଭିଯୋଗ ରହିଛି।
ଅନ୍ୟପଟେ ଆସନ୍ତା ୨୩ ତାରିଖରେ ସୋନିଆଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି। କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ ଅପବ୍ୟବହାର କରି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏପରି ଜେରା ରାଜନୈତିକ ପ୍ରତିଶୋଧ ବୋଲି କହିଛି।
Comments are closed.