Latest Odisha News

BREAKING NEWS

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ କରାଯିବା ଉଚିତ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

BjdElectrycity

ବିଭାଗ ପକ୍ଷରୁ କରାଯାଇଥିବା ସମ୍ବେଦନଶୀଳ ଓ ଗୋପନୀୟ କାର୍ଯ୍ୟକଳାପକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାମକୁ ଭିଜିଲାନ୍ସ ବିଭାଗ ସାର୍ବଜନୀନ କରିବାକୁ ରାଜ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଚାରି ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ କୋର୍ଟରେ ପକ୍ଷ ରଖି କହିଥିଲେ ରାଜ୍ୟ ସରକାର ଆରଟିଆଇ ପରିସରରୁ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ବାଦ ଦେବା ନେଇ ଯେଉଁ  ବିଜ୍ଞପ୍ତି ଜାରି କରିଛନ୍ତି ତାହା ଅସାମ୍ବିଧାନିକ । ଏପରି ହେବା ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି।

ଜବାବରେ ରାଜ୍ୟ ସରକାର କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟର ଉଦାହରଣ ଦେଇଥିଲେ। ସରକାର କହିଥିଲେ କେବଳ ଓଡ଼ିଶା ନୁହେଁ ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ସିକିମ୍ ଆଦି ରାଜ୍ୟ ମଧ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ କରି ନାହାନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ସିବିଆଇକୁ ଆରଟିଆଇରୁ  ବାଦଦେଇଛନ୍ତି। ଭିଜିଲାନ୍ସ ବିଭାଗର ତଥ୍ୟ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଦିଆଗଲେ ସୁରକ୍ଷା ଓ ଜନସ୍ୱାର୍ଥ ସମ୍ପର୍କୀତ ସମସ୍ୟା ଉପୁଜିପାକେ । ଯାହା ପରବର୍ତ୍ତୀ ସମୟରେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ। ହେଲେ କୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରେ ସନ୍ତୁଷ୍ଟ ହୋଇନଥିଲେ। ତେଣୁ ୨୦୧୬ରେ ସରକାର ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ତାକୁ ରଦ୍ଦ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୬ ଅଗଷ୍ଟ ୧୧ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ଆରଟିଆଇ ପରିସରଭୁକ୍ତ ଦେବାକୁ ମନା କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଜରିଆରେ ତିନିଟି ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍. ପି. ଦାସ ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷଙ୍କ ପକ୍ଷରୁ ଏସ୍. ଏନ୍. ଦାସ ଓ ଶ୍ରୀମନ୍ତ ଦାସ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.